ଓବାମାଙ୍କୁ ଟ୍ରମ୍ପଙ୍କ ପାଲଟା ଆକ୍ରମଣ - 'ରାଷ୍ଟ୍ରପତି ହେବା ପାଇଁ ସେ ଯୋଗ୍ୟ ନଥିଲେ'

Published By : Prameya-News7 Bureau | May 18, 2020 IST

ୱାସିଂଟନ ୧୮/୦୫ : ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ବାରାକ ଓବାମା କରୋନା ମୁକାବିଲା ମାମଲାରେ ଟ୍ରମ୍ପକୁ ପ୍ରଶ୍ନ କରିଥିଲେ | ଓବାମାଙ୍କ ପ୍ରତିକ୍ରିୟା ପରେ ମାମଲା ଗମ୍ଭୀର ହୋଇଛି | ଓବାମାଙ୍କ ପ୍ରଶ୍ନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡା ଜବାବ୍ ଦେଇଛନ୍ତି | ଓବାମାଙ୍କୁ ଅଯୋଗ୍ୟ ରାଷ୍ଟ୍ରପତିର ଆଖ୍ୟା ଦେଇଛନ୍ତି ଟ୍ରମ୍ପ | ରବିବାର ଦିନ ହ୍ୱାଇଟ ହାଉସରେ ସାମ୍ବାଦିକଙ୍କୁ ଟ୍ରମ୍ପ କହିଥିଲେ ଯେ ଓବାମା ରାଷ୍ଟ୍ରପତି ହେବା ପାଇଁ ଯୋଗ୍ୟ ନଥିଲେ | ଶନିବାର ଦିନ ଓବାମା ଆମେରିକାର ଅଧିକାରୀଙ୍କ କାର୍ଯ୍ୟକଳାପ ତରିକାକୁ ନେଇ ପ୍ରତିକ୍ରିୟା ରଖିଥିଲେ | ଏହାପରେ ରବିବାର ଦିନ ଓବାମାଙ୍କୁ ଆକ୍ଷେପ କରି ଟ୍ରମ୍ପ ଏହିଭଳି ମନ୍ତବ୍ୟ ଦେଇଥିଲେ |

ଏହା ପୂର୍ବରୁ ଛାତ୍ରମାନଙ୍କୁ ସମ୍ବୋଧନ କରି ଓବାମା କହିଥିଲେ ଯେ କୋଭିଡ-୧୯ ମହାମାରୀ ଆମେରିକୀୟ ନେତୃତ୍ୱର ପର୍ଦାଫାଶ କରିଛି | ଓବାମା କେଉଁ ଅଧିକାରୀଙ୍କ ନାଁ ନ କହି କହିଥିଲେ ଯେ ଏତେ ପ୍ରଭାରୀ ଥାଇ କଣ କରୁଛନ୍ତି | ଅପରପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଆମେରିକାରେ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି | ତେବେ ଆମେରିକାର କିଛି ସ୍ଥାନରେ ମାମଲା ଏବେ ମଧ୍ୟ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି | ରବିବାର ଦିନ ଆମେରିକାରେ କରୋନା ଯୋଗୁଁ ୮୨୦ ଜଣଙ୍କର ମୃତ୍ୟୁ ହୋଇଛି | ଆମେରିକାରେ ଏବେ ସୁଦ୍ଧା ୮୯ ହଜାର ୫୫୦ ଜଣ କରୋନାରେ ପ୍ରାଣ ହରାଇ ସାରିଛନ୍ତି | ମେ ୧୦ ତାରିଖରେ ସବୁଠାରୁ କମ ସଂଖ୍ୟାରେ ୭୭୬ ଜଣଙ୍କର ମୃତ୍ୟୁ ହୋଇଥିଲା | ଜନ୍ସ ହପକିନ୍ସ ୟୁନିଭର୍ସିଟି ଅନୁସାରେ ଆମେରିକାରେ ସଂକ୍ରମଣ ସଂଖ୍ୟା ୧୪ ଲକ୍ଷ ୮୬ ହଜାରକୁ ଟପିଛି | ନ୍ୟୁୟର୍କ, ନ୍ୟୁଜର୍ସି, ମେସେଚୁସେଟ୍ସ୍ କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.