ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତାମାନେ ଦେଲେ ଗଣେଶ ପୂଜାର ଶୁଭେଚ୍ଛା

Published By : Prameya-News7 Bureau | August 22, 2020 IST

ନୂଆଦିଲ୍ଲୀ ୨୨/୮: ଦେଶରେ ଆଜି ଗଣେଶ ପୂଜା ପର୍ବ ପାଳନ କରାଯାଉଛି। କିନ୍ତୁ ଏଥର କରୋନା ମହାମାରୀ କାରଣରୁ କୌଣସି ପର୍ବ ପୂର୍ବ ଭଳି ପାଳନ ହେବ ନାହିଁ। ଏଥିପାଇଁ ଘରେ ରହି କିମ୍ବା କମ୍ ଲୋକଙ୍କ ସହ ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ଉଦ୍ୟମ କରୁଛନ୍ତି। ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ଲୋକେ ଘରକୁ ଆଣିଥାନ୍ତି। ଗଣେଶଙ୍କୁ ନିଜ ଘରେ ଆଣି ଆଦର-ସତ୍କାର ସହ ସ୍ଥାପିତ କରି ଏକାଦଶ ଦିନ ତାଙ୍କୁ ଧୁମଧାମର ସହ ବିସର୍ଜନ କରି ଦିଆଯାଇଥାଏ। ଏହି ଅବସରରେ ଦେଶର ରାଷ୍ଟ୍ରପତିଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଯାଏଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।

 ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ,‘ ଗଣେଶ ଚତୁର୍ଥୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦିକ ଶୁଭକାମନା। ଏହି ପର୍ବ ଭାରତୀୟ ଲୋକଙ୍କ ଅଦମ୍ୟ ଉତ୍ସାହ,ଖୁସି ଏବଂ ଉଲ୍ଲାସର ପ୍ରତୀକ। ସେ କାମନା କରିଛନ୍ତି ଯେ ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ କୃପାରେ କୋଭିଡ-୧୯ ମହାମାରୀ ସମାପ୍ତ ହେଉ ତଥା ସମସ୍ତ ଦେଶବାସୀ ସୁଖୀ ଏବଂ ନୀରୋଗ ଜୀବନ ଜିଇଁବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଗଣପତି ବାପ୍ପା ମୋରୟା ଜୟ ଜୟକାର ଧ୍ବନି ଦେଇଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି ଯେ,‘ ଗଣେଶ ଚତୁର୍ଥୀର ଶୁଭ ଅବସରରେ ଅନେକ ଅନେକ ଶୁଭେଚ୍ଛା। ଭଗବାନ ଶ୍ରୀ ଗଣେଶଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ରହୁ। ଚାରି ଆଡ଼େ ଖୁସି ଏବଂ ସମୃଦ୍ଧି।’

ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସମସ୍ତ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ କହିଛନ୍ତି,‘ ଆପଣ ସମସ୍ତଙ୍କୁ ଗଣେଶ ଚତୁର୍ଥୀର ଶୁଭକାମନା। ମଙ୍ଗଳକର୍ତ୍ତା-ବିଘ୍ନହର୍ତ୍ତାଙ୍କ ଆଶିଷର ଆଜି ପୂରା ଦେଶ ଆବଶ୍ୟକ କରୁଛି।’

ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗଣେଶ ଚତୁର୍ଥୀ ଅବସରରେ କହିଛନ୍ତି ଯେ,‘ ଆପଣ ସମସ୍ତଙ୍କୁ ଗଣେଶ ଚତୁର୍ଥୀ ପାବନ ପର୍ବର ହାର୍ଦ୍ଦିକ ଶୁଭକାମନା। ଭଗବାନ ଗଣେଶ ଆପଣଙ୍କ ଏବଂ ଆପଣଙ୍କ ପରିବାରର ସ୍ବାସ୍ଥ୍ୟ ଏବଂ ସମୃଦ୍ଧି ବୃଦ୍ଧି କରନ୍ତୁ।’

ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ,‘ଗ​ଣେଶ ଚତୁର୍ଥୀ ଭଳି ପାବନ ପର୍ବରେ ସମସ୍ତଙ୍କୁ ସୁଖ,ଶାନ୍ତି ଏବଂ ଚିର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ମଧ୍ୟ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି।

ସନାତନ ଧର୍ମରେ ଭଗବାନ ଗଣେଶଙ୍କ ପୂଜାର ବିଶେଷ ମହତ୍ତ୍ବ ରହିଛି। ଭଗବାନ ଗଣେଶଙ୍କୁ ଗଜାନନ କିମ୍ବା ବିଘ୍ନହର୍ତ୍ତା ମଧ୍ୟ କୁହାଯାଇଥାଏ। ଗଜାନନଙ୍କୁ ରିଦ୍ଧି-ସିଦ୍ଧି ଏବଂ ସୁଖ-ସମୃଦ୍ଧିର ଦାତା କୁହାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.