୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି

Published By : Prameya-News7 Bureau | October 26, 2020 IST

ପୁରୀ ୨୬।୧୦: ଦୀର୍ଘ ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପବିତ୍ର ଦଶହରାରେ ଏହି ବେଶ ପାଇଁ ଅନୁକୂଳ କରାଯାଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ହରଚଣ୍ଡୀ ସାହି ଚକ୍ରକୋଟରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ ଅନୁକୂଳ ହୋଇଥିଲା । ଆସନ୍ତାକାଲିଠାରୁ ବେଶ ଆରମ୍ଭ ହେବାକୁ ଥିବା ବେଳେ ନଭେମ୍ବର ୨୭ ଅନୁଷ୍ଠିତ ହେବ ଏହି ଦୁର୍ଲଭ ବେଶ ।

ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ । ଏ ବର୍ଷ ପଞ୍ଚୁକ ୫ ଦିନ ବଦଳରେ ୬ ଦିନ ପଡ଼ୁଥିବାରୁ ବିଧି ଅନୁସାରେ ମଳ ଦ୍ବାଦଶୀରେ ମହାପ୍ରଭୁଙ୍କ ନାଗା ବେଶ ଲାଗି ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ସନ୍ତରା ପଟ, ସୋଲ ଓ ବେତ ଆଦି ଦ୍ରବ୍ୟରେ ତିଆରି ହେବ ନାଗା ବେଶ । ୨୫ ବର୍ଷ ଅନ୍ତରରେ ଏହି ବେଶ ପଡ଼ୁଥିବାରୁ ଏହାକୁ ନେଇ ବେଶ ଉତ୍ସାହୀ ଓ ଭାବବିହ୍ବଳ ହୋଇପଡ଼ିଛନ୍ତି ବେଶ ଶିଳ୍ପୀ । ମହାପ୍ରଭୁଙ୍କ ଏହି ବିରଳ ବେଶ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରେ ଥିବାରୁ ବିକଳ୍ପ ବ୍ୟବସ୍ଥା କଣ ହୋଇପାରିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଶେଷ ଥର ପାଇଁ ୧୯୯୪ ମସିହାରେ ଅନୁଷ୍ଠିତ ହୋଇଥିଲା ଶ୍ରୀଜିଉଙ୍କ ଏହି ଦୁର୍ଲଭ ନାଗାର୍ଜୁନ ବେଶ । ଏହି ବେଶକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

୧୯୯୩ ମସିହାରେ ନାଗାର୍ଜୁନ ବେଶରେ ଦଳାଚକଟା ଘଟି ୭ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଚଳିତ ବର୍ଷ କୋଭିଡ଼ ୧୯ କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ବିନା ଭକ୍ତରେ ନାଗାର୍ଜୁନ ବେଶ ହେବ । ବଳରାମ ଖୁଣ୍ଟିଆ ଏହି ବେଶ ଯୋଗାଇବେ । ବେଶ କାରିଗର ବେଶ ଉତ୍ସାହିତ ଓ ଭାବ ବିହ୍ବଳ ହୋଇପଡ଼ିଛନ୍ତି । ପ୍ରଥମ ଥର ପାଇଁ ବେଶ ନିର୍ମାଣ କରୁଥିବା ବେଳେ ମହାପ୍ରଭୁଙ୍କ ଅପରା କରୁଣାରୁ ଠିକ୍ ସମୟରେ ବେଶ ନିର୍ମାଣ ସରିବ ବୋଲି ଆଶାବାଦୀ ଅଛନ୍ତି ।

ଚଳିତବର୍ଷ କାର୍ତ୍ତକି ମାସ ପଞ୍ଚୁକ ୬ ଦିନ ପଡ଼ୁଥିବାରୁ ଆଗାମୀ ନଭେମ୍ବର ୨୭ ତାରିଖରେ ଏହି ଅନନ୍ୟ ବେଶ ଅନୁଷ୍ଠିତ ହେବ । ୧୯୬୬, ୧୯୬୭, ୧୯୬୮, ୧୯୯୩ ଓ ୧୯୯୪ ମସିହାରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।

ସେପଟେ ଗୋଷାଣୀ ଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡ୍‌ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି କଟକଣା । ଗୋଷାଣୀ ଯାତ୍ରା ପାଇଁ ୨୭ ତାରିଖ ସକାଳ ୧୦ଟାରୁ ସିଂହଦ୍ବାରଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ । ଯାତ୍ରା ସରିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଯାତ୍ରା ସମୟରେ ଜନ ଗହଳିକୁ ବାରଣ କରାଯାଇଛି । ପ୍ରତି କମିଟିର ୭ ଜଣଙ୍କୁ ଯାତ୍ରା ପାଇଁ ଅନୁମତି ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.