ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଓଡିଶାରେ ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନରେ ହେବ ମତଦାନ

Published By : Prameya-News7 Bureau | April 17, 2019 IST

ଭୁବନେଶ୍ବର ୧୭।୪: ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଓଡ଼ିଶାରେ ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନରେ ମତଦାନ ହେବ । ଏଥିପାଇଁ ଗତକାଲିଠୁ ପ୍ରଚାର ଶେଷ ହୋଇଥିବା ବେଳେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଦ୍ବିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ଲୋକସଭା ଆସନ ସହ ଏହା ଅଧିନରେ ଥିବା ୩୫ ବିଧାନସଭା ଆସନରେ ମତଦାନ ହେବ ।

ପ୍ରତ୍ୟକ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରେ ଇଭିଏମ, ଭିଭିପାଟ ମେସିନ ପଠାଯାଇଛି। ବିଭିନ୍ନ ବୁଥରେ ପୁଲିଂ କର୍ମଚାରୀ ପହଞ୍ଚି ସାରିଲେଣି । ଏହାସହ ପ୍ରିଜାଇଡିଂ ଅଫିସରଙ୍କ ସମେତ, ପୋଲିଂ ଅଫିସର ଏବଂ ସମସ୍ତ ନିର୍ବାଚନ କର୍ମଚାରୀ ମାନେ ମଧ୍ୟ ବୁଥ୍ ଗୁଡିକରେ  ପହଞ୍ଚିବାରେ ଲାଗିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼ ଲୋକସଭା ଆସନ ସହ ଏହା ଅଧୀନରେ ଆସୁଥିବା ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ ।

ସେହିପରି ସୁନ୍ଦରଗଡ଼ ଲୋକସଭା ଆସନ ଅନ୍ତର୍ଗତ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ । ବଲାଙ୍ଗୀର ଲୋକସଭା ଆସନ ପାଇଁ ମତଦାନ ହେବା ସହ ଏହି ଲୋକସଭା ଆସନରେ ଆସୁଥିବା ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ମତଦାନ ହେବ । କନ୍ଧମାଳ ଲୋକସଭା ସହ ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଭୋଟ ଗ୍ରହଣ ହେବ । ସେହିପରି ଆସ୍କା ଲୋକସଭା ଆସନ ସହ ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ଆସନରେ ଆସନ୍ତାକାଲି ମତଦାନ ହେବ । 

୫ ଲୋକସଭା ଆସନ ପାଇଁ ୩୫ ପ୍ରାର୍ଥୀ ଏବଂ ୩୫ ବିଧାନସଭା ପାଇଁ ୨୪୪ ପ୍ରାର୍ଥୀ ଅଛନ୍ତି । ଏହି ପର୍ଯ୍ୟାୟରେ ବହୁ ହେଭିୱେଟ୍ ନେତାଙ୍କ ସହ ୩ ପ୍ରମୁଖ ଦଳର ବିଧାୟକ ଦଳ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ବିଜେପୁର ଓ ହିଞ୍ଜିଳିରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇଥିବା ବେଳେ ପାଟଣାଗଡ ଆସନରୁ ବିଜେପିର ଟାଣୁଆ ନେତା କନକ ବର୍ଦ୍ଧନ ସିଂହଦେଓ ନିର୍ବାଚନ ଲଢୁଛନ୍ତି । ସେହିଭଳି ବଲାଙ୍ଗୀର ଆସନରୁ କଂଗ୍ରେସର ବରିଷ୍ଠ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଭାଗ୍ୟ ପରୀକ୍ଷା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.