ଆରମ୍ଭ ହେଲା ବିଜେପୁର ବିଧାନସଭା ନିର୍ବାଚନ ଲାଗି ସଜବାଜ : ବିଜେଡି ୪ଜଣିଆ କମିଟି ଗଠନ କରିବାପରେ କଂଗ୍ରେସ କହିଲା ମାସେ ଆଗରୁ ପ୍ରସ୍ତୁତ ହୋଇସାରିଛୁ…

Published By : Prameya-News7 Bureau | September 19, 2019 IST

ଭୁବନେଶ୍ବର ୧୯|୯: ବିଜେପୁର ନିର୍ବାଚନ ପାଇଁ ଦେଢ ମାସ ତଳୁ କମିଟି ଗଠନ କରି ସାରିଛୁ  ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।କମିଟି ଯାହା କହିବ ସେହି ଅନୁଯାୟୀ କାମ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଯେ କୌଣସି ସମୟରେ ବିଜେପୁର ବିଧାନସଭା ଆସନ ଲାଗି ତାରିଖ ଘୋଷଣା ହୋଇପାରେ । ଏଥିପାଇଁ ତିନି ରାଜନୈତିକ ଦଳ ତତ୍ପର ହୋଇ ଉଠିଛନ୍ତି । ଗତକାଲି ବିଜେଡି ବିଜେପୁର ପାଇଁ କମିଟି ଗଠନ କରିଛି । କମିଟିରେ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ , ସଂଜୟ ଦାସବର୍ମା ଆଦି ଚାରିଜଣ ନେତା ରହିଛନ୍ତି ।

ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଂଜିଳି ଓ ବିଜେପୁର ଦୁଇଟି ଆସନରୁ ବିଜୟୀ ହୋଇଥିଲେ । ତେବେ ସେ ହିଂଜିଳି ଆସନକୁ ରଖି ବିଜେପୁର ଛାଡିଥିଲେ । ଫଳରେ ପୁଣି ବିଜେପୁର ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ ।

ବିଜେପୁରରୁ ବିଜେପି ପ୍ରାର୍ଥୀ ହେବା ଲାଗି ବିଜେପିର ପ୍ରଦୀପ ପୁରୋହୀତ ନିଜର ଆଗ୍ରହ ପ୍ରକାଶ କରିସାରିଛନ୍ତି । ତେବେ ବିଜେପି ସେଠାରେ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନାହିଁ । ସେହିଭଳି କଂଗ୍ରେସ ଓ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ବିଜେଡିକୁ ଗତ ସାଧାରଣ ନିର୍ବାଚନ ବେଳେ ବିଜେପିରୁ ଆସିଥିବା ନେତା ସୁବାସ ଚୌହ୍ବାନଙ୍କୁ ବ୍ଜେପୁରରୁ ଦଳ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଥିଲା । ତେବେ ଦୁଇଦିନ ତଳେ ସୁବାସ ଚୌହ୍ବାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କରିବା ପରେ ସେ ସମ୍ଭାବନା ନଥିବା ସ୍ପଷ୍ଟ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.