ଫନି ଫାଇଁ ବିଭିନ୍ନ ଜିଲ୍ଲାରେ ପ୍ରସ୍ତୁତି, ଜାଣନ୍ତୁ କେଉଁଠି ନିଆଯାଇଛି କଣ ପଦକ୍ଷେପ

Published By : Prameya-News7 Bureau | May 01, 2019 IST

ଭୁବନେଶ୍ବର ୧|୫: ବାତ୍ୟା ଖବର ଶୁଣି ଲୋକେ ଭୟଭୀତ ହେବା ସ୍ବାଭାବିକ । କାରଣ ପୂର୍ବରୁ ଭୟଙ୍କର ବାତ୍ୟା ଯୋଗୁଁ ପ୍ରଭୂତ କ୍ଷୟକ୍ଷତି ଭୋଗିଛନ୍ତି ଉପକୂଳ ଓଡ଼ିଶାର ବାସିନ୍ଦା। ଏବେ କିନ୍ତୁ ପ୍ରଶାସନିକ ତତ୍ପରତା ଲୋକଙ୍କ ପାଇଁ ବଡ଼ ଆଶ୍ବାସନା ହୋଇଛି।

ବାତ୍ୟା ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶିଯାଉଛି । ଏବେ ଏକ୍ସଟ୍ରିମ୍  ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ଧାରଣ କରି ମାଡ଼ି ଆସୁଛି ଫୋନି। ଏ ହେଉଛି ଜଗତ୍ ସିଂହପୁର ଜିଲ୍ଲା। ୯୯ ମହାବାତ୍ୟା ଦେଖିଥିବା ଏଠାକାର ବାସିନ୍ଦା ପୁଣି ଏକ ବାତ୍ୟା ଶୁଣି ଭୟଭୀତ ହୋଇଛନ୍ତି। ଏତିକିବେଳେ କୋଣାର୍କ ନିକଟରେ ସମୁଦ୍ର ଲହଡ଼ି ଅଶାନ୍ତ ହୋଇଛି। ପ୍ରୋଟେକ୍ସନ ୱାଲରେ ମାଡ଼ କଲାଣି।

 ପୁରୀ ସମୁଦ୍ରକୂଳରେ ନାଲି ପତାକା ଲଗାଯାଇଛି। ସମୁଦ୍ରରେ ନ ଗାଧୋଇବା ଲାଗି ସତର୍କ କରାଇଦିଆଯାଇଛି। ପୁରୀରେ ଲ୍ୟାଣ୍ଡଫଲ କରିବା ନେଇ ଆଗୁଆ ସୂଚନା ରହିଛି। ତେଣୁ ପୁରୀ ପ୍ରଶାସନ ଏବଂ ଏହି ଜିଲ୍ଲା ଦାୟିତ୍ବରେ ଥିବା ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ର ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ନିଷ୍ପତ୍ତି ହୋଇଛି।

ବାତ୍ୟା ବର୍ଷା ହେଲେ ଭୁବନେଶ୍ବରିଆଙ୍କ ମନରେ ଛନକା ପଶେ। କାରଣ ଜଳମଗ୍ନ ହୋଇଯାଏ ରାଜଧାନୀ ତା ଛଡ଼ା ବସ୍ତିବାସିନ୍ଦାଙ୍କ ପାଇଁ ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼େ। ରାଜଧାନୀରେ ୨୦୦ ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।  ଫୋନିର ମୁକାବିଲା ପାଇଁ ବିଏମସି ପକ୍ଷରୁ ମେ ୧ ରୁ ୫ ଦିନିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ଲୋକମାନେ ୧୮୦୦୦୩୪୫୦୦୬୧ ଏବଂ ୦୬୭୪୨୪୩୧୨୫୩ ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଜଣାଇପାରିବ । 

କଟକ ଜିଲ୍ଲାପାଳ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାର ସବୁ କଚ୍ଚା ଘରୁ ଲୋକଙ୍କୁ ଆସନ୍ତାକାଲି ସୁଦ୍ଧା ସ୍ଥାନାନ୍ତର କରିବା ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ପାଖାପାଖି ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ଠିକ୍  ନିର୍ବାଚନ ସରୁ ସରୁ ବାତ୍ୟା ଆସି କବାଟ ବାଡ଼େଇଛି। ଇଭିଏମର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ଇଭିଏମ ର ସ୍ଥାନ ପରିବର୍ତ୍ତନ କରାଯାଇଛି। ୫୭୩ ଇଭିଏମ ଓ ଭିଭିପାର୍ଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।

ବାତ୍ୟା ଯୋଗୁଁ ଲୋକଙ୍କୁ ଭୟଭୀତ ନ ହେବା ଲାଗି ପ୍ରଶାସନ ପରାମର୍ଶ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.