ତୃତୀୟ ଲହର ଆସିବା ପୂର୍ବରୁ ପ୍ରସ୍ତୁତି, ୬ରୁ ୧୨ ବର୍ଷୀୟ ପିଲାଙ୍କୁ ଦିଆଗଲା ଦ୍ୱିତୀୟ ଡୋଜ୍‌ !

Published By : Prameya-News7 Bureau | July 19, 2021 IST

ନୂଆଦିଲ୍ଲୀ, ୧୯/୦୭: କରୋନା ସଂକ୍ରମଣର ତୃତୀୟ ଲହରକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପିଲାମାନଙ୍କ ପାଇଁ ଟୀକା ବିକଶିତ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଭାରତ ବାୟୋଟେକ ପିଲାଙ୍କ ଉପରେ କୋଭାକ୍ସିନ୍‌ର ପରୀକ୍ଷଣ ଜୁନ୍‌ ମାସରୁ ଆରମ୍ଭ କରିଦେଇଛି । ବର୍ତ୍ତମାନ ଜଣାପଡ଼ିଛି ଯେ, ପରୀକ୍ଷଣରେ ସାମିଲ୍‌ ପିଲାଙ୍କୁ ଖୁବ୍‌ ଶୀଘ୍ର ଭ୍ୟାକ୍‌ସିନ୍‌ର ଦ୍ୱିତୀୟ ଡୋଜ୍‌ ଦିଆଯିବା ନେଇ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ଏମ୍ସରେ ପରୀକ୍ଷଣ ବେଳେ ସାମିଲ୍‌ ହୋଇଥିବା ୬ରୁ ୧୨ ବର୍ଷୀୟ ପିଲାଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି । ଆଗାମୀ ସପ୍ତାହରେ ୨ରୁ ୬ ବର୍ଷ ବୟସ ପିଲାଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯିବ । ଚଳିତ ମାସ ଶେଷ ଆଡ଼କୁ ଏହାର ରିପୋର୍ଟ ଆସିବା ନେଇ ଆଶା କରାଯାଉଛି । ଯେଉଁଥିରୁ ଜଣାପଡ଼ିବ ଯେ, ଏହି ଭ୍ୟାକ୍‌ସିନ୍‌ ପିଲାଙ୍କ ଉପରେ କେତେ ପ୍ରଭାବ ପକାଉଛି ।

ତୃତୀୟ ଲହରର ଚେତାବନୀ ଭିତରେ ମେ ୧୨ ତାରିଖରେ ବିଶେଷଜ୍ଞ କମିଟି ପିଲାଙ୍କ ଉପରେ ଭ୍ୟାକ୍‌ସିନ୍‌ ପରୀକ୍ଷଣକୁ ସୁପାରିଶ ଦେଇଥିଲେ । ଏହାପରେ ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଟ୍ରାଏଲ୍‌କୁ ମଞ୍ଜୁରୀ ଦେଇଥିଲେ । ଏହି ଟ୍ରାଏଲ୍‌ରେ ପାଖାପାଖି ୫୨୫ ପିଲା ଭାଗ ନେଇଥିଲେ । ଏଥିରେ ୧୭୫-୧୭୫ ପିଲାଙ୍କୁ ନେଇ ଗ୍ରୁପ୍‌ କରାଯାଇଥିଲା । ପ୍ରଥମ ଗ୍ରୁପ୍‌ରେ ୧୨ରୁ ୧୮ ବର୍ଷ ପିଲାଙ୍କୁ ସାମିଲ୍‌ କରାଯାଇଥିବା ବେଳେ ଦ୍ୱିତୀୟ ଗ୍ରୁପ୍‌ରେ ୬ରୁ ୧୨ ବର୍ଷ ଏବଂ ତୃତୀୟ ଗ୍ରୁପ୍‌ରେ ୨ରୁ ୬ ବର୍ଷୀୟ ପିଲାଙ୍କୁ ସାମିଲ୍‌ କରାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.