ସମ୍ପର୍କ ଭାଙ୍ଗିବା ପରେ ସାଙ୍ଘାତିକ କାଣ୍ଡ, ପ୍ରେମିକାକୁ ହାଣିଦେଲା ପ୍ରେମିକ
6/03/2021 at 9:20 AM

ଭୁବନେଶ୍ୱର,୦୬/୦୩ : ବିଫଳ ପ୍ରେମିକର ଜଘନ୍ୟ କାଣ୍ଡ । ପ୍ରେମିକାକୁ ହାଣି କଲା ହତ୍ୟା ଉଦ୍ୟମ । ଏହି ଘଟଣାରେ ପ୍ରେମିକକୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ । ଗିରଫ ଯୁବକ ହେଲେ ନାମ ପବିତ୍ର ମୋହନ ମହନ୍ତ(୨୨) । ତାଙ୍କ ଘର କେନ୍ଦୁଝରପାଟଣା । ସେ ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ତାରିଣୀ ବସ୍ତିରେ ରହୁଥିଲେ ।
ପୋଲିସର ସୂଚନା ଅନୁଯାୟୀ, ପୋଖରୀପୁଟରେ ଥିବା ଏକ ବେକରି ଦୋକାନରେ ଜଣେ ଯୁବତୀ କାମ କରୁଥିଲେ। ଉକ୍ତ ଯୁବତୀଙ୍କ ସହ ପବିତ୍ରଙ୍କର ପ୍ରେମ ସଂପର୍କ ଥିଲା । ତେବେ ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ପବିତ୍ରଙ୍କ ସହ ସଂପର୍କ ତୁଟାଇ ଦେଇଥିଲେ । କିନ୍ତୁ ପବିତ୍ର ତାଙ୍କ ପଛରେ ପଡ଼ିଥିଲେ । ଯୁବତୀ କିନ୍ତୁ ପବିତ୍ରଙ୍କ ଠାରୁ ଦୁରେଇ ରହୁଥିଲେ ।
ଗତ ୧୬ ତାରିଖ ଅପରାହ୍ଣରେ ବେକରି ଦୋକାନରେ ଯୁବତୀ ଜଣଙ୍କ ଏକୁଟିଆ ଥିଲେ । ପବିତ୍ର ଏକ ଧାରୁଆ ଅସ୍ତ୍ର ନେଇ ଦୋକାନରେ ପଶି ଯୁବତୀଙ୍କୁ ଗାଳିଗୁଲଜ କରି ଅସ୍ତ୍ରରେ ତାଙ୍କ ମୁଣ୍ଡ ଓ ବେକକୁ ଚୋଟ ପକାଇଥିଲେ । ଦୋକାନରେ ବ୍ୟାପକ ଭଙ୍ଗାରୁଜା କରି ପଳାଇଥିଲେ ।
ଗୁରୁତର ଅବସ୍ଥାରେ ଅନ୍ୟ ଦୋକାନୀମାନେ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରୁ ସୁସ୍ଥ ହୋଇ ଯୁବତୀ ଫେରିବା ପରେ ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ପବିତ୍ରଙ୍କୁ ଗିରଫ କରିଛି ।