ପ୍ରେମ ନିବେଦନ ଗ୍ରହଣ କଲେନି ଯୁବତୀ, ଅଲଗା ଜାଗାରେ ହେଲା ବାହାଘର : ଫଟୋ ଏଡିଟ୍ କରି ଭାଇରାଲ୍ କରିଦେଲା ପ୍ରେମିକ

Published By : Prameya-News7 Bureau | June 19, 2021 IST

ଭୁବନେଶ୍ୱର,୧୯/୦୬: ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ ଏବଂ ପରେ ବିଫଳ ହେବାରୁ ଅଶ୍ଲୀଳ ଫଟୋ ଫେସବୁକ୍‌ରେ ଭାଇରାଲ ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କଟକ ଯୋବ୍ରା ଅଞ୍ଚଳର ବାପୁ ବେଉନ(୩୬) ।

ସୂଚନା ଅନୁସାରେ ମଞ୍ଚେଶ୍ୱର ଥାନା ଅଞ୍ଚଳର ଜଣେ ଯୁବତୀ କଟକରେ ଏକ ଘରୋଇ କଲେଜରେ ପଢୁଥିବା ବେଳେ ସଂପୃକ୍ତ ଯୁବକ ତାଙ୍କୁ ଦେଖିଥିଲେ। ପରେ ତାଙ୍କୁ ସେଠାରେ ବାରମ୍ବାର ପିଛା କରିବା ସହ ପ୍ରେମ ନିବେଦନ କରି ଆସୁଥିଲେ । ଏନେଇ ଛାତ୍ରୀ ଜଣଙ୍କ ମନା କରିବାରୁ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେବା ପାଇଁ ଧମକ ଦେଇଥିଲେ । ଶେଷରେ ପରିବାର ଲୋକେ ବାଧ୍ୟ ହୋଇ କଟକ ଛାଡି ଭୁବନେଶ୍ୱରରେ ଆଶ୍ରୟ ନେଇଥିଲେ । ପରେ ସଂପୃକ୍ତ ଅଭିଯୁକ୍ତ ବାପୁ ପିଛା କରି ମଞ୍ଚେଶ୍ୱରରେ ଆସି ମଧ୍ୟ ଧମକ ଦେଇଥିଲେ । ଗତ କିଛି ଦିନ ତଳେ ଯୁବତୀଙ୍କ ଅନ୍ୟତ୍ର ବିବାହ ହୋଇଥିଲା । ଏହି ରାଗ ରଖି ବାପୁ ଯୁବତୀଙ୍କ ଫଟୋ ସଂଗ୍ରହ କରିବା ସହ ଆପ୍‌ ମାଧ୍ୟମରେ ଫଟୋ ଅଶ୍ଲୀଳ କରି ଫେସବୁକ୍‌ରେ ଭାଇରାଲ କରିଥିଲେ ।

ଏନେଇ ଯୁବତୀଙ୍କ ବାପା ଜାଣିବା ପରେ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମଞ୍ଚେଶ୍ୱର ଥାନା ପୁଲିସର ଏକ ଟିମ୍‌ ଆଜି କଟକ ଯୋବ୍ରା ଅଞ୍ଚଳରେ ଚଢଉ କରିବା ସହ ସଂପୃକ୍ତ ଅଭିଯୁକ୍ତ ବାପୁକୁ ଗିରଫ କରିଛି । ପୁଲିସ ତା ବିରୋଧରେ ଆଇପିସିର ଧାରା ୪୨୦,୨୯୪,୫୦୬, ୬୬ ଆଇଟି ଆକ୍ଟରେ ମାମଲା ରୁଜୁ କରିଛି । ଆଜି ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.