'ତୁମ ଭାଉଜ ମୋ ସ୍ତ୍ରୀ' : ପ୍ରେମିକାର ନଣନ୍ଦକୁ ଅନ୍ତରଙ୍ଗ ଭିଡିଓ ପଠାଇଲା ପ୍ରେମିକ, କହିଲା- 'ଆମ ଭିତରେ ଶାରୀରିକ ସମ୍ପର୍କ ରହିଛି'

Published By : Prameya-News7 Bureau | May 09, 2021 IST

ଚନ୍ଦ୍ରଶେଖରପୁର, ୦୯/୦୫: ପ୍ରଥମେ ହୃଦୟ ଦେଇ ପ୍ରେମ କଲା । ପ୍ରେମିକାର ଅଜାଣତରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରିନେଲା । ଏବେ ପ୍ରେମିକା ଅନ୍ୟ କେଉଁଠି ବିବାହ କରିବାରୁ ରାଗରେ ସେ ଭିଡିଓ ସବୁକୁ ଭାଇରାଲ କରିଦେଲା । ବିବାହ ପୂର୍ବରୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ପ୍ରେମିକାର ନଣନ୍ଦଙ୍କୁ ପଠାଇଦେଲା ପ୍ରେମିକ। ଏ ବିଷୟରେ ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଛି ପ୍ରେମିକା । ଏନେଇ ପ୍ରେମିକ ନାମରେ ଲିଙ୍ଗରାଜ ଥାନାରେ ଏତଲା ଦେଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି । ପୁଲିସ ସମ୍ପୃକ୍ତ ପ୍ରେମିକକୁ ଧରିବାକୁ ଯିବାବେଳେ ସେ ଫେରାର୍‌ ହୋଇଯାଇଛି। ଯୁବତୀଙ୍କ ବାହାଘର ରବିବାର ହେବାକୁ ଥିବାବେଳେ ପ୍ରେମିକର ଏଭଳି କାଣ୍ଡ ପାଇଁ ବାହାଘର ବନ୍ଦ ହେବାକୁ ଯାଉଛି ।

ସୂଚନା ଅନୁଯାୟୀ, ନିଆଳିର ରମାକାନ୍ତ ଖୁଣ୍ଟିଆ ନାମକ ଜଣେ ଯୁବକ ଏହି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଗତ ୫ବର୍ଷ ହେବ ଦୁହେଁ ଦୁହିଁକୁ ପ୍ରେମ କରି ଆସୁଥିଲେ । ପରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । ହେଲେ କୌଣସି କାରଣରୁ ୬ମାସ ତଳେ ବାହାଘର ଭାଙ୍ଗିଯାଇଥିଲା । ଏହା ପରେ ବି ରମାକାନ୍ତଙ୍କ ସହ ସଂପର୍କ ରଖିଥିଲେ ଯୁବତୀ ଜଣଙ୍କ । ଏକଥା ଜାଣିବା ପରେ ଯୁବତୀଙ୍କ ପରିବାର ଲୋକ ଅନ୍ୟ ସ୍ଥାନରେ ବିବାହ ଠିକ୍‌ କରିଥିଲେ । ଯାହାକୁ ସହ୍ୟ କରି ପାରିନଥିଲେ ରମାକାନ୍ତ । ରମାକାନ୍ତ ସମ୍ପୃୃକ୍ତ ଯୁବତୀଙ୍କ ନଣନ୍ଦ ସହ ଯୋଗାଯୋଗ କରିଥିଲେ । ତୁମ ଭାଉଜକୁ ମୁଁ ଭଲ ପାଏ । ଆମର ନିର୍ବନ୍ଧ ବି ସରିଛି । ସେ ମୋ ସ୍ତ୍ରୀ, ତାର ମୋର ଶାରୀରିକ ସମ୍ପର୍କ ରହିଛି ବୋଲି ରମାକାନ୍ତ ଦାବି କରିଥିଲେ । ହେଲେ ଏଥିରେ ଯୁବତୀଙ୍କ ଭାବିନଣନ୍ଦ ପ୍ରଥମେ ବିଶ୍ୱାସ କରିନଥିଲେ । ତୁମ ପାଖରେ କଣ ପ୍ରମାଣ ଅଛି ବୋଲି ରମାକାନ୍ତଙ୍କୁ ମାଗିଥିଲେ । ରମାକାନ୍ତ ତାଙ୍କୁ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସେୟାର କରିଥିଲେ । ଏହା ଦେଖିବା ପରେ ବିବାହ ଲାଗିଥିବା ଝିଅକୁ ଫୋନ୍‌ କରି ଜଣାଇଥିଲେ ତାଙ୍କ ନଣନ୍ଦ । ଯୁବତୀ ରମାକାନ୍ତକୁ ଫୋନ୍‌ କରିଥିଲେ । ହେଲେ ତା ନମ୍ବର ସ୍ୱିଚ୍‌ଅଫ୍‌ ଥିଲା । ପରେ ଯୁବତୀ ଜଣଙ୍କ ରମାକାନ୍ତଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.