ଆମ୍ବୁଲାନ୍ସ ନ ଆସିବାରୁ ୨ କି:ମି:ଖଟିଆରେ ବୁହା ହେଲେ ଗର୍ଭବତୀ ; ବାଟରେ ଗର୍ଭସ୍ଥ ଶିଶୁର ମୃତ୍ୟୁ
2/09/2018 at 12:15 PM

ମାଲକାନଗିରି ୨/୯ : ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର କରୁଣ ଚିତ୍ର । ରାସ୍ତା ଖରାପ ଯୋଗୁଁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ | ଫଳରେ ଖଟିଆରେ ବୁହାହେଲେ ଗର୍ଭବତି ମହିଳା । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପାପରମେଟଲା ପଞ୍ଚାୟତ ଅନ୍ତର୍ଗତ ବିଦରପାଖନା ଗାଁର ଭାଗମତି ଖରା ନାମକ ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ହେଲେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ଯାଇ ପାରିବ ନାହିଁ ବୋଲି କହିବା ପରେ ଗାଁ ଲୋକେ ଖଟିଆରେ ଭାର କରି ୨ କିଲୋମିଟର ରାସ୍ତା ଚାଲି ଚାଲି ଆସି ତୋଟାଗୁଡା ଠାରେ ପଞ୍ଚିଥିଲେ । ସେଠାରୁ ଏକ ଜିପ ଭଡା କରି ଆସୁଥିବା ସମୟରେ ଜିପଟି ଅଧା ରାସ୍ତାରେ ଖରାପ ହୋଇଯାଇଥିଲା । ଆଉ ସେଠାରେ ମହିଳା ଜଣକ ଅଧା ପ୍ରସବ କରିଥିଲେ । ପରେ ଗୁରୁତର ମହିଳାଙ୍କୁ ଜାନବାଇ କ୍ୟାମ୍ପର ବିଏସଏଫ ଜବାନ ମାନେ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନେଇଥିଲେ ହେଲେ ସେଠାରେ ପହଞ୍ଚିଲା ବେଳକୁ ଶିଶୁର ମୃତ୍ୟୁ ହୋଇ ସାରିଥିଲା ଓ ମାଆଙ୍କ ଅବସ୍ତା ସଂକଟାପନ୍ନ ହେବାରୁ ତାଙ୍କୁ ପୁଣି ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ପଠାଯାଇଛି ।