ପୁଣି ଭାରରେ ବୁହା ହେଲେ ଗର୍ଭବତୀ

Published By : Prameya-News7 Bureau | August 12, 2018 IST

ମାଲକାନଗିରି ୧୨/୮ : ପୁଣି ଭାରରେ ବୁହା ହେଲେ ଗର୍ଭବତୀ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦେହ ସୁହା ହୋଇଗଲାଣି ଏମିତି ଦୃଶ୍ୟ । ରାସ୍ତା ଖରାପ ଯୋଗୁଁ ୧୦୨ ଆମ୍ବୁଲାନ୍ସ ଆସି ନପାରିବାରୁ ବାଧ୍ୟ ହୋଇ ଭାରରେ ଡାକ୍ତରଖାନା ନେଉଛନ୍ତି ପରିବାର ଲୋକେ । କୋରୁକୋଣ୍ଡା ବ୍ଲକ ଡୁଡେଲଗୁଡ଼ା ଗାଁର ପାର୍ବତୀ ଖିଲ, ପ୍ରସବ ଯନ୍ତ୍ରଣାରେ ଛଟ ପଟ ହେଉଥିଲେ । ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଖବର ଦେଲେ । ହେଲେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସଟି କୈଲିଗୁଡା ଗାଁ ନିକଟରେ କାଦୁଅରେ ଅଟକି ଗଲା । ଯେଉଁଥି ପାଇଁ ମହିଳାଙ୍କୁ ଭାରରେ ୩ କିଲୋମିଟର ଆଣିଲେ ପରିବାର ଲୋକେ । କୈଲିଗୁଡା ଗାଁରେ ପହଞ୍ଚିବା ପରେ ସେଠାରୁ ଆମ୍ବୁଲାନ୍ସରେ କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । କେବଳ ମାଲକାନଗିରି ନୁହେଁ, ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରବଣ ଅଞ୍ଚଳରେ ମଧ୍ୟ ସମାନ ଦୃଶ୍ୟ । କୋଣ୍ଡାଗାଓଁ ହାଡଲେ ଗାଁରେ ଥିବା ଆଇଟିବିପି ଯବାନମାନେ ହରିଜନପଡ଼ା ଜଙ୍ଗଲକୁ ଅପରେସନରେ ଯାଉଥିବା ବେଳେ ରୁକମଣି ନାମକ ଜଣେ ଆଦିବାସୀ ମହିଳା ଗର୍ଭକଷ୍ଟରେ ଛଟପଟ ହେଉଥିଲେ । ତୁରନ୍ତ ଯବାନମାନେ କାଦୁଅ ପଚ ପଚ ରାସ୍ତାରେ ଭାର କରି ତାଙ୍କୁ ୭ କିଲୋମିଟର ଦୂର ସେମାନଙ୍କ କ୍ୟାମ୍ପକୁ ଆଣିଥିଲେ । ସେଠାରେ ଥିବା ଡାକ୍ତର ମହିଳାଙ୍କର ପ୍ରସବ କରାଇଲେ । କିନ୍ତୁ ପ୍ରସୂତିଙ୍କ ଅବସ୍ଥା ଗୁରୁତର ହେବାରୁ ପୁଣି ତାଙ୍କୁ ଯବାନମାନେ ସେମାନଙ୍କ ଆମ୍ବୁଲାନ୍ସରେ କୋଣ୍ଡାଗାଓଁ ମେଡିକାଲ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.