ଗାଁକୁ ନାହିଁ ରାସ୍ତା, ଯାଇପାରିଲାନି ଆମ୍ବୁଲାନ୍ସ : ଖଟିଆରେ ବୁହାହେଲେ ପ୍ରସୂତୀ
19/01/2021 at 4:53 PM

ଉଦଳା ୧୯।୧: ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ରାସ୍ତା ନ ଥିବାରୁ ଖଟିଆରେ ବୁହାହେଲେ ପ୍ରସୂତୀ । ଏଭଳି ଅଭାବନୀୟ ଘଟଣା ଘଟିଛି କପ୍ତିପଦା ବ୍ଲକ୍ ଅନ୍ତର୍ଗତ ନାକଛିଣ୍ଡା ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ନାକଛିଣ୍ଡା ଗ୍ରାମର ଗୌର ସାମାଡଙ୍କ ସ୍ତ୍ରୀ ରାଧିକା ସାମାଡଙ୍କର ଗର୍ଭ ଯନ୍ତ୍ରଣା ହେବା ସହିତ ଶରୀର ଅସୁସ୍ଥ ହୋଇ ପଡିଥିଲା । ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାରଲୋକେ । ତେବେ ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମଠାରୁ ୧ କିଲୋମିଟର ଦୂରରେ ଆସି ଆମ୍ବୁଲାନ୍ସ ଛିଡା ହୋଇଥିଲା । ପରେ ପରିବାର ଲୋକଙ୍କ ସହିତ ଗ୍ରାମବାସୀ ଏବଂ ୧୦୨ କର୍ମଚାରୀ ମିଶି ଖଟିଆରେ ଗର୍ଭବତୀଙ୍କୁ ବୋହି ଆମ୍ବୁଲାନ୍ସ ପର୍ଯୟନ୍ତ ଆଣିଥିଲେ । ଏହାପରେ ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ଆଣି ଉଦଳା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଏବେ ଗର୍ଭବତୀଙ୍କ ଅବସ୍ଥାରେ ସୁଧାର ଆସି ନ ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରି ନଥିଲା ବୋଲି ଗର୍ଭବତୀଙ୍କ ପରିବାର ଲୋକେ କହିଛନ୍ତି ।