୯ ମାସର ଗର୍ଭବତୀ ଥାଇ ରୋଗୀଙ୍କ ଚିକିତ୍ସା କରୁଥିଲେ ନର୍ସ, କନ୍ୟା ସନ୍ତାନ ଜନ୍ମ ପରେ କରୋନାରେ ଚାଲିଗଲା ଜୀବନ

Published By : Prameya-News7 Bureau | May 26, 2021 IST

ରାଇପୁର ୨୬/୫: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଲୋକେ ଚିନ୍ତାରେ ରହିଛନ୍ତି। କରୋନାର ପ୍ରଥମ ଏବଂ ଦ୍ବିତୀୟ ଲହର ପରେ ତୃତୀୟ ଲହରକୁ ନେଇ ଭୟ ରହିଛି। ସଙ୍କଟ ସମୟରେ କିଛି ଲୋକ ରୋଗୀଙ୍କ ପାଇଁ ଦେବଦୂତ ହୋଇ ଛିଡ଼ା ହେଉଛନ୍ତି। ସେମାନେ ନିଜ ଘର ପରିବାର ଛାଡ଼ି ଦିନରାତି ରୋଗୀଙ୍କ ସେବା କରୁଛନ୍ତି ଏବଂ ନଜି ଜୀବନକୁ ବାଜି ଲଗାଉଛନ୍ତି। ଏମିତି ଏକ ମାମଲା ଛତିଶଗଡ଼ର କବୀରଧାମ ଜିଲ୍ଲାର ଲିମୋ ଗାଁରୁ ସାମ୍ନାକୁ ଆସିଛି।

ଏଠାରେ ଏକ ନର୍ସ ପରିବାରକୁ ଛାଡ଼ି କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ। ୯ ମାସର ଗର୍ଭବତୀ ଥିବା ବେଳେ ସେ ରୋଗୀଙ୍କ ପାଖରୁ ହଟିନଥିଲେ। ପ୍ରସବ ଯନ୍ତ୍ରଣା ପରେ ହସ୍ପିଟାଲରେ ସେ ଜଣେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । କିନ୍ତୁ ଝିଅକୁ ଜନ୍ମ ଦେବା ପରେ ନର୍ସଜଙ୍କ ଜୀବନ ଯାଇଛି । ମିଳିଥିବା ସୂଚନା ଅନୁସାରେ ମୃତ ନର୍ସ ପ୍ରଭା ଖୈରାବାରର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ୯ ମାସର ଗର୍ଭବତୀ ହେବା ପରେ ବି ସେ ସଂକ୍ରମିତଙ୍କୁ ଚିକିତ୍ସା କରୁଥିଲେ। କୋଭିଡ୍‌ ରୋଗୀଙ୍କ ସେବା କରୁଥିବା ବେଳେ ପ୍ରଭା ନିଜ ଗାଁରେ ଭଡ଼ା ନେଇ ଏକ ଘରେ ଏକା ରହୁଥିଲେ।। ସେଠାରୁ ସେ ହସ୍ପିଟାଲ ଯା ଆସ କରୁଥିଲେ।

ତାଙ୍କ ସ୍ବାମୀ ଭେଜରାଜଙ୍କ ଅନୁସାରେ ପ୍ରଭାଙ୍କୁ ୩୦ ଏପ୍ରିଲ୍‌ରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରେସନ୍‌ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ହସ୍ପିଟାଲରୁ ଡିସଚାର୍ଜ ହେବା ପୂର୍ବରୁ ଏବଂ ପରେ ତାଙ୍କୁ ଲଗାତାର ଜ୍ବର ଆସୁଥିଲା ଏବଂ କାଶ ମଧ୍ୟ ହେଉଥିଲା। ଆଣ୍ଟିଜେନ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅକ୍ସିଜେନ୍‌ ସ୍ତର କମିବା ପରେ ତାଙ୍କୁ ରାଇପୁର ରେଫର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୨୧ ମେ ରାତିରେ ପ୍ରଭାଙ୍କ ମୃତ୍ୟୁ ହୋଇଥିଲା। ଭେଜରାଜ ତାଙ୍କୁ ବହୁବାର ଛୁଟି ନେବାକୁ କହିଥିଲେ କିନ୍ତୁ ଗର୍ଭବତୀ ଅବସ୍ଥାରେ କର୍ତ୍ତବ୍ୟରୁ ପଛକୁ ହଟିନଥିଲେ ପ୍ରଭା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.