ପହଞ୍ଚି ପାରିଲାନି ଆମ୍ବୁଲାନ୍ସ : ଖଟିଆରେ ବୁହାହୋଇ ଯାଉଥିବା ବେଳେ ପ୍ରସୂତୀ ଜନ୍ମକଲେ ଛୁଆ, ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା

Published By : Prameya-News7 Bureau | August 27, 2018 IST

ଭୁବନେଶ୍ବର ୨୭|୮: ଆମ୍ବୁଲାନ୍ସ ନପାଇ ମା ଛଟପଟ । ଗାଁରେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ପ୍ରସୂତି ଯାଇପାରିଲେନି ହସ୍ପିଟାଲ୍ । ଖଟିଆରେ ଟେକି ନିଆଯାଉଥିବା ବେଳେ ପିଲା ଜନ୍ମ କଲେ ମହିଳା । କେନ୍ଦୁଝର ଆନନ୍ଦପୁର ଅବଣି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସେପଟେ ବରଗଡ ପଦ୍ମପୁର ଟିଠେଇଡୁଙ୍ଗରୀ ଗାଁରେ ଖଟିଆରେ ବୁହା ହୋଇ ହସ୍ପିଟାଲ ଯାଇଛନ୍ତି ଜଣେ ଗୁରୁତର ରୋଗୀ । ଖଟିଆରେ ବୁହାହୋଇ ହସ୍ପିଟାଲ ଗଲାବେଳେ ପିଲା ଜନ୍ମ କଲେ ମହିଳା । ଏଭଳି ଲଜ୍ଜିତ ଘଟଣା ନଜରକୁ ଆସିଛି କେନ୍ଦୁଝର ଆନନ୍ଦପୁର ଅବଣି ଗାଁରେ । ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ । ହେଲେ ଗାଁ ରାସ୍ତା ଖରାପ ଯୋଗୁଁ ଗାଁ ଭିତରକୁ ଯାଇପାରିନଥିଲା ଆମ୍ବୁଲାନ୍ସ। ତେଣୁ ୧ କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଉଥିବାବେଳେ ଖଟିଆରେ ହିଁ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ମହିଳା। ପରେ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା । ସ୍ବତନ୍ତ୍ର ଡାକ୍ତରୀ ଦଳ ପଠାଇ ମହିଳାଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଗାଁର ଜାନ ହୋ ନାମକ ମହିଳାଙ୍କ ଦେହ ଖରାପ ହେବାରୁ ତାଙ୍କୁ ମଧ୍ୟ ଖଟିଆରେ ବୁହାଯାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା । ସେପଟେ ବରଗଡ଼ ପଦ୍ମପୁର ଟିଠେଇଡୁଙ୍ଗରୀ ଗାଁରେ ବି ଦେଖିବାକୁ ମିଳିଛି ସମାନ ଅବସ୍ଥା । ଗାଁର ରେବତୀ ବଢେଇ ଝାଡାବାନ୍ତିରେ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ରାସ୍ତ ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ତେଣୁ ଗାଁ ଲୋକେ ବର୍ଷାରେ ଭିଜିଭିଜି ରେବତୀଙ୍କୁ ଖଟରେ ବୋହି ପାଖାପାଖି ଦେଢ କିଲୋମିଟର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । କେଉଁଠି ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ ତ ଆଉ କେଉଁଠି ଆମ୍ବୁଲାନ୍ସ ଆସୁନାହିଁ । ତେଣୁ ରାଜ୍ୟରେ ଦିନକୁ ଦିନ ଖଟିଆ ଆମ୍ବୁଲାନ୍ସ ଘଟଣା ବଢିବଢି ଚାଲିଛି । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ।୧୮ ବର୍ଷ ଶାସନରେ ରହିବା ପରେ ରାସ୍ତା ତିଆରି କରିବା ଦାୟିତ୍ବ କାହାର ବୋଲି ପ୍ରଶ୍ନ କରିଛି ବିଜେପି । ଯାହାର ଜବାବ ରଖିଛି ବିଜେଡି । ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଗୁରୁତର ରୋଗୀ ଏବଂ ପ୍ରସୂତିଙ୍କୁ କେତେବେଳେ ସାଇକେଲଯୋଗେ ତ ଆଉ କେତେବେଳେ ବାଇକ ପଛରେ ଆଉ କେତେବେଳେ ଖଟିଆରେ ବସାଇ ନିଆଯାଉଥିବା ଦୃଶ୍ୟ ବିକାଶ ଚିତ୍ରକୁ ପଦାରେ ପକାଇଛି। ପାଖାପାଖି ହଜାରେ ଗାଁ ଏଭଳି ଅଛି ଯେଉଁଠି ନା ସରକାରଙ୍କ ବିକାଶ ପହଞ୍ଚି ପାରିଛି ନା ମୌଳିକ ସୁବିଧା । ତଥାପି ପ୍ରଶାସନର ନିଦ ଭାଙ୍ଗୁଛି ନା ଲୋକ ପ୍ରତିନିଧିଙ୍କର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.