ବାତ୍ୟା ଆସୁଛି : କିପରି ସାମ୍ନା କରିବେ, ନିଜେ ଓ ପରିବାର ନିରାପଦ ତଥା ସୁରକ୍ଷିତ ରହିବାକୁ କ’ଣ କ’ଣ ପଦକ୍ଷେପ ନେବେ…

Published By : Prameya-News7 Bureau | May 19, 2020 IST

ଭୁବନେଶ୍ବର ୧୯।୫: ସାମାନ୍ୟ ଦୁର୍ବଳ ହୋଇଛି ‘ଅମ୍ଫାନ୍’। ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ୍’ । ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ସ୍ଥଳମୁହାଁ ହେଉଛି ‘ଅମ୍ଫାନ୍’ । ପୂର୍ବ ନିର୍ଦ୍ଧାରିତ ପଥ ଉତ୍ତର- ପୂର୍ବ ଦିଗରେ ‘ଅମ୍ଫାନ୍’ ଗତି କରୁଛି । ୨୦ ତାରିଖ ସନ୍ଧ୍ୟାରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ । ବର୍ତ୍ତମାନ ବାତ୍ୟା ଅମ୍ଫାନ ପାରାଦୀପଠାରୁ ମାତ୍ର ୪୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ସ୍ଥଳଭାବ ଛୁଇଁବା ବେଳକୁ ଏହାର ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୮୫ ରହିବ ବୋଲି ଆଶଙ୍କା କରାଯାଉଛି । ଏହି ସମୟରେ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଘଟିପାରେ । ମୁଖ୍ୟତଃ ବଡ ବଡ ଗଛ, ବିଜୁଳି ଖୁଣ୍ଟ ଉପୁଡିଯାଇପାରେ । ଦୁର୍ବଳ ଘର ଭାଙ୍ଗିଯାଇପାରେ । ବାତ୍ୟା ଭୟରେ ଦୋକାନ ବଜାର ବନ୍ଦ ରହିପାରେ । ଗଛ ପଡିବା ଏବଂ ବଜୁଳି ଖୁଣ୍ଟ ଉପୁଡିଯିବା ଯୋଗୁଁ ପାଓ୍ବାର କଟ୍ ହୋଇପାରେ, ଜଳ ଯୋଗାଣ ବନ୍ଦ ରହିପାରେ । ମହାବାତ୍ୟା, ଫାଇଲିନ, ହୁଡୁହୁଡୁ, ତିତଲି, ଫନି, ବୁଲବୁଲ ଆଦି ନିକଟ ଅତୀତରେ ହୋଇଥିବା ବାତ୍ୟାର ଅନୁଭୂତି ସମସ୍ତଙ୍କର ରହିଛି ।

ତେଣୁ ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ବ୍ୟକ୍ତିଗତସ୍ତରରେ ଆମକୁ କେତୋଟି ବିଷୟରେ ସଜାଗ ହେବାକୁ ପଡିବ । ସେଗୁଡିକ ହେଲା-

୧. ଗତ ବାତ୍ୟାର ଅନୁଭୂତିକୁ ମନେପକାନ୍ତୁ । କ’ଣ କ’ଣ ଆଗୁଆ ପଦକ୍ଷେପ ନେଇଥିଲେ କେତେକ ଅସୁବିଧାକୁ ଟାଳି ହୋଇଥାନ୍ତା ବୋଲି ସେତେବେଳେ ଆପଣଙ୍କ ମନକୁ ଆସିଥିଲା ତାକୁ ମନେପକାନ୍ତୁ ଏବଂ ଏବେ ତାହା ଆଗୁଆ କରିବା ପାଇଁ ଚେଷ୍ଟା କରନ୍ତୁ ।

୨. ଦୁର୍ବଳ ଘରେ ରହୁଥିଲେ ସୁରକ୍ଷିତ ସ୍ଥାନ ବା ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯାଆନ୍ତୁ ।

୩. ପରିବାରର ସମସ୍ତେ ଏକାଠି ରହିବା ପାଇଁ ଚେଷ୍ଟା କରନ୍ତୁ ।

୪. ଅତି ଜରୁରୀ ନଥିଲେ ଦୂରସ୍ଥାନକୁ ଯାତ୍ରା କରନ୍ତୁନାହିଁ ।

୫. ପାଓ୍ବାର କଟ୍ ହେବାର ସମ୍ଭାବନା ଥିବାରୁ ଘରେ ମହମବତୀ, କିରୋସିନି ମହଜୁଦ ରଖନ୍ତୁ । ଚାର୍ଜର ଲାଇଟ୍ ଥିଲେ ଫୁଲ୍ ଚାର୍ଜ କରି କରନ୍ତୁ । ମୋବାଇଲକୁ ମଧ୍ୟ ଫୁଲ୍ ଚାର୍ଜ କରି ରଖନ୍ତୁ ।

୬. ଜରୁରୀ ଔଷଧ, ଶୁଖିଲା ଖାଦ୍ୟ ଏବଂ ଦିନେ ଦୁଇ ଦିନ ପାଇଁ ରାସନ କିଣି ପାଖରେ ମହଜୁଦ ରଖନ୍ତୁ ।

୭. ବନ୍ୟା ଓ ବାତ୍ୟା ସମୟରେ ବିଷଧର ସରୀସୃପ ବାହାରକୁ ବାହାରିଥାନ୍ତି ଓ ଘର ଭିତରକୁ ମଧ୍ୟ ପଶି ଯାଇପାରନ୍ତି ସେଥିପାଇଁ ସତର୍କ ରୁହନ୍ତୁ ।

୮. ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଉପଦେଶକୁ ମାନନ୍ତୁ । ଜରୁରୀକାଳୀନ ଟେଲିଫୋନ ନମ୍ବର ପାଖରେ ରଖନ୍ତୁ । ନିୟମିତ ବାତ୍ୟା ସଂପର୍କୀତ ଅପଡେଟ୍ ଖବର ରଖିବାକୁ ଚେଷ୍ଟା କରନ୍ତୁ ।

୯. ଗୃହପାଳିତ ପଶୁମାନଙ୍କୁ ଗୁହାଳରେ ନବାନ୍ଧି ନିରାପଦ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ ଓ ଦିନେ ଦୁଇ ଦିନ ପାଇଁ ସେମାନଙ୍କ ଲାଗି ଖାଦ୍ୟ ମହଜୁଦ ରଖନ୍ତୁ ।

୧୦. ପ୍ରଚୁର ପରିମାଣର ବିଶୁଦ୍ଧ ପାନୀୟଜଳ ମଧ୍ୟ ଘରେ ମହଜୁଦ ରଖନ୍ତୁ ।

୧୧. ଘରେ ପାଣି ପଶିବାର ସମ୍ଭାବନା ଥିଲେ ଜରୁରୀ କାଗଜପତ୍ର ଏବଂ ଟଙ୍କାପଇସା ଜରିରେ ଭର୍ତ୍ତି କରି ଉଚ୍ଚସ୍ଥାନରେ ରଖନ୍ତୁ । ଏଟିଏମରୁ କିଛି ନଗଦ ଟଙ୍କା ବାହାର କରି ନିଜ ପାଖରେ ରଖନ୍ତୁ ।

୧୨. ଗାଡି ମଟର ଥିଲେ ସେଥିରେ ପେଟ୍ରୋଲ, ଡିଜେଲ ଭର୍ତ୍ତି କରି ରଖନ୍ତୁ । ଆବଶ୍ୟକତା ଦୃଷ୍ଟିରୁ ଯାତାୟତ କରୁଥିବା ବେଳେ ଜୋରରେ ପବନ ବହିଲେ ଗଛ ବା ଖୁଣ୍ଟଠାରୁ ଦୂରକୁ ପଳାନ୍ତୁ ।

୧୩. ସାହିପଡିଶାଙ୍କ ସହ ଯୋଗାଯୋଗରେ ରୁହନ୍ତୁ । ଏହି ସମୟରେ ଗୁଜବ ଉଠିବାର ଆଶଙ୍କା ରହିଥାଏ ତେଣୁ ଗୁଜବକୁ ବିଶ୍ବାସ କରନ୍ତୁନାହିଁ । କେବଳ ସରକାରୀ ଘୋଷଣାକୁ ଗୁରୁତ୍ବ ଦିଅନ୍ତୁ ।

୧୪. କୌଣସି କଥାରେ ବିଶେଷ ଭୟଭୀତ ନହୋଇ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରନ୍ତୁ ।

୧୫. ବାତ୍ୟା ଦେଖିବା ପାଇଁ ଉତ୍ସୁକ ହୋଇ ସମୁଦ୍ରକୂଳକୁ ଯାଆନ୍ତୁନାହିଁ । ପବନର ବେଗ ବଢିଲେ ଘରର ଝରକା କବାଟ ଭଲଭାବେ ବନ୍ଦ କରି ରଖନ୍ତୁ । ଘରକୁ ଲାଗି ଦୁର୍ବଳ ଗଛ ଥିଲେ ତାହା ଯେମିତି ଭାଙ୍ଗି ନଯାଏ ସେଥିପ୍ରତି ସଜାଗ ରୁହନ୍ତୁ । ଗଛକୁ ଶକ୍ତ ଦଉଡିରେ ଚାରିପଟୁ ବାନ୍ଧି ରଖନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.