ଦୀପାବଳୀରେ ବାଣ ଫୁଟାଇଲେ ହୋଇଥାଏ ଏହି ସବୁ କ୍ଷତି : ପୋଡ଼ିଗଲେ କରିବେ ଏହିପରି ପ୍ରାଥମିକ ଚିକିତ୍ସା

Published By : Prameya-News7 Bureau | November 07, 2018 IST

ଭୁବନେଶ୍ବର ୭/୧୧: ଦୀପାବଳୀ ହେଉଛି ଖୁସିର ପର୍ବ। କିନ୍ତୁ ଟିକେ ଅନ୍ୟମନସ୍କ ହେଲେ ଦୁର୍ଘଟଣା ଘଟିପାରେ। ଖୁସିର ପର୍ବ ଦୀପାବଳିରେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ  ମିଶି ବାଣ ଫୁଟାଇଥାନ୍ତି। ଫୁଲଝରି ,ଅନାର,ରକେଟର ଆଲୁଅ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇଥାଏ। ବାଣର ଧୂଆଁରେ ଶ୍ସାସ ରୋଗ ଏବଂ ବାଣର ଜୋର ଶବ୍ଦରେ ହୃଦ ରୋଗୀଙ୍କ ସମସ୍ୟା ହୋଇଥାଏ। ଏଥିପାଇଁ ବାଣ ଫୁଟାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ବାଣ ଫୁଟାଇବା ଦ୍ବାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ। ଅତ୍ୟଧିକ ଧୂଆଁ ପାଇଁ ଫୁସଫୁସ ରୋଗୀ ଏବଂ ଶ୍ବାସ ରୋଗୀମାନେ କଷ୍ଟ ପାଇଥାନ୍ତି। ଶ୍ବାସରୋଗୀମାନେ ପାଖରେ ଇହ୍ଲେଲର ରଖନ୍ତୁ ଏବଂ ଯଦି ସମ୍ଭବ ମାସ୍କ ଲଗାନ୍ତୁ। ଶବ୍ଦ ପ୍ରଦୂଷଣ କରୁଥିବା ବାଣ ଫୁଟାନ୍ତୁ ନାହିଁ। ୯୦-୧୧୫ ଡେସିବଲ୍ ତୀବ୍ରତାରେ ବାଣ ଫୁଟିଲେ ଏହା ସହିହେବ। ୧୪୦ଡେସିବଲ ତୀବ୍ରତା କିମ୍ବା ଏହାଠାରୁ ଅଧିକ ତୀବ୍ରତା ବିଶିଷ୍ଟ ଶବ୍ଦ ହେଲେ କାନର ପରଦା ଏବଂ ଏହାର ଭିତର ଅଂଶ ଫାଟିଯିବ। ଜୋର ଶବ୍ଦ କରୁଥିବା ବାଣ ଫୁଟିସାରିଲେ କିଛି ସମୟ ସୁ ସୁ ଶବ୍ଦ ହୋଇଥାଏ। କିଛି ସମୟ ପରେ ଠିକ୍ ନହେଲେ ଇଏନଟି ବିଶେଷଜ୍ଞଙ୍କୁ ଦେଖାନ୍ତୁ। ବାଣର ଧୂଆଁ ଦ୍ବାରା ନାକ ଏବଂ ଗଳାରେ ସମସ୍ୟା ଦେଖାଯାଇଥାଏ। ଛୋଟଛୁଆମାନଙ୍କୁ ବାଣ ଫୁଟାଇବାକୁ ଏକୁଟିଆ ଛାଡ଼ନ୍ତୁ ନାହିଁ। ଛୋଟପିଲାଙ୍କୁ କେବଳ ଆଲୋକିତ ହେଉଥିବା ବାଣ ଫୁଟାଇବାକୁ ଦିଅନ୍ତୁ। ଶ୍ବାସରୋଗଗ୍ରସ୍ତ ପିଲାମାନଙ୍କୁ ବାଣଠାରୁ ଦୂରେଇ ରଖନ୍ତୁ। ଦୀପାବଳିରେ ଉଚ୍ଚ ରକ୍ତଚାପଥିବା ବ୍ୟକ୍ତି ଏବଂ ହୃଦରୋଗୀମାନେ ସତର୍କ ରୁହନ୍ତୁ। ବାଣର ଜୋର ଶବ୍ଦରୁ ବଞ୍ଚିବା ପାଇଁ ଘରୁ ବାହାରନ୍ତୁ ନାହିଁ। ହଠାତ୍ ଜୋର ଶବ୍ଦ ଶୁଣିବା ଦ୍ବାରା ରକ୍ତଚାପ ଅନିୟନ୍ତ୍ରିତ ହୋଇଥାଏ। ଏହା ଦ୍ବାରା ହୃଦଘାତର ସମ୍ଭାବନା ଦେଖାଯାଇଥାଏ। ବାଣ ଦୂରରୁ ଫୁଟାନ୍ତୁ। ବାଣର ନିଆଁ ଦ୍ବାରା ଆଖିର କର୍ଣ୍ଣିଆରେ କ୍ଷତ ସୃଷ୍ଟି ହୋଇଥାଏ। ଏହା ଦ୍ବାରା କର୍ଣ୍ଣିଆରେ ଘା ସୃଷ୍ଟି ହେବ ଏବଂ ଦୃଷ୍ଟିଶକ୍ତି ମଧ୍ୟ ଯାଇପାରେ। ଯଦି ବାଣ ଫୁଟାଇବାବେଳେ ଟିକେ ବାରୁଦ କିମ୍ବା ନିଆଁ ପଡ଼ିଯାଇଥାଏ ତେବେ ଥଣ୍ଡା ପାଣିରେ ୧୫ମିନିଟ ପର୍ଯ୍ୟନ୍ତ ଲଗାତାର ଧୁଅନ୍ତୁ। ଜୋର ଶବ୍ଦ କରୁଥିବା ବାଣଦ୍ବାରା ଆମ ଆଖିପିତୁଳା ମଧ୍ୟ ଫାଟିବାର ସମ୍ଭାବନା ରହିଛି। ଅନାର ଏବଂ ରକେଟ ଛାଡ଼ୁଥିବାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଯଦି ସମ୍ଭବ ତେବେ ବାଣ ଫୁଟାଇବାବେଳେ ଚଷମା ଲଗାନ୍ତୁ। -ହାତରେ ବାଣ ଫୁଟାନ୍ତୁ ନାହିଁ। -ଘର ଭିତରେ ବାଣ ଫୁଟାନ୍ତୁ ନାହିଁ। -କୈାଣସି ଜ୍ବଳନଶୀଳ ପଦାର୍ଥ ପାଖରେ କିମ୍ବା ଅଳିଆଗଦା ପାଖରେ ବାଣ ଫୁଟାନ୍ତୁ ନାହିଁ। -ଖୋଲାସ୍ଥାନରେ ବାଣ ଫୁଟାନ୍ତୁ। -ବାଣ ଫୁଟାଉଥିବା ସ୍ଥାନରେ ପାଣିବାଲଟି ରଖନ୍ତୁ। -ବାଣ ଫୁଟାଇବା ପରେ ବାଣର ଅବଶେଷ ବାଣିରେ ପକାଇଦିଅନ୍ତୁ। -ବାଣକୁ ବାକ୍ସ,ମାଠିଆ କିମ୍ବା ବୋତଲରେ ଫୁଟାନ୍ତୁ ନାହିଁ। - ବାଣ କିମ୍ବା ବମକୁ ଜାଳିକି ପକାନ୍ତୁ ନାହିଁ। -ଭିଡ଼ ଥିବା ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ। -ଜାଳିବା ପରେ ବାଣ ପାଖକୁ ଯାଆନ୍ତୁ ନାହିଁ। -ଅଧିକ ଶବ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ। ଏହାଦ୍ବାରା ଶ୍ରବଣ ଶକ୍ତିରେ ପ୍ରଭାବ ପଡ଼ିଥାଏ। -ଯଦି ଶରୀରର କୈାଣସି ଅଙ୍ଗ ଜଳିଯାଇଛି ତେବେ ଜ୍ବଳନ ନକମିବା ଯାଏଁ ଥଣ୍ଡା ପାଣିରେ ଧୁଅନ୍ତୁ। ଏହା ପରେ ଡାକ୍ତରଙ୍କୁ ଦେଖାନ୍ତୁ। -ଭୁଲରେ ମଧ୍ୟ ପୋଡ଼ିଯାଇଥିବା ସ୍ଥାନକୁ କନାରେ ଘଷନ୍ତୁ ନାହିଁ। -ଜଳିଯାଇଥିବା ସ୍ଥାନରେ କୋଲ୍ଡ କ୍ରୀମ୍ ଏବଂ ବର୍ଣ୍ଣଲ ଲଗାନ୍ତୁ। -ଘା ଯଦି ଗଭୀର ହୋଇଥାଏ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। -ଯଦି ଆଖିରେ ବାରୁଦ କିମ୍ବା ନିଆଁ ପଡ଼ିଯାଇଥାଏ ତେବେ ଭୁଲରେ ମଧ୍ୟ ନ ରଗଡ଼ି ଥଣ୍ଡା ପାଣିରେ ୧୫ମିନିଟ ପର୍ଯ୍ୟନ୍ତ ଧୁଅନ୍ତୁ। ନହେଲେ ଏହା ଦ୍ବାରା କର୍ଣ୍ଣିଆ କ୍ଷତିଗ୍ରସ୍ତ ହୋଇଥାଏ। -ଭୁଲରେ ଆଖିରେ ଗୋଲାପ ଜଳ ଲଗାନ୍ତୁ ନାହିଁ। -ଘରେ ଆଣ୍ଟିବାୟୋଟିକ୍ ଥିଲେ ଏହି ପୋଡ଼ା ଘାରେ ଲଗାନ୍ତୁ। -ଯଦି ଆଖି ନ ଖୋଲେ ତେବେ ଆଖି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.