୨୦୨୧ ବଜେଟ୍‌ରେ ଘରୋଇକରଣ ଏବଂ ବିନିର୍ମାଣକୁ ଗୁରୁତ୍ୱ ଦେବେ ସରକାର, ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ କ'ଣ କହିଲେ ଅର୍ଥନୀତିଜ୍ଞ...

Published By : Prameya-News7 Bureau | January 09, 2021 IST

ନୂଆଦିଲ୍ଲୀ,୦୯/୦୧: ଦେଶର ପ୍ରମୁଖ ଅର୍ଥନୀତିଜ୍ଞ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଶୁକ୍ରବାର ବୈଠକ ବସିଥିଲା । ଏଥିରେ ସରକାରୀ କମ୍ପାନୀଗୁଡ଼ିକୁ ଘରୋଇକରଣ ଏବଂ ବିନିର୍ମାଣ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବା ନେଇ ଆଲୋଚନା ହୋଇଛି। ଏହି କ୍ଷତ୍ରରେ ଖର୍ଚ୍ଚ ବଢ଼ାଯିବା ନେଇ ଅର୍ଥନୀତିଜ୍ଞମାନେ ମତ ରଖିଛନ୍ତି। କରୋନା ସଂଙ୍କଟ ସମୟରେ ଅର୍ଥବ୍ୟବସ୍ଥା ଖରାପ ପରିସ୍ଥିତି ଦେଇ ଗତି କରୁଛି। ଏହାକୁ ମଜ୍ବୁତ୍ କରିବା ପାଇଁ ସରକାର ୨୦୨୧-୨୦୨୨ ବଜେଟ୍ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ କିଛି ଅର୍ଥନୀତିଜ୍ଞ କହିଛନ୍ତି । 

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ରପ୍ତାନିକୁ ବଢ଼ାଇବା ଏବଂ ନିବେଶକଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସରକାର ଆଗ୍ରହୀ ହେବା ଉଚିତ୍ ବୋଲି ଅର୍ଥନୀତିଜ୍ଞ କହିଛନ୍ତି। ଏହାର କାରଣ ସବୁ କ୍ଷେତ୍ରରେ କିଛି କିଛି ପରିବର୍ତ୍ତନ କରାଯିବା ପରେ ମଧ୍ୟ ଦେଶରେ ନିବେଶ ବୃଦ୍ଧି ହେଉ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ୍ ବୈଠକରେ ଯୋଗଦେଇଥିବା ଜଣେ ଅଧିକାରୀ କହିଛନ୍ତି ଯେ ନିବେଶକଙ୍କ ମନୋବଳ ବୃଦ୍ଧି କରାଯିବା ନିହାତି ଆବଶ୍ୟକ। ସରକାର ଅନ୍ତରାଷ୍ଟ୍ରୀୟ ନୀତିରେ ପରିବର୍ତ୍ତନ କରିବା ଆବଶ୍ୟକ। କାରଣ ପୂର୍ବ ନୀତିଗୁଡ଼ିକରେ ବହୁ ସୁଧାର ଆଣିବା ପରେ ମଧ୍ୟ ନିବେଶକ ଭାରତରେ ନିବେଶ କରିବାକୁ ଆଗ୍ରହୀ ହେଉନାହାନ୍ତି। ଏଥିରେ ପରିବର୍ତ୍ତନ ସହ ସରକାରୀ ସମ୍ପତ୍ତି ଏବଂ କମ୍ପାନୀ ଗୁଡ଼ିକୁ ଘରୋଇକରଣ କରିବା ପାଇଁ ସରକାର ଅଲଗା ଏକ ମନ୍ତ୍ରଣାଳୟ ଗଠନ କରିବା ଉଚିତ୍ ବୋଲି କିଛି ଅର୍ଥନୀତିଜ୍ଞ ମତ ଦେଇଛନ୍ତି।

ନୀତି ଆୟୋଗ ଦ୍ୱାରା ଆୟୋଜନ କରାଯାଇଥିବା ଏହି ବୈଠକରେ ଅରବିନ୍ଦ ପାନଗଡ଼ିଆ, କେବି କାମଥ, ରାକେଶ୍ ମୋହନ, ଶଙ୍କର ଆଚାର୍ଯ୍ୟ, ଶେଖର ଶାହା ଆଦି ଅର୍ଥନୀତିଜ୍ଞମାନେ ଯୋଗ ଦେଇଥିଲେ। ଏହା ଛଡ଼ା ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ-ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର, ଯୋଜନା ରାଜ୍ୟମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ, ନୀତି ଆୟୋଗ ମୁଖ୍ୟ ରାଜୀବ କୁମାର ସାମିଲ୍ ହୋଇଥିଲେ। ଫେବୃଆରୀ ମାସର ପ୍ରଥମ ତାରିଖରେ ଆଗାମୀ ଆର୍ଥିକ ବର୍ଷର ବଜେଟ୍ ଆଗତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.