CPL ଖେଳିବାର ପ୍ରଥମ ଭାରତୀୟ ଖେଳାଳି ହେଲେ ୪୮ବର୍ଷୀୟ ପ୍ରବୀଣ ତାମ୍ବେ

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ ୨୭।୦୮: ଲେଗ୍‌ ସ୍ପିନର ପ୍ରବୀଣ ତାମ୍ବେ କାରବିଆନ୍‌ ପ୍ରିମିୟର ଲିଗ୍‌ (CPL 2020)ରେ ଖେଳିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି । ସେ ବୁଧବାର ଦିନ ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ପକ୍ଷରୁ ସେଣ୍ଟ ଜୁସିଆ ଜୋକ୍ସ ବିରୋଧରେ ଖେଳିଥିଲେ । ୪୮ବର୍ଷୀୟ ତାମ୍ବେ ଟି-୨୦ ଲିଗ୍‌ରେ ବର୍ତ୍ତମାନର ସବୁଠାରୁ ବୟସ୍କ ଖେଳାଳି । ଏହାପୂର୍ବରୁ ଭାରତର ପୂର୍ବତନ ଅଣ୍ଡର-୧୯କ୍ରିକେଟର ସନ୍ନି ସୋହେଲ ୨୦୧୮ରେ ବାରବୋଡୋସ ଟ୍ରାଇଡେଣ୍ଟସ୍‌ ପାଇଁ ଖେଳିଥିଲେ । କିନ୍ତୁ ସେତେବେଳେ ସେ ଆମେରିକାର ନାଗରିକ ଭାବେ ଚୟନ ହୋଇଥିଲେ ।  

ପ୍ରବୀଣ ତାମ୍ବେ ସୁନୀଲ ନାରେଣଙ୍କ ସ୍ଥାନରେ ମ୍ୟାଚ୍‌ ଖେଳିଥିଲେ । ସେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୦ରେ ହୋଇଥିବା ଖେଳାଳିମାନଙ୍କ ନିଲାମରେ ସବୁଠାରୁ ବୟସ ଖେଳାଳି ଥିଲେ । କିନ୍ତୁ ୟୁଏଇରେ ଏକ ଅନାଧିକୃତ ଟି-୧୦ ଲିଗ୍‌ ଖେଳିବା ପାଇଁ ତାଙ୍କ ଭାରତୀୟ କ୍ରିକେଟ୍‌ ବୋର୍ଡ ଅଯୋଗ୍ୟ ଘୋଷିତ କରିଦେଇଥିଲା । ଏହାପରେ ତାଙ୍କୁ ଆଇପିଏଲ୍‌ ଖେଳିବା ପାଇଁ ଅନୁମତି ଦିଆଯାଇନଥିଲା । ତାମ୍ବେଙ୍କୁ ଆଇପିଏଲ୍‌ ୨୦୨୦ରେ ନିଲାମରେ କୋଲକାତା ନାଇଟ୍‌ ରାଇଡର୍ସ ୨୦ଲକ୍ଷ ଟଙ୍କାରେ କିଣିଥିଲା । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ନିୟମ ଅନୁସାରେ କୌଣସି ଖେଳାଳି ଅନ୍ୟ ଦେଶର ଘରୋଇ ଟି-୨୦ ଲିଗ ଖେଳିବାକୁ ଅନୁମତି ଦିଆଯିବ । ଯେତେବେଳେ କି ସେହି କ୍ରିକେଟର ଆଇପିଏଲ୍‌ ଓ ସମସ୍ତ ପ୍ରକାର ଖେଳରୁ ଅବସର ନେଇଥିବେ । ତେଣୁ CPL ଖେଳିବା ପାଇଁ ତାମ୍ବେ ଚଳିତ ବର୍ଷ ଜୁଲାଇ ମାସରେ ଅବସର ନେଇଥିଲେ । ଅକ୍ଟୋବର  ୧୯୭୧ରେ ଜନ୍ମ ପ୍ରବୀଣ ତାମ୍ବେ ଜଣେ ଲେଗ୍‌ ସ୍ପିନର ଅଟନ୍ତି । ୨୦୧୩ରେ ୪୨ବର୍ଷ ବୟସରେ ତାମ୍ବେ ଆଇପିଏଲ୍‌ ଖେଳିଥିଲେ । ୨୦୧୩ରୁ ୨୦୧୬ରୁ ମଧ୍ୟରେ ୪ଟି ସିଜିନ୍‌ରେ ମୋଟ ୩୩ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିଲେ, ଏବଂ ୨୮ଟି ଓ୍ୱିକେଟ୍‌ ନେଇଛନ୍ତି । ତେବେ ଗତ ମ୍ୟାଚ୍‌ରେ ତ୍ରିନାବାଗୋ ନାଇଟ୍‌ ରାଇଡର୍ସ ସେଣ୍ଟ ଜୋକ୍ସକୁ ୬ଓ୍ୱିକେଟ୍‌ରେ ପରାସ୍ତ କରିଛି । ପ୍ରବୀଣ ତାମ୍ବେ ଏହି ମ୍ୟାଚ୍‌ରେ ନିଜ ପ୍ରଥମ ସିପିଏଲ୍‌ ଓ୍ୱିକେଟ୍‌ ହାସଲ କରିଛନ୍ତି । ତାମ୍ବେ ଗୋଟିଏ ଓଭର ବୋଲିଂ କରି ୧୫ରନ ଦେଇ ଗୋଟିଏ ଓ୍ୱିକେଟ୍‌ ନେଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.