ସିଦ୍ଧବାରାହୀ ପୀଠରେ କଳାକାର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Published By : Prameya-News7 Bureau | October 24, 2021 IST

ସାନଖେମୁଣ୍ଡି ୨୪/୧୦: ଗଞ୍ଜାମ ଜିଲ୍ଲା କଳାକାର ମହାସଂଘ ତରଫରୁ ଚିକିଟି ବ୍ଲକର ବାରାହୀ ପୀଠରେ ଏକ ବିରାଟ କଳାକାର ସମାବେଶ ଅନୁଷ୍ଠିତ ହେବା ସହ ପାତ୍ରପୁର ଓ ଚିକିଟି ବ୍ଲକର ବଛା ବଛା କଳାକାରଙ୍କୁ ପ୍ରତିଭା ସମ୍ମାନ ମାନପତ୍ର ପ୍ରଦାନ କରାଯାଇଛି । ସଙ୍ଘ ସଭାପତି ଅନୀଲ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚିକିଟି ବ୍ଲକ ଅଧକ୍ଷା ଏମ. ପଦ୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାତ୍ରପୁର ବ୍ଲକ ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ ।

କାର୍ଯ୍ୟକ୍ରମରେ ସଙ୍ଘ ସାଧାରଣ ସମ୍ପାଦକ ଟୁଟୁ ପାଢ଼ୀ ବିବରଣୀ ପଠନ କରିଥିବା ବେଳେ ସପନେଶ୍ୱର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କୁନିକୁନି କଳାକାରଙ୍କ ସଙ୍ଗୀତ ସହ ଶଙ୍ଖମହୁରୀ ଧ୍ୱନୀରେ ସଭା ସ୍ଥଳ କମ୍ପି ଉଠିଥିଲା । ଅନ୍ୟମାନଙ୍କ ମଧ୍ୟରେ ସଙ୍ଘ ଉପଦେଷ୍ଟା ମଦନ ମିଶ୍ର, ବରିଷ୍ଠ ରାଜନେତା ସୁରେନ୍ଦ୍ର ମଣ୍ଡଳ, ଏମ. ନାଗରାଜୁ, ଯାତ୍ରା ହିରୋ ରୁଦ୍ର ମିଶ୍ର, ସରପଞ୍ଚ ସଂଜୁ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ ।

୫୦ ବର୍ଷରୁ ଉର୍ଦ୍ଧ୍ବ ପୁରୁଷ ଓ ୪୦ ବର୍ଷରୁ ଉର୍ଦ୍ଧ୍ବ ମହିଳା କଳାକାରଙ୍କୁ ପ୍ରତିଭା ସମ୍ମାନ ଦିଆଯିବା ସହିତ ପ୍ରକୃତ କଳାକାର ହିଁ କଳାକାର ଭତ୍ତା ପାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର ବଛା ବଛା ନାଟ୍ୟ ନିର୍ଦେଶକମାନଙ୍କୁ ଅଭିଯାନ ତରଫରୁ ରାଜ୍ୟସ୍ତରୀୟ ମାନପତ୍ର ସହ ମୁକୁଟ ପ୍ରଦାନ କରାଯାଇଥିବା ବେଳେ ବ୍ରହ୍ମପୁର ବାବୁଲା ଗ୍ରୁପ ତରଫରୁ ଉପଢ଼ୌକନ ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ରାଜଗୋପାଳ ପାଢ଼ୀ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କୃଷ୍ଣ ପଣ୍ଡା, କୈଳାଶ ପାଣିଗ୍ରାହୀ, ସୁଶାନ୍ତ ପଟ୍ଟନାୟକ, ବସନ୍ତ ଜେନା ,ଋତୁପର୍ଣ୍ଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.