ମହିଳାଙ୍କ ସହ କାନ୍ଧରେ କାନ୍ଧ ମିଳାଇ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି UPSC ରେ ଟପ୍ କରିଥିବା ପ୍ରତିଭା ବର୍ମା

Published By : Prameya-News7 Bureau | August 04, 2020 IST

ସୁଲତାନପୁର ୪/୮: ପ୍ରତିଭା ଯଥା ନାମ ତଥା ଗୁଣ କଥାକୁ କାମରେ କରି ଦେଖାଇଛନ୍ତି। ପ୍ରତିଭା ବର୍ମା ଆଇଏଏସ୍ ପରୀକ୍ଷାରେ ଦେଶରେ ତୃତୀୟ ସ୍ଥାନ ଏବଂ ମହିଳା ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହା ପୂର୍ବରୁ ପ୍ରତିଭା ୨୦୧୯ରେ ଆଇଆରଏସରେ ଚୟନ ହୋଇ ସାରିଛନ୍ତି।

ବଘରାଜପୁର ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ସୁବଂଶ ବର୍ମା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉଷା ବର୍ମାଙ୍କ ଝିଅ ପ୍ରତିଭା ବର୍ମା ଆରମ୍ଭରୁ ମେଧାବୀ ଛାତ୍ରୀ ଥିଲେ। ୨୦୦୮ମସିହାରେ ରାମରାଜୀ ବାଳିକା ଇଣ୍ଟର କଲେଜରୁ ପ୍ରତିଭା ୨୦୧୦ମସିହାରେ କେଏନଆଇସିଇରୁ ଇଣ୍ଟରମିଡିଏଟ୍ ଶିକ୍ଷା ଗ୍ରହଣ କରିଥିଲେ। ଉଭୟରେ ପ୍ରତିଭା ଭଲ ପ୍ରଦର୍ଶନ କରିଥିଲେ।

ହାଇସ୍କୁଲରେ ପ୍ରତିଭାଙ୍କୁ ଜିଲ୍ଲାରେ ତୃତୀୟ ସ୍ଥାନ ଏବଂ ଇଣ୍ଟରମିଡିଏଟରେ ପ୍ରଥମ ସ୍ଥାନ ମିଳିଥିଲା। ୨୦୧୪ମସିହାରେ ଆଇଆଇଟି ଦିଲ୍ଲୀରୁ ବିଟେକ୍ କରିବା ପରେ ପ୍ରତିଭା ବର୍ମା ପାଖାପାଖି ୨ବର୍ଷ ଯାଏଁ ପୁଣେରେ ଭୋଡ଼ାଫୋନ୍ କମ୍ପାନୀରେ ଡେପୁଟି ମ୍ୟାନେଜର ଭାବେ କାମ କରିଥିଲେ। ଏହି ସମୟରେ ସେ ସିଭିଲ୍ ସର୍ଭିସର ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହା ପରେ ୨୦୧୯ମସିହାରେ ତାଙ୍କ ଚୟନ ଆଇଆରଏସ ପଦରେ ହୋଇଥିଲା।

ଆଇଆରଏସ ରହିବା ସମୟରେ ପ୍ରତିଭା ଷ୍ଟଡି ଲିଭ ନେଇ ପୁଣି ଥରେ ପ୍ରସ୍ତୁତି ଆରମ୍ଭ କରିଥିଲେ। ତାଙ୍କ ପରିଶ୍ରମର ଫଳ ତାଙ୍କୁ ମିଳିଥିଲା। ତାଙ୍କୁ ଆଇଏଏସର ଅଲ୍ ଇଣ୍ଡିଆ ରାଙ୍କିଂରେ ତୃତୀୟ ଏବଂ ମହିଳା ବର୍ଗରେ ପ୍ରଥମ ସ୍ଥାନ ମିଳିଛି। ପ୍ରତିଭାଙ୍କ ଚୟନ ହେବା ପରେ ତାଙ୍କ ବଘରାଜପୁର ଘରେ ଶୁଭକାମନା ଜଣାଇବା ପାଇଁ ଲୋକଙ୍କ ଭିଡ଼ ଜମିଛି। ବାପା ,ମାଆ,ପଡ଼ୋଶୀ ସମେତ ସମସ୍ତେ ପରସ୍ପରକୁ ମିଠା ଖୁଆଇ ଖୁସି ବାଣ୍ଟୁଛନ୍ତି।

ଆଇଏଏସରେ ଅଲ୍ ଇଣ୍ଡିଆ ରାଙ୍କିଂରେ ତୃତୀୟ ସ୍ଥାନ ହାସଲ କରିବା ପରେ ପ୍ରତିଭା ଖୁସି ହୋଇଛନ୍ତି । ସେ କହିଛନ୍ତି ଯେ ଆଇଏଏସରେ ସିଲେକ୍ଟ ହେବା ପରେ ମହିଳା ସଶକ୍ତିକରଣ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କୁ କାମ କରିବାର ଇଚ୍ଛା ରହିଛି। ନୂଆ ଶିକ୍ଷା ନୀତିରେ ବହୁତ ପରିବର୍ତ୍ତନ ହୋଇଛି। ଏହି କ୍ଷେତ୍ରରେ କାମ କରିବାର ଅଧିକ ଆବଶ୍ୟକତା ରହିଛି।

ମହିଳାଙ୍କ ସଶକ୍ତିକରଣ ଦିଗରେ ଯଥାସମ୍ଭବ ଉଦ୍ୟମ କରିବାକୁ ପ୍ରତିଭା ଇଚ୍ଛା ପ୍ରକାଶ କରିଛନ୍ତି। ମହିଳାଙ୍କୁ ସବୁ କ୍ଷେତ୍ରରେ ଆଗକୁ ଆସି ଭାଗ ନେବା ଉଚିତ୍। ଏହା ବ୍ୟତୀତ ପ୍ରଶାସନର ଯେଉଁସବୁ ଦାୟିତ୍ବ ତାଙ୍କୁ ଦିଆଯିବ ତାକୁ ଭଲଭାବେ ଏବଂ ଦୃଢ଼ ନିଷ୍ଠା ସହ ସେ କରିବେ ବୋଲି କହିଛନ୍ତି। ନିଜ ଅଧିକାର ଏବଂ ଦାୟିତ୍ବ ସହ ଲୋକଙ୍କ ସେବା କରିବା ତାଙ୍କ ଲକ୍ଷ୍ୟ ବୋଲି ପ୍ରତିଭା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.