ପ୍ରତିବର୍ଷ ପଟିଦିଅଁ

Published By : Prameya-News7 Bureau | June 30, 2018 IST

ଦାରୁ ବିଗ୍ରହ ଶ୍ରୀଜଗନ୍ନାଥଙ୍କର ବାର୍ଷିକ ଅନବସର ନୀତି ଶ୍ରୀମନ୍ଦିରର ଏକ ସ୍ୱତନ୍ତ୍ର ନୀତି | ଦାରୁ ବିଗ୍ରହଙ୍କର ଅନବସର କାଳରେ ଠାକୁରଙ୍କର ପ୍ରତିମୂର୍ତ୍ତି ଭାବରେ ପୂଜା ପାଉଥିବା ପଟିଦିଅଁ ପ୍ରତିବର୍ଷ ପ୍ରସ୍ତୁତ ହୁଅନ୍ତି | ଛତିଶା ନିଯୋଗ ଚିତ୍ରକର ସେବକମାନେ ପଟିଦିଅଁଙ୍କୁ ପ୍ରତିବର୍ଷ ପ୍ରସ୍ତୁତ କରିଥାନ୍ତି | ରୁକ୍ମିଣୀ ହରଣ ଏକାଦଶୀ ଦିନ ପଟିଦିଅଁ ପ୍ରସ୍ତୁତି ଆରମ୍ଭ ହୋଇ ସ୍ନାନ ପୁର୍ଣିମା ଦିନ ଶେଷ ହୋଇଥାଏ | ପଟିଦିଅଁ ପ୍ରସ୍ତୁତି କାଳରେ ଚିତ୍ରକର ସେବକମାନେ ନିଷ୍ଠାର ସହିତ ହବିଷ୍ୟାନ୍ନ ଗ୍ରହଣ କରିଥାନ୍ତି | ଏହି ପ୍ରସ୍ତୁତି କାର୍ଯ୍ୟ ଭାଗବତ ଟୁଙ୍ଗିରେ ଅନୁଷ୍ଠିତ ହୋଇଥାଏ | ପଟିଦିଅଁ ପ୍ରସ୍ତୁତି ପାଇଁ ଧଳା ଲୁଗା , ମଣ୍ଡ ପାଇଁ କଇଁଆ ମଞ୍ଜି ଗୁଣ୍ଡର ଅଠା ଏବଂ ପୁଟ ପାଇଁ ପଥର ଖଡ଼ି ଲାଗିଥାଏ | ରଙ୍ଗ ଭାବରେ ଚିତ୍ରକରମାନେ ଧଳା ରଙ୍ଗ ପାଇଁ ଶଙ୍ଖ ଚୁର୍ଣ, ହରିଡ଼ାରୁ ହଳଦିଆ ରଙ୍ଗ, ହିଙ୍ଗୁଳରୁ ଗେରୁ ରଙ୍ଗ, ଗୁଆଘିଅ ଦୀପରୁ ସଂଗୃହିତ କଳା ରଙ୍ଗ ବ୍ୟବହାର କରି ଚିତ୍ରକରମାନେ ପାରମ୍ପରିକ ଅଙ୍ଗନ ପ୍ରଣାଳୀ ଦ୍ୱାରା ପଟ୍ଟ ଚିତ୍ର ଅଙ୍କନ କରିଥାନ୍ତି | ସ୍ନାନ ପୁର୍ଣିମା ରାତିରେ ଶ୍ରୀମନ୍ଦିରରୁ ଘଣ୍ଟ, ଛତା, କାହାଳୀ, ତ୍ରାସ ଓ ମଶାଲ ସହ ସେବକମାନେ ପଟୁଆରରେ ପଟିଦିଅଁଙ୍କୁ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ପାଟରେ ଗୁଡ଼ାଇ ଶ୍ରୀମନ୍ଦିରକୁ ବିଜେ କରାଇଥାନ୍ତି | ଶ୍ରୀମନ୍ଦିରରୁ ସେବକମାନେ ଆସି ଚିତ୍ରକରଙ୍କ ଗୃହରେ ପହଂଚିବା ପରେ ଚିତ୍ରକାରମାନେ ନିଜ ଦ୍ୱାରରେ ପନ୍ତି ଭୋଗ କରାଇ ପଟିଦିଅଁ ପ୍ରସ୍ତୁତି ପାଇଁ ଗ୍ରହଣ କରିଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.