ଆଜି ପ୍ରଥମାଷ୍ଟମୀ: ଘରେ ଘରେ ବନ୍ଦାପନା ହେଲେ ଜ୍ୟେଷ୍ଠ ସନ୍ତାନ
30/11/2018 at 4:04 PM

ଭୁବନେଶ୍ବର୩୦|୧୧: ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି । ଓଡିଶାର ଘରେ ଘରେ ପାଳିତ ହୁଏ ପ୍ରଥମାଷ୍ଟମୀ । ଘରର ବଡ ସନ୍ତାନ ଝିଅ ହେଉ ବା ପୁଅ ଏହି ଦିନ ନୂତନ ବସ୍ତ୍ର ପିନ୍ଧି ହୋଇଥାଏ ପୋଢୁଆଁ । ଏହି ବିଶେଷ ବିଧି କୁ ପଢୁଆଁ ହେବା କୁହାଯାଏ ।
ଘରେ ଘରେ ପାଳିତ ହୋଇଛି ପ୍ରଥମାଷ୍ଟମୀ । ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟ ମୀ ତିଥିରେ ପାଳନ କରାଯାଏ ଏହି ପର୍ବ । ତେବେ ରାଜଧାନୀରେ ମଧ୍ୟ ଅନେକ ପରିବାରରେ ଏହି ପର୍ବ ପାଳନ ହେବାର ଦେଖିବାକୁ ମିଳିଛି । ମୁଖ୍ୟତଃ ଘରର ଜ୍ୟେଷ୍ଠ ସନ୍ତାନ ସେ ପୁଅ ହୁଅନ୍ତୁ ବା ଝିଅ ତାକୁ ନୁଆ ବସ୍ତ୍ର ପିନ୍ଧାଇ ପଢୁଆଁ କରାଯିବାର ପରମ୍ପରା ରହିଛି ଓଡିଆ ପରିବାରରେ । ଏହି ଦିନ ମା ଲକ୍ଷ୍ମୀ ପୋଢୁଆଁ ହେବାର ପରଂପରା ମଧ୍ୟ ରହିଛି । ସେହିପରି ପରିବାରର ବଡଙ୍କୁ ସମ୍ମାନ ଜଣାଇବା ଲକ୍ଷ୍ୟରେ ମଧ୍ୟ ପଳାନ କରାଯାଏ ପ୍ରଥମାଷ୍ଟମୀ । ଏପରିକି ଏହି ପର୍ବ ପାଳନପରେ ହିଁ ମାର୍ଗଶୀର ମାସର ଗୁରୁବାର ପୁଜା ବିଧିବଦ୍ଧ ଭାବେ ଆରମ୍ଭ ହୁଏ । ସକାଳୁ ସ୍ନାନ କରିବା ପରେ ନୁତନ ବସ୍ତ୍ର ପିନ୍ଧାଇ ଠାକୁରଙ୍କ ଆଗରେ ବସାଇ ଦୁଇ କାନରେ ଫୁଲ ,ମୁଣ୍ଡରେ ଚନ୍ଦନ ଲଗାଇ ,ଦୁବ ବରକୋଳି ପତ୍ର ଓ ହଳଦିମାଶା ଚାଉଳରେ ମା ମାନେ ପିଲାଙ୍କୁ ବନ୍ଦାପନା କରନ୍ତି । ଏପରିକି ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁ ଥିବା ବସ୍ତ୍ର ମାମୁଁ ଘରୁ ଆସିଥାଏ । ଏଥିସହ ଘରେ ନାନା ରକମର ପିଠା ପଣା ହୋଇଥାଏ କିନ୍ତୁ ତାମଧ୍ୟରେ ଏଣ୍ଡୁରି ପିଠାର ଥାଏ ମୁଖ୍ୟ ସ୍ଥାନ । ହଳଦୀପତ୍ରରେ ପ୍ରସ୍ତୁତ ହୋଇଥାଏ ଏହି ପିଠା ।