ଠାକୁର ହେବେ ପୋଢୁଆଁ, ମାଧବାନନ୍ଦ ଜୀଉ ମନ୍ଦିରରୁ ଶ୍ରୀମନ୍ଦିର ଯାଉଛି ପୋଢୁଆଁ ଭାର

Published By : Prameya-News7 Bureau | December 07, 2020 IST

ନିଆଳି ୭।୧୨: ରାତି ପାହିଲେ ଓଡ଼ିଆ ଘରର ବଡ଼ ପର୍ବ ପ୍ରଥମାଷ୍ଟମୀ । ଘରେ ଘରେ ପିଠା ପଣା ଖାଇ ନୂଆ ବସ୍ତ୍ର ପିନ୍ଧି ପୋଢ଼ୁଆଁ ହେବେ ଘରର ବଡ଼ ପୁଅ ଓ ଝିଅ । ଓଡିଶାର ଜଗନ୍ନାଥ ସଂସ୍କୃତିରେ ଓଡ଼ିଆଣୀର ଘରେ କାହିଁ କେଉଁ ପୁରୁଣା କାଳରୁ ଚାଲି ଆସୁଛି ଏହି ପୋଢ଼ୁଆଁ ପ୍ରଥା । ଏହି ଅବସରରେ ପଢ଼ୁଆଁ ହେବେ ଜଗତର ନାଥ ବଡ଼ଠାକୁର ଜଗନ୍ନାଥ ।

କିମ୍ବଦନ୍ତୀ ରହିଛି ନିଆଳି ମାଧବ ହେଉଛି ଜଗନ୍ନାଥଙ୍କ ମାମୁ ଘର । ବହୁବର୍ଷ ପୂର୍ବରୁ ଏଠାରୁ ପୁରୀ ଜଗନ୍ନାଥ ନିକଟକୁ ପ୍ରତିବର୍ଷ ପ୍ରଥମାଷ୍ଟମୀରେ ଯାଉଥିଲା ପୋଢ଼ୁଆଁ ଭାର । ମାତ୍ର କୌଣସି କାରଣରୁ ଦୀର୍ଘ ବର୍ଷ ଧରି ବନ୍ଦ ହୋଇଯାଇଥିଲା ଏହି ପ୍ରଥା । ମାତ୍ର ଗତବର୍ଷ ପ୍ରଥମାଷ୍ଟମୀଠାରୁ ଆରମ୍ଭ ହୋଇଛି ବଡ଼ ଠାକୁରଙ୍କୁ ପୋଢ଼ୁଆଁ କରିବା ବ୍ୟବସ୍ଥା ।

ଆସନ୍ତାକାଲି ପ୍ରଥମାଷ୍ଟମୀ ହୋଇଥିବାରୁ ରୀତିନୀତି ଅନୁଯାୟୀ ମାଧବ ମନ୍ଦିରରୁ ପୁରୀ ଶ୍ରୀ ମନ୍ଦିରକୁ ବାହାରିଛି ପୋଢ଼ୁଆଁ ଭାର । ଆୟୋଜକ ଓ ଶ୍ରଦ୍ଧାଳୁମାନଙ୍କ ମନରେ ଦେଖାଦେଇଛି ଅଦ୍ଭୁତପୂର୍ବ ଉତ୍ସାହ । ପିଠାପଣାଠାରୁ ଆରମ୍ଭ କରି ପାଟ ଖଣ୍ଡୁଆ ନବ ବସ୍ତ୍ର ସବୁ ଖଞ୍ଜା ଯାଇ ଶ୍ରୀମନ୍ଦିର ଅଭିମୁଖେ ଭାର ବାହାରିଛି । ଏହି ପ୍ରଥା ଆଗକୁ ଜାରି ରହିବ ବୋଲି କହିଛନ୍ତି ଆୟୋଜକ ଓ ଶ୍ରଦ୍ଧାଳୁ । ପୁରୀ ପ୍ରଶାସନ ମଧ୍ୟ ଭାର ଗ୍ରହଣ କରବାକୁ ପ୍ରସ୍ତୁତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.