ପ୍ରେମିକା ସମ୍ପର୍କକୁ ଭାଙ୍ଗିବା ପରେ...ବାପା-ଭାଇ ସହ ମିଶି ପ୍ରେମିକକୁ ଦେଖାଇଦେଲା ଶେଷ ରାସ୍ତା

Published By : Prameya-News7 Bureau | October 28, 2020 IST

କଳାହାଣ୍ଡି ୨୮।୧୦ : ଚାରି ବର୍ଷର ପ୍ରେମ । ଜଣେ ଅନ୍ୟ ଜଣକ ପାଇଁ ଜୀବନ ଦେବାକୁ ବି କଥା ଦେଇଥିଲେ,  ହେଲେ ସମୟଚକ୍ର ଏଭଳି କଡ଼ ଲେଉଟାଇଲା ଯେ ଜଣେ ଜଣକର ମାନସମ୍ମାନକୁ ବିଚ୍‌ ବଜାରରେ ନିଲାମ କରିବାକୁ ବସିଥିଲା । ଏଣୁ ଜୀବନଠୁ ବେଶୀ ଭଲ ପାଉଥିବା ବାନ୍ଧବୀ ଜଣକ ଶେଷରେ ସାଜିଲା ରକ୍ତପିପାସୁ । ଯାହାପାଇଁ ଏକଦା ଜୀବନ ଦେବାକୁ ପ୍ରସ୍ତୁତ ଥିଲା ପ୍ରେମିକା, ଆଜି ତାକୁ ଗାଁ ଦାଣ୍ଡରେ ପିଟିପିଟି ହତ୍ୟାକଲା । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାଞ୍ଚଳରେ ଘଟିଛି ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ । ଯାହାକି  ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ଖବର ଅନୁଯାୟୀ, ଖଲିଆକାନି ଗାଁର ବୈକୁଣ୍ଠ ମେହେରଙ୍କ ପୁଅ ଦିଲ୍ଲୀପ ପାଖ ଗାଁ ଗଇନ୍ଦିମୁଣ୍ଡାର ଜଣେ ଝିଅକୁ ଭଲ ପାଉଥିଲା । ୪ ବର୍ଷ ହେବ ଉଭୟଙ୍କ ପ୍ରେମ ସମ୍ପର୍କ ଚାଲିଥିଲା । ଇତିମଧ୍ୟରେ ଯୁବତୀଙ୍କ ଅନ୍ୟତ୍ର ବିବାହ ଠିକ ହୋଇଥିଲା, ଯାହାକୁ ନେଇ ପୁଅ ଓ ଝିଅ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଇତିମଧ୍ୟରେ ଦିଲ୍ଲୀପ ପାଖରେ ଝିଅର କିଛି ଫଟୋ ଓ ଭିଡିଓ ରହି ଯାଇଥିଲା । ବିବାହ ଠିକ୍‌ ହେବା ପରେ ସେସବୁ ଭିଡିଓ ଓ ଫଟୋକୁ ନେଇ ବିଭିନ୍ନ ସମୟରେ ଭାଇରାଲ କରିବା ନେଇ ଯୁବତୀଙ୍କୁ ଧମକ ଦେଉଥିଲା । ଏ ସଂପର୍କରେ ଯୁବତୀ ଜଣକ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଫଳରେ ପରିବାର ଲୋକ ମଧ୍ୟ ଚିନ୍ତିତ ଥିଲେ ।

ସୋମବାର ଦିନ ଦିଲ୍ଲୀପ ଯୁବତୀକୁ ଫୋନ କରି ସଂଧ୍ୟା ୭ଟା ୩୦ରେ ଗାଁ ପାଖ ସ୍କୁଲରେ ଭେଟିବାକୁ କହି ବାଇକରେ ଜଣେ ସାଙ୍ଗ ସହିତ ଯାଇଥିଲା । ଝିଅ ମଧ୍ୟ ତାକୁ ସେଠାକୁ ଭେଟିବାକୁ ଯାଇଥିଲା । ଠିକ ଏହି ସମୟରେ ଝିଅ ଚିତ୍କାର କରି ପରିବାର ଲୋକଙ୍କୁ ଡାକିବା ପରେ ଘଟଣାସ୍ଥଳକୁ ପରିବାର ଲୋକ ଧାଇଁଯାଇ ଦିଲ୍ଲୀପକୁ କାବୁ କରିଥିଲେ । ପରେ ତଣ୍ଟି ଚିପି ମାରି ଦେଇଥିଲେ । ଦିଲୀପକୁ ପରିବାର ଲୋକେ କାବୁ କରିବା ସମୟରେ ଭୟରେ ଦିଲ୍ଲୀପ ସହିତ ଯାଇଥିବା ତା’ ସାଙ୍ଗ କୌଣସି ମତେ ସେଠାରୁ ଖସି ପଳାଇ ଆସି ଦିଲ୍ଲୀପର ପରିବାର ଲୋକଙ୍କୁ ଘଟଣା ସଂପର୍କରେ କହିଥିଲା ।

ପରିବାର ଲୋକେ ତୁରନ୍ତ ଗଇନ୍ଦିମୁଣ୍ଡା ଗାଁକୁ ଯାଇ ଖୋଜାଖୋଜି କରିବା ପରେ ଦିଲ୍ଲୀପର କ୍ଷତବିକ୍ଷତ ଶରୀର ଗାଁ ସ୍କୁଲ ପାଖ ରାସ୍ତା କଡ଼ରେ ପଡିଥିବା ଦେଖିଥିଲେ । ସଙ୍ଗେସଙ୍ଗେ ସେମାନେ ତାକୁ ଧର୍ମଗଡ ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ପରିବାର ଲୋକ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗୋଲାମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ମୃତକଙ୍କ ବାନ୍ଧବୀ ସମେତ ବାପା, ମା’, ଭାଇଙ୍କୁ ଅଟକ ରଖି ପୁଲିସ ଜେରା କରୁଛି । ମୃତକଙ୍କ ସହ ଯାଇଥିବା ତା ସାଙ୍ଗ ଲୋକନାଥ ନାଏକଙ୍କ ମଧ୍ୟ ପୁଲିସ ବୟାନ ରେକର୍ଡ କରିଛି। ବ୍ଲାକ୍‌ମେଲର ପ୍ରେମିକକୁ ପ୍ରେମିକା ଆଉ ତା ପରିବାର ଲୋକେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.