Friday, July 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇତିହାସରେ ପ୍ରଥମ : ଲୋକସଭାରେ ୫ଟି ଭାଷାରେ ଧନ୍ୟବାଦ ପ୍ରସ୍ତାବ ରଖିଲେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ ୨୪/୬ : ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଆଜି ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରଥମେ ଧନ୍ୟବାଦ ପ୍ରସ୍ତାବ ଉପସ୍ଥାପନ କରିବା ପାଇଁ ସୁଯୋଗ ମିଳିଥିଲା । ଫଳରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆରମ୍ଭ କରିଥିଲେ । ଇଂରେଜୀରେ ଭାଷଣ ଆରମ୍ଭ କରିଥିଲେ ହେଁ ସେ ହିନ୍ଦି, ସଂସ୍କୃତ, ଓଡିଆ ଏବଂ ବଂଗଳାରେ ମଧ୍ୟ ଅଭିଭାଷଣ ରଖିଥିଲେ । ସେ କହିଥିଲେ ମୋଦି ସରକାର ନିଜ ୫ ବର୍ଷର କାର୍ଯ୍ୟକାଳର ସବୁ କାମର ହିସାବ ଦେଇଛନ୍ତି । ଅବ କି ବାର ୩୦୦ ପାର ନାରା ବିଜେପି ନୁହେଁ ବରଂ ଦେଶର ଜନତା ଦେଇଥିଲେ ଏବଂ ଏହା ସଫଳ ମଧ୍ୟ ହୋଇଛି । ଦେଶର ଜନତା ଦୁର୍ନୀତିକୁ ସ୍ୱୀକାର ନକରି ଦେଶକୁ ଏକ ସଚ୍ଚୋଟ ସରକାର ଦେଇଛନ୍ତି । ବିଜେପି ଏକା ୩୦୦ ପାର କରିଛି ଏବଂ ଏହା ଏକ ବହୁତ ବଡ ଉପଲବ୍ଧି ବୋଲି କହିଛନ୍ତି ପ୍ରତାପ । ନରେନ୍ଦ୍ର ମୋଦି ସରକାର ଉପରେ ଦେଶର ଜନତା ବିଶ୍ୱାସ କରିଛି । ଏବେ ଦେଶରେ ତଥା ଦେଶ ବାହାରେ ମଧ୍ୟ ମୋଦି ଲହର ଚାଲିଛି । ବିକାଶ ପାଇଁ ଜନତା ମୋଦିଙ୍କୁ ବାଛିଛନ୍ତି ।

ମୋଦିଙ୍କ ଉପରେ ଦେଶର ଦେଢ଼ ଶହ କୋଟି ଜନତାଙ୍କ ବିଶ୍ୱାସ ରହିଛି । ଏହି ବିଶ୍ୱାସ ମୋଦିଙ୍କୁ ଅଧିକ ସାହସ ଦେଇଛି । ସମାଜର ପ୍ରତ୍ୟେକ ବର୍ଗର ଲୋକ ମୋଦିଙ୍କୁ ଭୋଟ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରାଯାଇଥିଲା । କିନ୍ତୁ ଜନତା ଠିକ ବୁଝି ବିଚାରି ଭୋଟ ଦେଇ ମୋଦିଙ୍କୁ ବିଜୟୀ ମୁକୁଟ ପିନ୍ଧାଇଛନ୍ତି । ଦେଶର ଗରିବ ମଧ୍ୟ ଆଜି ଦେଶର ପ୍ରତିନିଧିତ୍ବ କରୁଛି ଏବଂ ଵଂଶାଵଦ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛି । କଂଗ୍ରେସ ଦେଶର ଜନତାଙ୍କ ଉପରେ ବହୁତ ବଡ ଉପକାର କରିଛି ବୋଲି ଆକ୍ଷେପ କରି କହିଥିଲେ ପ୍ରତାପ । ବିଲୀନ ନହେଲେ ହିରୋର ମହତ୍ୱ କେହି ବୁଝିପାରନ୍ତି ନାହିଁ ବୋଲି କହିଥିଲେ ପ୍ରତାପ । 

ମୋଦିଙ୍କ ପାଇଁ ଆଜି ବିଶ୍ବରେ ଭାରତର ନାଁ, ମାନ ସମ୍ମାନ ବହୁତ ବଢିଛି । ଯେଉଁଥିପାଇଁ ଅନେକ ଦେଶର ପ୍ରତିଷ୍ଠିତ ସମ୍ମାନ ମଧ୍ୟ ମୋଦିଙ୍କୁ ମିଳିଛି । ବିଦେଶରେ ରହୁଥିବା ଭାରତୀୟଙ୍କୁ ସବୁ ପ୍ରକାର ଅସୁବିଧାରୁ ମୋଦି ବାହାର କରିବା ପାଇଁ ପୁରା ପ୍ରୟାସ କରିଛନ୍ତି ଏବଂ ସଫଳ ମଧ୍ୟ ହୋଇଛନ୍ତି । 

ସେ ଆହୁରି କହିଥିଲେ ଯେ, ମୋଦିଙ୍କ ନେତୃତ୍ୱରେ ଭାରତୀୟ ସଂସ୍କୃତିର ଜୟ ଜୟକାର ହେବ । ଭାରତ ମାତାଙ୍କ ଜୟ ଜୟକାର ବିରୋଧ କଦାପି କରିବା ଉଚିତ ନୁହେଁ । ଭଲ କାମକୁ ବିରୋଧୀ ମଧ୍ୟ ପ୍ରଶଂସା କରିବା ଉଚିତ ବୋଲି କହିବା ସହ ମୋଦିଙ୍କ ଶାସନ କାଳରେ ହୋଇଥିବା ବିଭିନ୍ନ ଜନ ହିତକର କାର୍ଯ୍ୟର ଲମ୍ବା ତାଲିକା ରଖିଥିଲେ ପ୍ରତାପ । ଓଡିଶା ଓ ପଶ୍ଚିମ ବଙ୍ଗରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଇନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ପାକିସ୍ତାନ ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ ଏବଂ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ମୁକ୍ତି ପ୍ରସଂଗରେ ମୋଦିଙ୍କ ଦୃଢତା ନେଇ ଭୁରି ଭୁରି ପ୍ରଶଂସା କରିଥିଲେ ।

ମୋଦି ସରକାର ଦେଶର ପ୍ରତିଭାମାନଙ୍କୁ ଖୋଜି ଖୋଜି ବାହାର କରିବା କ୍ଷେତ୍ରରେ ଅଦ୍ବିତୀୟ କାର୍ଯ୍ୟ କରିଛି ବୋଲି ପ୍ରତାପ ଷଡଙ୍ଗୀ ତାଙ୍କ ଅଭିଭାଷଣରେ କହିଥିଲେ । ବେଦ, ଉପନିଷଦ, ଭାଗବତ, ଗୀତା ଓ ଅନ୍ୟାନ୍ୟ ଶାସ୍ତ୍ରରୁ ବିଭିନ୍ନ ଶ୍ଳୋକ ଏବଂ ନୀତିବାଣୀ ଉଦ୍ଧାର କରି ନିଜ ବକ୍ୟବ୍ୟ ରଖିଥିଲେ ପ୍ରତାପ ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବବେଳେ ପ୍ରଥମେ ଅଭିଭାଷଣ ରଖିବା କ୍ଷେତ୍ରରେ ପ୍ରତାପ ହେଉଛନ୍ତି ପ୍ରଥମ ଓଡିଆ । ଏହା ପୂର୍ବରୁ ଅନ୍ୟ କୌଣସି ଓଡିଆ ସାଂସଦଙ୍କୁ ଏହି ଗୌରବ ପ୍ରାପ୍ତ ହୋଇନାହିଁ । ସେହିଭଳି ୫ଟି ଭାଷାରେ ଅଭିଭାଷଣ ପ୍ରଦାନ କ୍ଷେତ୍ରରେ ମଧ୍ୟ ପ୍ରତାପ ଇତିହାସ ସୃଷ୍ଟି କରିଛନ୍ତି । ନିଜର ସରଳ ଓ ନିରାଡମ୍ବର ଜୀବନଶୈଳୀ ପାଇଁ ଚର୍ଚ୍ଚାରେ ଥିବା ବାଲେଶ୍ବର ସାଂସଦ ତଥା ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସଂସ୍କୃତ ସାହିତ୍ୟରେ ବେଶ ପାରଦର୍ଶୀ ।

349 Views

   ସମ୍ବନ୍ଧିତ ଖବର