ବିଗ ଡ଼ିଲ : ଜାନୁଆରୀରେ ପ୍ରତାପ ଦେବ ରାଜ୍ୟସଭାରୁ ଦେବେ ଇସ୍ତଫା, ଦିଲ୍ଲୀପ ରାୟ ଯିବେ ରାଜ୍ୟସଭା, ବିଜୟଙ୍କୁ ମିଳିବ କେନ୍ଦ୍ରାପଡା ଲୋକସଭା ଆସନ !

Published By : Prameya-News7 Bureau | December 02, 2018 IST

ଭୁବନେଶ୍ୱର ୨/୧୨ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତିରେ ସେତିକି ହଇଚଇ ସୃଷ୍ଟି ହେବାରେ ଲାଗିଛି | ଦଳ ବଦଳ ମଧ୍ୟ ଜୋର ଧରିବା ଆରମ୍ଭ କରିଛି | ଦୁଇ ଦିନ ତଳେ ବିଜେପିରୁ ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ଇସ୍ତଫା ଦେବାପରେ ପରବର୍ତ୍ତୀ ରାଜନୈତିକ ସମୀକରଣକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି | ବିଜୟ ଓ ଦିଲ୍ଲୀପ କେଉଁ ଦଳକୁ ଯିବେ ତାକୁ ନେଇ ବିଭିନ୍ନ ପ୍ରକାର ସମ୍ଭାବନା ସମ୍ପର୍କରେ ଆଲୋଚନା ହେଉଛି | ଏପରିକି ନୂଆ ଭାବେ ଦଳ ଗଠନ କରୁଥିବା ଡାକ୍ତର ଦାମୋଦର ରାଉତ ମଧ୍ୟ ପ୍ରସଙ୍ଗ ଭିତରେ ପଶି ଟ୍ଵିଷ୍ଟ ଦେବାକୁ ପଚାଇନାହାନ୍ତି | ବିଜୟ ଓ ଦିଲ୍ଲୀପଙ୍କୁ ଅତୀତରେ ଅପମାନିତ କରି ବିଜେଡିରୁ ବାହାର କରିଦିଆଜିଥିଲା ବୋଲି ମାନେ ପକେଇ ଦେଇ ବିଜେଡିକୁ ସେମାନଙ୍କ ବାଟ ଓଗାଳିବାକୁ ଚେଷ୍ଟା କରିଛନ୍ତି ଦାମ | ଅପରପକ୍ଷରେ ବିଜେପି ଛାଡିବା ପରେ ପରବତ୍ତୀ କାର୍ଯ୍ୟପନ୍ଥା କଣ ହେବ ସେ ସମ୍ପର୍କରେ ତରବରିଆ ନହୋଇ ଧୀରେ ଧୀରେ ନିଷ୍ପତ୍ତି ନିଆଯିବ ବୋଲି ବିଜୟ ମହାପାତ୍ର ସାମ୍ବାଦିକମାନଙ୍କୁ କହିଛନ୍ତି | କିନ୍ତୁ ଏହା ସତ୍ୟ ଯେ, ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିର୍ଦିଷ୍ଟ ନିଷ୍ପତ୍ତି ନନେଇ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟଙ୍କ ଭଳି ଅଭିଜ୍ଞ ନେତାମାନେ କେବେ ଦଳ ଛାଡି ନାହାନ୍ତି | କେବଳ ସାମୁହିକ ଭାବେ ହୋ ହାଲ୍ଲାକୁ ପ୍ରଶମିତ କରିବା ପାଇଁ ସେ ଏଭଳି କହୁଛନ୍ତି | ତେବେ ଏ ଦୁଇ ନେତାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ ତଥ୍ୟ ଅସମର୍ଥିତ ସୂତ୍ରରୁ ହସ୍ତଗତ ହୋଇଛି | ସୂଚନା ମୁତାବକ, ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ବିଜେଡିରେ ଯୋଗ ଦେବା ପାଇଁ ଡ଼ିଲ ସରିଛି | ଡିସେମ୍ବର ୨୬ ତାରିଖ ବିଜେଡିର ପ୍ରତିଷ୍ଠା ଦିବସରେ ଏମାନେ ବିଜେଡିରେ ଯୋଗ ଦେବେ ବୋଲି ଆପାତତଃ ସ୍ଥିର ହୋଇଛି | କେବଳ ସେତିକି ନୁହେଁ ଦଳରେ ଯୋଗ ଦେବା ପରେ ଆଗାମୀ ସାଧାରଣ ନିର୍ବାଚନରେ ଦଳ ମଧ୍ୟ ଏମାନଙ୍କୁ ପ୍ରାଇଜ ଦେବାକୁ ଯାଉଛି | ଅର୍ଥାତ ଦିଲ୍ଲୀପ ରାୟଙ୍କୁ ଜାନୁଆରୀ ମାସରେ ବିଜେଡି ରାଜ୍ୟସଭା ପଠାଇବ ଓ କେନ୍ଦ୍ରାପଡା ଲୋକସଭା ଆସନରୁ ଟିକଟ ପାଇବେ ବିଜୟ ମହାପାତ୍ର | ହେଲେ ଏଥିରେ ଅସୁବିଧାରେ ପଡିବେ ବିଜେଡିର ମୁଖ୍ୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ | ତେବେ ପ୍ରତାପଙ୍କୁ ମଧ୍ୟ ଦଳ କୌଣସି ଭାବେ ନିରାଶ କରିବାର ପ୍ରଶ୍ନ ଉଠୁନି | ପ୍ରତାପ ଦେବାଙ୍କୁ ଆଳିରୁ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଟିକଟ ଦିଆଯିବ | ବିଜେଡିର ଏଭଳି ଆରଏନଜମେଣ୍ଟରେ କେହି ଅସୁଖୀ ହେବାର ନାହିଁ କି କାହାର କ୍ଷତି ହେବାର ନାହିଁ | ବରଂ ସବୁଠି ଉଇନ ଉଇନ ସିଟୁଆସନ | କାରଣ କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ ଟକ୍କର ଦେବାପାଇଁ ବିଜୟଙ୍କ ଠୁ ଭଲ ପ୍ରାର୍ଥୀ ଆଉ କେହି ହୋଇନପାରନ୍ତି | ସେହିଭଳି ରାଉରକେଲାରୁ ପ୍ରାର୍ଥୀ ନହେବା ପାଇଁ ପ୍ରତିଜ୍ଞା କରିଥିବା ଦିଲ୍ଲୀପ ରାୟଙ୍କ ଲାଗି ରାଜ୍ୟସଭାକୁ ଯିବା ଏକ ସମ୍ମାନ ଜନକ ରାଜନୈତିକ ପୁରସ୍କାର ନିଶ୍ଚୟ | ତା'ଛଡା ଦିଲ୍ଲୀପ ମଧ୍ୟ ରାଜ୍ୟ ରାଜନୀତିରେ ରହିବାକୁ ଆଗ୍ରହୀ ନୁହନ୍ତି | ଅପରପକ୍ଷରେ ପ୍ରତାପ ଦେବ ମଧ୍ୟ ରାଜ୍ୟ ସଭା ଅପେକ୍ଷା ନିଜ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହେବାକୁ ଚାହିଁବା ସ୍ୱାଭାବିକ | ବିଜୟ ମହାପାତ୍ରଙ୍କୁ କେନ୍ଦ୍ରାପଡା ଲୋକସଭାରୁ ପ୍ରାର୍ଥୀ କରାଇବା ଫଳରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବେଦ ପ୍ରକାଶ ଅଗ୍ରୱାଲ, ତାଙ୍କ ପୁଅ, ଅତନୁ ସବ୍ୟସାଚୀଙ୍କ ଭାଇ ଶାନ୍ତନୁ ନାୟକ, ଖାଦି ବୋର୍ଡର ଅଧ୍ୟକ୍ଷ ତେଜେଶ୍ୱର ପରିଡା ଓ ଅଧ୍ୟାପକ ଅଜ୍ଞ ରାଉତଙ୍କ ମଧ୍ୟରେ ଟିକଟ ପାଇଁ ଭିଡ ଓଟରା ଚାଲିବ ସିନା ବିଜୟ ମହାପତ୍ରଙ୍କ ପ୍ରସଙ୍ଗ ଆଉ ରହିବ ନାହିଁ | ସେହିଭଳି ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ସୁରକ୍ଷିତ ରହିବେ | ବିଜେଡିର ଏଭଳି ରାଜନୈତିକ ଗୋଟି ଚାଳନା ନିଶ୍ଚୟ ଦଳକୁ ଫାଇଦା ଦେବା ବୋଲି ରାଜନୈତିକ ବିସ୍ଲେସକମାନେ ଆଲୋଚନା କରୁଥିବାବେଳେ ନିର୍ବାଚନ ପୂର୍ବରୁ ଦଳକୁ ଆହୁରି ଅନେକ ରାଜନୈତିକ ସମୀକରଣର ସମ୍ମୁଖୀନ ହେବାକୁ ପଡିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.