କଂଗ୍ରେସରେ ଯୋଗ ଦେବେ ପ୍ରଶାନ୍ତ କିଶୋର ! ପାର୍ଟିରେ ନେତାଙ୍କ ରାୟ ମାଗିଲେ ରାହୁଲ

Published By : Prameya-News7 Bureau | July 29, 2021 IST

ନୂଆଦିଲ୍ଲୀ ୨୯।୭:  ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି। ରାଜନୈତିକ ଅଳିନ୍ଦରେ ଏ ନେଇ ଏବେ ଆକଳନର ଜୋର ଧରିଛି। ନିକଟରେ ପ୍ରଶାନ୍ତ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହା ପରଠାରୁ କଂଗ୍ରେସରେ ପ୍ରଶାନ୍ତଙ୍କ ଯୋଗଦାନ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏଥିରେ ଆସୁଥିବା ରାହୁଲଙ୍କ ବୈଠକ ସୂଚନା ଏ ନେଇ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଯେଉଁଥିରେ ଦଳରେ ପ୍ରଶାନ୍ତଙ୍କ ସାମିଲ ନେଇ ପାର୍ଟି ନେତାଙ୍କ ରାୟ ମାଗିଥିବାର କୁହାଯାଉଛି।

କଂଗ୍ରେସରେ ପ୍ରଶାନ୍ତଙ୍କ ଯୋଗଦାନ ନେଇ ଫୁସରଫାସର ହେଉଛି। ହେଲେ ପାର୍ଟି ପକ୍ଷରୁ ଏନେଇ କିଛି କୁହା ଯାଉନଥିବା ବେଳେ ପ୍ରଶାନ୍ତ ମଧ୍ୟ ପ୍ରସଙ୍ଗରେ ନିରବ ଅଛନ୍ତି। ଗତ ଜୁଲାଇ ୨୨ ତାରିଖ ଦିନ ପାର୍ଟିର ବୈଠକରେ ରାହୁଲ ପ୍ରସଙ୍ଗ ଉତଥାପନ କରିଥିଲେ। ଏହି ବୈଠକରେ ଏ.କେ.ଆଣ୍ଟୋନୀ, ମଲ୍ଲିକାର୍ଜୁନ ଖଡଗେ, କେ.ସି.ବେଣୁଗୋପାଲ, କମଲ ନାଥ ଓ ଅମ୍ବିକା ସୋନି ଆଦି ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

{"id":487630,"width":837,"height":628,"sizeSlug":"large","linkDestination":"none"}

ଯାହା ସୂଚନା ଆସୁଛି ଯଦି ଉଭୟ ପକ୍ଷ ସହମତ ହୁଅନ୍ତି ତେବେ ପ୍ରଶାନ୍ତ କିଶୋରଙ୍କୁ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ପାର୍ଟିକୁ ଅଣାଯାଇପାରେ। ପ୍ରଶାନ୍ତ କିଶୋର କଂଗ୍ରେସର ପୁନରୁଦ୍ଧାର ଲାଗି ଗାନ୍ଧି ପରିବାରଙ୍କ ନିକଟରେ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏଣୁ ପାର୍ଟିରେ ନେତା କଣ ଭାବୁଛନ୍ତି ସେ ନେଇ ସେମାନଙ୍କ ଇଛା ଜାଣିବାକୁ ରାହୁଲ ଜୁଲାଇ ୨୨ ତାରିଖ ବୈଠକ ଆହ୍ୱାନ କରିଥିଲେ। ତେବେ ଯାହା ଜଣାପଡୁଛି ପ୍ରଶାନ୍ତ କିଶୋର ଯେଉଁ ରଣନୀତି ପରାମର୍ଶ କରିଛନ୍ତି ତାକୁ କଂଗ୍ରେସର ସର୍ବସମ୍ମତି ସ୍ୱୀକୃତି ମିଳିଛି।

ତେବେ ସୋନିଆ, ରାହୁଲ ଅଥବା ପ୍ରିୟଙ୍କା ନୁହନ୍ତି ବରିଷ୍ଠ ନେତାମାନେ ମଧ୍ୟ ପ୍ରଶାନ୍ତଙ୍କୁ ଦଳରେ ନେବାକୁ ବେସ୍ ଆଗ୍ରହୀ ଥିବା ଜଣାପଡିଛି। ତେବେ ନିଜ ଆଡୁ କଂଗ୍ରେସର ଦ୍ୱାରସ୍ଥ ହୋଇଥିବା ପ୍ରଶାନ୍ତ କିଶୋର କଂଗ୍ରେସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପରାମର୍ଶ ଦେଇଥିବା ସୂଚନା ମିଳିଛି। ଯେଉଁଥିରେ କଂଗ୍ରେସ ସଂସଦୀୟ ବୋର୍ଡର ନେତୃତ୍ୱ ରାହୁଲଙ୍କ ହସ୍ତରେ ନ୍ୟସ୍ତ ରହିବାର ଆବଶ୍ୟକତା ଥିବା ଓ ଜି-୨୩ ସମୂହରେ ଏପରି ବୋର୍ଡର ଦାବି କରାଯାଇଥିବା ନେଇ ପ୍ରଶାନ୍ତ ପ୍ରସ୍ତାବ ଦେଇଥିବା ଜଣାପଡିଛି। ଯଦି ଏପରି ହୁଏ ତେବେ କଂଗ୍ରେସକୁ ଜଣେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ରଣନୀତିକାର ମିଳିଯିବେ ବୋଲି ରାଜନୀତି ସମୀକ୍ଷକ ମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.