ରାଜ୍ୟସଭା ଲାଗି ତୃଣମୂଳ ପ୍ରାର୍ଥୀ ହୋଇପାରନ୍ତି ପ୍ରଶାନ୍ତ କିଶୋର
29/02/2020 at 9:03 PM

ନୂଆଦିଲ୍ଲୀ ୨୯।୨: ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିପାରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ୍। ପ୍ରାଶାନ୍ତ ଗତ ଜାନୁୟାରୀ ଶେଷ ସପ୍ତାହରେ ନିତିଶଙ୍କ ଜେଡିୟୁରୁ ନିଷ୍କାସିତ ହୋଇଥିଲେ। ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବ। ତେବେ ଟିଏମସି ପ୍ରଶାନ୍ତଙ୍କୁ ପ୍ରାର୍ଥୀ କରିପାରେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁସାରେ ମମତାଙ୍କ ତୃଣମୂଳ ସଂସଦର ଉଚ୍ଚ ସଦନରେ ନୂଆ ମୁହଁ ଖୋଜୁଛି। ଏଥିରେ ଦଳ ସକ୍ରିୟ ନେତାଙ୍କ ଆବଶ୍ୟକ କରୁଥିବା ବେଳେ ଟିଏମସି ଲାଗି ପ୍ରଶାନ୍ତଙ୍କୁ ଉପଯୁକ୍ତ ପ୍ରାର୍ଥୀ ବିଚାର କରାଯାଉଛି। ରାଜ୍ୟସଭାରେ ଟିଏମସିର ୪ଟି ଆସନ ଖାଲି ହେବ। ଏଥିରେ ମନିଷ ଗୁପ୍ତା, ଯୋଗେନ ଚୌଧୁରୀ, ଅହମ୍ମଦ ହସନ ଇମ୍ରାନ ଓ କେ.ଡି. ସିଂହ ରାଜ୍ୟସଭାରୁ ଅବସର ନେବେ। ବର୍ତ୍ତମାନ ଜାତୀୟ ରାଜନୀତି ପରିଦୃଶ୍ୟ ଅନୁସାରେ ପାର୍ଟି ଅଧିକ ସକ୍ରିୟ ଯୁବ ରାଜନେତା ଖୋଜୁଥିବା ବେଳେ ବିଜେପି ବିରୋଧରେ ପ୍ରଶାନ୍ତ ହିଁ ପ୍ରାର୍ଥୀ ହେବାର ଆଶା କରାଯାଉଛି।

ବେଙ୍ଗଲ ବିଧାନସଭାରେ ଟିଏମସିର ସଂଖ୍ୟାମତ ଅନୁସାରେ ୪ଟି ରାଜ୍ୟସଭା ଆସନ ଲାଗି ମତଦାନ କରିପାରିବ। ତେବେ ବଳକା ହେଉଥିବା ଗୋଟିଏ ସିଟ୍ ସିପିଆଇ(ଏମ) ଓ କଂଗ୍ରେସ ମିଳିତ ଭାବେ ନେଇପାରନ୍ତି ନଚେତ କଂଗ୍ରେସ ତୃଣମୂଳ ସହ ମିସି ପଞ୍ଚମ ସିଟ୍ ଟି ନେଇପାରେ। ପଶ୍ଚିମବଙ୍ଗର ଏହି ଆସନରେ ଏବେ ସିପିଆଇ(ଏମ)ର ରିତାବ୍ରତ ବାନାର୍ଜୀଙ୍କର କାର୍ଯ୍ୟକାଳ ମଧ୍ୟ ଶେଷ ହେଉଛି।