ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ହେଲେ ପ୍ରଶାନ୍ତ କିଶୋର୍‌, ଜାଣନ୍ତୁ ନିର୍ବାଚନ ରଣନୀତିକାରଙ୍କ ବିଷୟରେ କିଛି ରୋଚକ ପୂର୍ଣ୍ଣ ତଥ୍ୟ

Published By : Prameya-News7 Bureau | March 01, 2021 IST

ନୂଆଦିଲ୍ଲୀ, ୦୧/୦୩: ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର୍‌ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଶାନ୍ତ କିଶୋର ମୋର ପ୍ରମୁଖ ପରାମର୍ଶଦାତା ରୂପେ ମୋ ସହିତ ଯୋଡ଼ି ହୋଇଛନ୍ତି । ପଞ୍ଜାବ ଲୋକଙ୍କ ପାଇଁ ମୋ ସହିତ ସେ କାମ କରିବା ପାଇଁ ତତ୍ପର ଥିବା କ୍ୟାପ୍ଟେନ୍‌ ପ୍ରକାଶ କରିଛନ୍ତି ।

ପଞ୍ଜାବରେ ଆଗାମୀ ବର୍ଷ ବା ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୨୦୧୭ରେ ପଞ୍ଜାବରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କଂଗ୍ରେସ୍‌ ସହିତ କାମ କରିଥିଲେ । ସେତେବେଳେ ପାର୍ଟିକୁ ସତ୍ତା ମିଳିଥିଲା ଏବଂ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନ ସେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ ସହ ଯୋଡ଼ି ହୋଇରହିଛନ୍ତି । ସେ ଏନେଇ ଦାବି କରିଛନ୍ତି ଯେ, ପଶ୍ଚିମବଙ୍ଗରେ ପୁଣିଥରେ ଟିଏମ୍‌ସି ଫେରିବ ଏବଂ ସରକାର ଗଢ଼ିବ ।

୨୦୧୪ରେ ଲୋକସଭା ନିର୍ବାଚନ ସମୟରେ ନରେନ୍ଦ୍ର ମୋଦିଙ୍କ ସହ କାମ କରିଥିବା ପ୍ରଶାନ୍ତ କିଶୋର ପରେ ଜେଡିୟୁ, ଆପ୍‌, ୱାଇଏସ୍‌ଆର୍‌ସିପି ଏବଂ ଡିଏମ୍‌କେ ଭଳି ଦଳଙ୍କ ସହିତ କାମ କରିଛନ୍ତି । ସେ ଜେଡିୟୁ ସହତ ଆଗରୁ ଯୋଡ଼ି ହୋଇ ରହିଥିଲେ । ହେଲେ ପଛରେ ତାଙ୍କୁ ଦଳରୁ ବାହାର କରିଦିଆଯାଇଥିଲା । ୨୦୧୩ରେ ପ୍ରଶାନ୍ତ ସାଧାରଣ ନିର୍ବାଚନ ପାଇଁ ଏକ ମିଡିଆ ଏବଂ ପ୍ରଚାର କମ୍ପାନୀ ସିଟିଜେନ୍‌ ଫର୍‌ ଆକାଉଣ୍ଟେବଲ୍‌ ଗଭର୍ଣ୍ଣାନ୍ସ ବା ସିଏଜିର ଆରମ୍ଭ କରିଥିଲେ ।

୨୦୧୪ରେ ମୋଦିଙ୍କ ପାଇଁ, ୨୦୧୫ରେ ବିହାର ପାଇଁ, ୨୦୧୭ରେ ପଞ୍ଜାବ ପାଇଁ, ୨୦୧୯ରେ ଆନ୍ଧ୍ରପ୍ରଦେଶ ପାଇଁ ଏବଂ ୨୦୨୦ରେ ସେ ଦିଲ୍ଲୀ ନିର୍ବାଚନ ପାଇଁ କାମ କରିଥିଲେ ।

୨୦୧୫ ନିର୍ବାଚନ ପୂର୍ବରୁ  ତାଙ୍କୁ ରାଜନୈତିକ ଉପଦେଷ୍ଟା କରି  ବିହାରରେ ନୀତିଶ କୁମାରଙ୍କ ମହାମେଣ୍ଟ ବିଜୟୀ ହୋଇଥିଲା । ଜେଡିୟୁ- ଆରଜେଡି ଏବଂ କଂଗ୍ରେସ ମେଣ୍ଟ ଶାସନକୁ ଆସିଥିଲା । ତାପରେ ନୀତିଶ ବିଜେପି ଆଡକୁ ଢଲିଲେ ଏବଂ ମେଣ୍ଟ ଭାଙ୍ଗି ପୁଣି ବିଜେପି ସହ ମିଶି ସରକାର ଗଢିଲେ , କିନ୍ତୁ ତାଙ୍କୁ ଛାଡିଲେନି । ୨୦୧୮ ରେ ତାଙ୍କୁ ଦଳର ଉପସଭାପତି କରିଦେଲେ । କିନ୍ତୁ ପରେ ଦଳରୁ ତାଙ୍କୁ ବାହାର କରିଦେଲେ ।

ସେ ହେଉଛନ୍ତି ରାଜନୈତିକ ରଣନୀତି ବିଶାରଦ ବା ପୋଲ ଷ୍ଟାର୍ଟେଜିଷ୍ଟ ପ୍ରଶାନ୍ତ କିଶୋର । ଦଳରୁ ବାହାରିବା ପରେ ନୀତିଶ କୁମାର ଏବଂ ପ୍ରଶାନ୍ତ କିଶୋରଙ୍କ ସଂପର୍କରେ ପୂର୍ଣ୍ଣର୍ଚ୍ଛେଦ ପଡ଼ିଲା । ପ୍ରଶାନ୍ତ କିଶୋରଙ୍କ ସହ ଦଳର ପୂର୍ବତନ ରାଜ୍ୟସଭା ସାଂସଦ ପବନ କୁମାର ବର୍ମାଙ୍କୁ ମଧ୍ୟ ଦଳରୁ ବିହିଷ୍କାର କରିଥିଲା ସଂଯୁକ୍ତ ଜନତା ଦଳ। ନାଗରିକତା ସଂଶୋଧନ ଆଇନ ନେଇ ମତପାର୍ଥକ୍ୟ ଯୋଗୁଁ ଏହି ଦୁଇ ନେତାଙ୍କୁ ଦଳରୁ ଅଲଗା କରିଥିଲା ଜେଡିୟୁ । କିଛିଦିନ ତଳେ ସିଏଏ ପ୍ରସଙ୍ଗରେ ନୀତିଶ- କିଶୋରଙ୍କ ପରସ୍ପର ବିରୋଧି ବୟାନ ଶେଷରେ ଏପରି ପରିଣତି ସୃଷ୍ଟି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.