ହୋମ୍‌ କ୍ୱାରେଣ୍ଟାଇନ୍‌ରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

Published By : Prameya-News7 Bureau | July 15, 2020 IST

ଭୁବନେଶ୍ୱର୧୫।୦୭ : କ୍ବାରେଣ୍ଟାଇନରେ ଭୁବନେଶ୍ବରର ପୂର୍ବତନ ସାଂସଦ ତଥା ବିଜେଡି ଉପସଭାପତି ପ୍ରସନ୍ନ ପାଟ୍ଟଶାଣୀ । ସେ ଓ ତାଙ୍କ ପରିବାର ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି । ଏ ନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ବିଜେଡିର ଜଣେ ଯୁବ ନେତା ତାଙ୍କ ଘରକୁ ତିନି ଦିନ ତଳେ ଯାଇଥିଲେ । ସେ ଗତକାଲି ପଜିଟିଭ୍‌ ବାହାରିଛନ୍ତି । ଶ୍ରୀ ପାଟ୍ଟଶାଣୀ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ଏଣୁ ନିଜ ଆଡୁ ସତର୍କତା ପଦକ୍ଷେପ ନେଇ ସେ ନିଜ ପରିବାର ସହ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ବୋଲି କହିଛନ୍ତି ।

ଏବେ ଚାରିଆଡ଼ୁ ବାହାରିଲାଣି କରୋନା । କେଉଁଠି ଦୁଇଟା ଘର ଛାଡ଼ି କି ପଜିଟିଭ୍‌ ଚିହ୍ନଟ ହେଲେଣି ତ ଆଉଁ କେଉଁଠି ପାଖ ବସ୍ତିରୁ ମାଳମାଳ ଆକ୍ରାନ୍ତ ବାହାରିଲେଣି । ସଂସ୍ପର୍ଶରେ ଆସିଥିବା ସହକର୍ମୀ ଓ ସମ୍ପର୍କୀୟ ପରିବାରରୁ ବି କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଏଭଳି ଘନଘନ ଖବରରେ ଛାତି ଧଡ଼ଧଡ଼ । ଡର ପଶିଗଲାଣି । କରୋନାକୁ ଯେତିକି ମାରାତ୍ମକ ମନେକରାଯାଉଥିଲା, ସ୍ଥିତି ତା’ଠାରୁ ଅଧିକ ବିପଦଜନକ ହେଲାଣି । ପ୍ରତିଦିନ ଛତୁ ଫୁଟିଲା ଭଳି କରୋନା ଆକ୍ରାନ୍ତ ବାହାରୁଛନ୍ତି ରାଜଧାନୀରୁ । କେଉଁ ନିର୍ଦ୍ଦିଷ୍ଟ ଇଲାକା ଭିତରେ ଆଉ ସୀମିତ ନାହିଁ କରୋନା । ପୂରା ସହରକୁ ମାଡ଼ିଗଲାଣି । କଲୋନି, ବସ୍ତି, ଆପାର୍ଟମେଣ୍ଟ… କିଛି ବାଦ୍‌ ପଡୁନି । ଏମିତି କେଉଁ ଅଞ୍ଚଳ ନାହିଁ, ଯୁଆଡ଼େ କରୋନା ପାଦ ପକାଇ ନାହିଁ । କେବେ ୪୦, ଆଉ କେବେ ୫୦ ତ ପୁଣି କେବେ ଦିନକରେ ୬୦ରୁ ଅଧିକ ପଜିଟିଭ୍‌ ବାହାରୁଛନ୍ତି ।

ଲଗାତାର ଏମିତି ପରିସଂଖ୍ୟାନ ବିଚଳିତ କଲାଣି ଅନେକଙ୍କୁ । ଅଧିକାଂଶ ଲୋକେ ବୁଝି ସାରିଲେଣି, କରୋନାରୁ ଆଉ ନିସ୍ତାର ନାହିଁ । ଘରେ ହିଁ ରହିବାକୁ ପଡ଼ିବ । ବାହାରକୁ ବାହାରିଲେ କେତେବେଳେ ବି ସାଥୀରେ କରୋନା ଚାଲି ଆସିବ ଘରକୁ । କରୋନା ଆତଙ୍କର ଚିତ୍ର ଏଣିକି ଦେଖିବାକୁ ମିଳୁଛି ବଜାରଘାଟରେ । ଆଗରୁ ଯେଉଁ ଗ୍ରୋସରୀ ଦୋକାନ ଆଗରେ ଲୋକେ ଏକାଠି ଜମା ହେଉଥିଲେ, ଏବେ ଏମିତି ସ୍ଥିତି ଦେଖିଲେ ଦୋକାନୀ ରାଗୁଛନ୍ତି । ଅନେକ ବ୍ୟବସାୟୀ ସିଧାସିଧା କହିଲେଣି, ଛାଡ଼ି ଛାଡ଼ି ଛିଡ଼ା ହୁଅ । ଦୂରେଇକି ରୁହ ।  ଭିଡ଼ ଦେଖିଲେ ବିରକ୍ତ ହେଉଛନ୍ତି ପରିବା ବେପାରୀ । ଖୋଲାଖୋଲି ଗ୍ରାହକଙ୍କୁ କହୁଛନ୍ତି, ସାର୍‌, ଧୈର୍ଯ୍ୟ ଧରନ୍ତୁ । ଏକାବେଳେ ମାଡ଼ି ଆସିଲେ ଦେଇ ହେବନି । ଔଷଧ ଦୋକାନରେ ବି ସମାନ ଚିତ୍ର ଦେଖିବାକୁ ମିଳିଲାଣି । ଅନେକ ଦୋକାନୀ ଫିତା ଟାଣି ଦେଲେଣି । ବାହାରୁ ଚିଠା ଦେଲେ ହିଁ ଔଷଧ ମିଳିବ ।

ଅନେକ ଚା’ ଦୋକାନୀ ବି ସତର୍କ ହେଲେଣି । ଦୂରରୁ ହାତ ବଢ଼େଇ ଚା’ ଦେଉଛନ୍ତି । ଗ୍ରାହକଙ୍କୁ ଛୁଇଁଲେ ସାନିଟାଇଜର ମାରୁଛନ୍ତି ହାତରେ ।   ଡର ଏମିତି ପଶିଗଲାଣି, ଲୋକେ ଆଉ ସାହସ ଜୁଟାଇପାରୁନାହାନ୍ତି ଏକାଠି କଥାବାର୍ତ୍ତା ହେବାକୁ । ଅଧିକାଂଶ ଘରୋଇ ଅଫିସ ଏବେ ୫୦% କର୍ମଚାରୀଙ୍କୁ ନେଇ କାମ କରୁଛନ୍ତି । ଘର ମାଲିକ, ଭଡ଼ାଟିଆ ଓ ପଡ଼ୋଶୀ ବି ଆଉ ଏକାଠି କଥା ହେଉନାହାନ୍ତି । ଡାକ୍ତରଖାନା ନାଁ ଶୁଣିଲେ ଲୋକେ ଡରିଲେଣି । ହେଲେ ଜରୁରୀ ସ୍ଥିତିରେ ଯିବାକୁ ପଡ଼ୁଛି । ଯିଏ ବି ଯାଉଛନ୍ତି, ଅତି ସତର୍କତା ଅବଲମ୍ବନ କରୁଛନ୍ତି । ବିଶେଷଜ୍ଞ ଚେତାଇଲେଣି, ସାବଧାନ ହୋଇଯାଅ । କରୋନା ଏବେ ଭୟଙ୍କର ରୂପ ନେବାରେ ଲାଗିଛି । କରୋନାକୁ ଆଦୌ ହାଲୁକାରେ ନିଅନି । କେବଳ ଘରେ ରହିଲେ ହିଁ ନିରାପଦ । ନଚେତ୍‌… କେତେବେଳେ କରୋନା ଆକ୍ରାନ୍ତ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.