ଘରମୁହାଁ ଶ୍ରମିକଙ୍କ ପାଇଁ ଚିନ୍ତାରେ ସରକାର : ଓଡ଼ିଶା ଫେରିଲେଣି ୮୫ହଜାର, ଅଛନ୍ତି ଆହୁରି, ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ନଜର ରଖିଛନ୍ତି ପ୍ରଶାସନ
31/03/2020 at 7:53 PM

ଭୁବନେଶ୍ୱର ୩୧।୦୩: ଦେଶରେ କରୋନା ଆତଙ୍କ ଧିରେ ଧିରେ କାୟା ବିସ୍ତାର କରୁଥିବା ବେଳେ ଓଡ଼ିଶାରେ ଏହା ନିୟନ୍ତ୍ରଣରେ ଅଛି । ମାତ୍ର, ସବୁଠାରୁ ବଡ଼ ସମସ୍ୟା ପାଲଟିଛି ରାଜ୍ୟ ବାହାରେ କାମ କରୁଥିବା ଲୋକଙ୍କ ଘର ବାହୁଡ଼ା । ରାଜ୍ୟ ସରକାର ଆଶାବାଦୀ ଲୋକେ ସଚେତନ ହେଲେ, ସହଯୋଗ କଲେ କରୋନାକୁ ନିୟନ୍ତ୍ରଣରେ ରଖାଯାଇପାରିବ ।

ଲକ୍ ଡାଉନ୍ ସମୟରେ ବାହାର ରାଜ୍ୟରେ ଥିବା ଓଡ଼ିଆ ଶ୍ରମିକଙ୍କ ଖାଦ୍ୟପେୟ ଓ ଅନ୍ୟାନ୍ୟ ସୁବିଧା ବୁଝିବା ପାଇଁ ସରକାର ଆରମ୍ଭ କରିଛନ୍ତି ତନାଘନା । ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା ହୋଇଛି । ସରକାରୀ ସୂଚନା ଅନୁଯାୟୀ ରାଜ୍ୟ ବାହାରେ ଅଛନ୍ତି ପ୍ରାୟ ଦେଢ଼ ଲକ୍ଷ ଓଡ଼ିଆ ଶ୍ରମିକ । ଯେଉଁଠି ଶହେରୁ ଅଧିକ ଓଡ଼ିଆ ଅଛନ୍ତି, ସେଭଳି ୨୩୦ଟି ଗ୍ରୁପ୍ ଚିହ୍ନଟ କରାଯାଇଛି । ଏହା ଭିତରେ ପ୍ରାୟ ୪୦ ହଜାର ଓଡ଼ିଆଙ୍କ ସମସ୍ୟା ବିଷୟରେ ସରକାର ବୁଝିସାରିଲେଣି ବୋଲି ସୂଚନା ଦେଇଛନ୍ତି ଗୃହ ସଚିବ । ବାକି ଓଡ଼ିଆଙ୍କ କଥା ପର୍ଯ୍ୟାୟ କ୍ରମେ ବୁଝିବା ଲାଗି ସମସ୍ତ ଅଧିକାରୀ ଓ ନୋଡାଲ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ପାଖରୁ

ଲକଡାଉନ୍ ପାଇଁ କାମଧନ୍ଦା ବନ୍ଦ, ରୋଜଗାର ନାହିଁ । ତେଣୁ ବାହାର ରାଜ୍ୟକୁ କାମ ପାଇଁ ଯାଇଥିବା ହଜାର ହଜାର ଓଡ଼ିଆ ଘରମୁହାଁ । ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟ ବାହାରୁ ଏବେ ସୁଦ୍ଧା ଓଡ଼ିଶାକୁ ଫେରିଲେଣି ପ୍ରାୟ ୮୫ ହଜାରରୁ ଅଧିକ ଶ୍ରମିକ ଓ କର୍ମଜୀବୀ । ସେପଟେ, ପାଖାପାଖି ୪ ହଜାରୁ ଅଧିକ ଓଡ଼ିଆ ବିଦେଶରୁ ଫେରିଛନ୍ତି । ସେମାନଙ୍କ ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଥିଲେ ବି ବିପଦ ଟଳିନାହିଁ । ସେଥିପାଇଁ ସରକାର ନିୟମିତ ଭାବେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜାରି ରଖିଛନ୍ତି ।

ତେବେ ଗୁଜରାଟରେ ଥିବା ଓଡ଼ିଆମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସେଠାକାର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ଶ୍ରମିକଙ୍କ ସମସ୍ତ ଦାୟିତ୍ବ ଠିକ୍ ଭାବେ ଦେଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ । କରୋନାର ଭୟାବହତାକୁ ଆଖି ଆଗରେ ରଖି ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆଙ୍କ ଉପରେ ନଜର ରଖି ଉପଯୁକ୍ତ ପଦକ୍ଷେପ ନେବାକୁ ପଡ଼ିବ । ଏହା ଖାଲି ସରକାକଙ୍କ ଦାୟିତ୍ବ ନୁହେଁ, ଜନସାଧାରଣ ମଧ୍ୟ ଏହାକୁ ସଫଳ କରିବାକୁ ସହଯୋଗ କରିବା ନିତାନ୍ତ ଜରୁରୀ ।
