ପ୍ରଣବ ମୁଖାର୍ଜୀଙ୍କ ସ୍ଵାସ୍ଥ୍ୟବସ୍ଥାରେ କୌଣସି ସୁଧାର ନାହିଁ: ସ୍ଥିତି ଜଟିଳ, ଏବେ ବି ଅଛନ୍ତି ଭେଣ୍ଟିଲେଟରରେ

Published By : Prameya-News7 Bureau | August 11, 2020 IST

ନୂଆଦିଲ୍ଲୀ ୧୧।୦୮: ସେନାର ରିସର୍ଚ୍ଚ ଆଣ୍ଡ ରେଫରାଲ(ଆରଏଣ୍ଡଆର) ହସ୍ପିଟାଲର ସଦ୍ୟତମ ମେଡିକାଲ ବୁଲେଟିନ ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ଵାସ୍ଥ୍ୟରେ କୌଣସି ସୁଧାର ଆସିନାହିଁ। ସ୍ଥିତି ଏବେ ବି ଜଟିଳ ରହିଛି। ଏବେ ମଧ୍ୟ ସେ ଜୀବନରକ୍ଷକ ପ୍ରଣାଳୀରେ ଅଛନ୍ତି। ଏହାର ଗୋଟିଏ ଦିନ ପୂର୍ବେ ତାଙ୍କର ମସ୍ତିଷ୍କରେ ସର୍ଜରୀ କରାଯାଇଥିଲା।

ମୁଖାର୍ଜୀଙ୍କୁ ସୋମବାର ଦିନ ବେଳେ ସୈନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସର୍ଜରୀ ପୂର୍ବରୁ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ଵାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଘଟିନାହିଁ। ଏବେ ମଧ୍ୟ ସେ ଭେଣ୍ଟିଲେଟରରେ ଅଛନ୍ତି।

ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ଟିମ୍‌ ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ଵାସ୍ଥ୍ୟବସ୍ଥାର ନୀରିକ୍ଷଣ କରୁଛନ୍ତି। ମୁଖାର୍ଜୀ ସୋମବାର ଟ୍ଵିଟ୍ କରି ନିଜେ କରୋନା  ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ। ସେ ଅପିଲ୍ କରିଥିଲେ ଯେ ଗତ ଏକ ସପ୍ତାହରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜେ ପୃଥକବାସରେ ରହି କରୋନା ଯାଞ୍ଚ କରାଇ ନିଅନ୍ତୁ।

ପୂର୍ବତନ ରାଷ୍ଟ୍ରପତିଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ମାତ୍ରେ ସବୁ ବର୍ଗରୁ ତାଙ୍କର ଶୀଘ୍ର ସୁସ୍ଥତାର କାମନା କରାଯାଇଛି। ତାଙ୍କ ଆରୋଗ୍ୟକାମନାର ସନ୍ଦେଶ ଆସିବାରେ ଲାଗିଛି। ଅନେକ ନେତା ଟ୍ଵିଟ୍ ଜରିଆରେ ତାଙ୍କ କୁଶଳତା କାମନା କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀଙ୍କ ସହ ସୋମବାର ସନ୍ଧ୍ୟାରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଆର ଆଣ୍ଡ ଆର ହସ୍ପିଟାଲ ଯାଇ ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ଵାସ୍ଥ୍ୟର ସମୀକ୍ଷା କରିଛନ୍ତି। ସିଂହ ପାଖାପାଖି ୨୦ ମିନିଟ୍‌ ହସ୍ପିଟାଲରେ ବିତାଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ପୂର୍ବତନ ରାଷ୍ଟ୍ରପତିଙ୍କୁ ଶୁଭକାମନା ପଠାଇ ତାଙ୍କର ଶୀଘ୍ର ସୁସ୍ଥ କାମନା ପାଇଁ ପ୍ରାର୍ଥନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.