ଗାଁ ମାଟିରେ ପ୍ରମୋଦ ଭଗତ : ବାଜା, ବାଣ ସହ ଶୋଭାଯାତ୍ରାରେ ପାଛୋଟିନେଲେ ଅଞ୍ଚଳବାସୀ

Published By : Prameya-News7 Bureau | September 21, 2021 IST

ବରଗଡ ୨୧।୯: ଗାଁ ମାଟିରେ ସୁନାପୁଅ ପ୍ରମୋଦ ଭଗତ । ଭବ୍ୟ ସମ୍ବର୍ଦ୍ଧନା ସହ ପାଛୋଟି ନେଲେ ଗ୍ରାମବାସୀ । ବାଜା-ବାଣ ସହ ଫୁଲତୋଡା, ପୁଷ୍ପମାଲ୍ୟ ଦେଇ ସ୍ବାଗତ କଲେ ଅଞ୍ଚଳବାସୀ । ପାରା ଅଲିମ୍ପିକ୍ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଗାଁ ମାଟି ଅତାବିରାଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ସୁନା ପୁଅ ପ୍ରମୋଦ ମଙ୍ଗଳବାର ସକାଳୁ ପ୍ରଥମେ ଗୋଡ଼ଭଗା ହାଇସ୍କୁଲ ନିକଟରେ ପହଞ୍ଚିବା ପରେ ସ୍କୁଲ ଛାତ୍ର-ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ନାଗରିକ କମିଟି ତରଫରୁ ସ୍ବାଗତ କରାଯିବା ସହ ଏକ ସୁସଜ୍ଜିତ ରଥ ଗାଡ଼ିରେ ପାଛୋଟି ଅଣା ଯାଇଥିଲା ଅତାବିରା ପର୍ଯ୍ୟନ୍ତ । ରାସ୍ତାରେ ବିଭିନ୍ନ ସଂଗଠନ ସମେତ ସ୍କୁଲ-କଲେଜର ଛାତ୍ରଛାତ୍ରୀ ପ୍ରମୋଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଅତବିରାରେ ପହଞ୍ଚି ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିଥିଲେ । ନିଜ ଜନ୍ମମାଟିରେ ପ୍ରମୋଦଙ୍କୁ ଏପରି ସ୍ବାଗତ ଦିଆଯାଇଥିବାରୁ ସେ ବେଶ ଖୁସି ଅନୁଭବ କରିଥିଲେ ।

ପରେ ଅତାବିରା ନିକଟସ୍ଥ ଲାଦେରପାଲି ସ୍ଥିତ ରଣେଶ୍ବର ରାମଚଣ୍ଡୀ ମନ୍ଦିରରେ ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହାପରେ କଲ୍ୟାଣ ମଣ୍ଡପରେ ବିଭିନ୍ନ ସଂଗଠନ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗାଁ ପୁଅ ଗାଁ ପାଇଁ ଗୌରବ ଆଣିଥିବାରୁ ତାଙ୍କ ସହିତ ଖେଳୁଥିବା ଓ ତାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଥିବା କ୍ରୀଡ଼ାବିତ ରବି ନାରାୟଣ ପଣ୍ଡା ଖୁସିରେ ବିଭୋର ହୋଇ ପ୍ରମୋଦଙ୍କ ସଂଘର୍ଷମୟ ଜୀବନ ଯାତ୍ରା ବିଷୟରେ କହି କାନ୍ଦିପକାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.