'ପ୍ରମେୟ' ସାମ୍ବାଦିକଙ୍କୁ ହାଜତରେ ଥାର୍ଡ ଡିଗ୍ରୀ, ଏନଏଚଆରସିରେ ମାମଲା, ୬ ସପ୍ତାହରେ ରିପୋର୍ଟ ଦେବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | November 23, 2020 IST

କେନ୍ଦ୍ରାପଡା,୨୩/୧୧:  ଆଗରୁ ଅନେକ ଥର ଧମକ ମିଳିଥିଲା । ମିଛ ମାମଲାରେ ଫସାଇ ବାନ୍ଧି ଭିତରକୁ ପଠାଇଦେବୁ ବୋଲି ମଧ୍ୟ କୁହାଯାଉଥିଲା। ଶେଷରେ ପୋଲିସ ଯେଉଁ ଧମକ ଦେଇଥିଲା ତାହା ସେୟା ହିଁ ହେଲା । ପେସାଦାର ଅପରାଧୀ ଭଳି  ‘ପ୍ରମେୟ’ର ପଟ୍ଟାମୁଣ୍ଡାଇ ବ୍ଲକ୍‍ ପ୍ରତିନିଧି ଅନୀଲ ଚୌଧୁରୀଙ୍କୁ ପୋଲିସ ରାସ୍ତାରୁ ଉଠାଇନେଇଛି । ଏହାସହ  ହାଜତରେ ଦେଇଛି ଥାର୍ଡ ଡିଗ୍ରୀ ।

ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ, ସାମ୍ବାଦିକଙ୍କ ପତ୍ନୀ ସନ୍ଧ୍ୟାରାଣୀ ଚୌଧୁରୀଙ୍କ ଅଭିଯୋଗ କରିଛନ୍ତି ଯେ, ପୀଡ଼ିତ ସାମ୍ୱାଦିକ ତଥା ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ମାର୍ଶାଘାଇ ବ୍ଲକ୍‍ ତାଳସଙ୍ଗା ଗ୍ରାମର ମାନବାଧିକାର କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି ଜାତୀୟ ମାନବାଧିକାର କମିସନ(ଏନ୍‍ଏଚ୍‍ଆର୍‌ସି)ଙ୍କ ନିକଟରେ ଆବେଦନ କରିଥିଲେ। ଆବେଦନକୁ ଗ୍ରହଣ କରି ଏନ୍‍ଏଚ୍‍ଆର୍‌ସି କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖରଙ୍କୁ ଏ ସଂକ୍ରାନ୍ତରେ ରିପୋର୍ଟ ମାଗିଛନ୍ତି। ମାମଲା ବାବଦରେ ପୋଲିସ କ’ଣ କାର୍ଯ୍ୟାନୁଷ୍ଠାନ କରିଛି ତାହା ଆସନ୍ତା ୬ ସପ୍ତାହ ମଧ୍ୟରେ ରିପୋର୍ଟ ଆକାରରେ ଜଣାଇବାକୁ କମିଶନ୍‌ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରେ  କୁହାଯାଇଛି କି, ବିଗତ କିଛି ଦିନ ଧରି ପଟ୍ଟାମୁଣ୍ଡାଇ ଥାନା ପୋଲିସର ଅପାରଗତା, ଦୁର୍ନୀତି, ଅଞ୍ଚଳର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ପୋଲିସ-ଅପରାଧୀ ଲିଙ୍କ୍‍ ବାବଦରେ ‘ପ୍ରମେୟ’ରେ ଖବର ଅନେକ ସମୟରେ ଖବର ପ୍ରକାଶ ପାଇଥିଲା । ଫଳରେ ପଟ୍ଟାମୁଣ୍ଡାଇ ପୋଲିସ ବିବାଦକୁ ଆସିଥିଲା । ଏହା ପରେ ପୋଲିସ ଅତ୍ୟଧିକ ପ୍ରତିଶୋଧପରାୟଣ ହୋଇପଡ଼ିଥିଲା । ଏପରିକି ଶ୍ରୀ ଚୌଧୁରୀଙ୍କୁ ମିଥ୍ୟା ମାମଲାରେ ଫସାଇ ଗିରଫ କରିବାକୁ ଜଣେ ପୋଲିସ ଅଧିକାରୀ ଯୋଜନା କରୁଥିବାର ଅଡିଓ କ୍ଲିପ୍‌ ଭାଇରାଲ୍‌ ହୋଇଥିଲା । ଏହି ଅଡିଓ ବିଭିନ୍ନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ପୋଲିସ କିପରି ଶ୍ରୀ ଚୌଧୁରୀଙ୍କ ନାଁରେ ଏତଲା ରୁଜୁ କରିବାକୁ ଷଡ଼ଯନ୍ତ୍ର କରୁଛି ତାହା ଏକ ପ୍ରକାର ସ୍ପଷ୍ଟ ହୋଇଥିଲା । ଏପରିକି ତାଙ୍କୁ “ବାନ୍ଧି ଫରୱାର୍ଡ’ କରିଦେବି ବୋଲି ଜଣେ ପୋଲିସ ଅଧିକାରୀଙ୍କ ସ୍ୱର ଅଡିଓରେ ଥିଲା । ତେବେ ଗତ ୭ ତାରିଖରେ ପୋଲିସ ଆକ୍ରୋଶମୂଳକ ଭାବେ ଶ୍ରୀ ଚୌଧୁରୀଙ୍କୁ ବିନା ନୋଟିସ୍‌ରେ ରାସ୍ତାରୁ ଉଠାଇନେଇ ମାଡ଼ ମାରି ଲହୁଲୁହାଣ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣାରେ ଏନ୍‍ଏଚ୍‍ଆର୍‌ସି ହସ୍ତକ୍ଷେପ କରି ତୁରନ୍ତ ପୀଡ଼ିତ ସାମ୍ୱାଦିକ ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଆବେଦନକାରୀ ଶ୍ରୀ ମହାନ୍ତି ନିବେଦନ କରିଥିଲେ ।  ଏପରିକି ଘଟଣାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେବା ସହିତ ପୀଡ଼ିତ ସାମ୍ବାଦିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ। ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଜଣାଇବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.