ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଲେ ପ୍ରକାଶ ରଞ୍ଜନ ନାୟକ: ୧୫ ବର୍ଷର ଇଞ୍ଜିନିୟରିଂ ଚାକିରି ଛାଡ଼ି ଗାଁରେ କଲେ ଚାଷ

Published By : Prameya-News7 Bureau | May 18, 2020 IST

ବରଗଡ଼୧୮/୫: ପିଲାଟି ଦିନରୁ ତାଙ୍କର ଚାଷ ପ୍ରତି ଥିଲା ଅହେତୁକ ଆଗ୍ରହ। ହେଲେ ଇଞ୍ଜିନିୟରିଂ ପାଠ ପଢ଼ି ସେ ଟେଲିକମ୍‌ ବିଭାଗରେ ଚାକିରି ପାଇଥିଲେ। କିନ୍ତୁ କେଜାଣି କାହିଁକି ପୁଣି ଚାଷକୁ ନେଇ ତାଙ୍କର ସ୍ବପ୍ନ ବଢ଼ିଗଲା। ୧୫ ବର୍ଷର ଇଞ୍ଜିନିୟରିଂ ଚାକିରି ଛାଡ଼ି ସେ ଫେରି ଆସିଲେ ଗାଁକୁ। ସ୍ବପ୍ନକୁ ଶାକାର ରୂପ ଦେବାକୁ ପ୍ରସ୍ତୁତ କଲେ ଯୋଜନା। ନୂତନ ଜ୍ଞାନକୌଶଳ ତଥା ବୈଜ୍ଞାନିକ ପଦ୍ଧତିକୁ ଅନୁସରଣ କରି ଆରମ୍ଭ କଲେ ଚାଷ। ଅଳ୍ପ ଦିନ ମଧ୍ୟରେ ତାଙ୍କର ସ୍ବପ୍ନ ବାସ୍ତବ ରୂପ ନେବା ଆରମ୍ଭ କରିଛି। ଆଉ ଏହା ତାଙ୍କୁ ସ୍ଥାନୀୟ ଅଞ୍ଚଳରେ କରିଛି ଚର୍ଚ୍ଚିତ। ସେହି ବ୍ୟକ୍ତି ହେଲେ ପ୍ରକାଶ ରଞ୍ଜନ ନାୟକ। ଘର ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ବନହର ଗ୍ରାମରେ। ମା’ ଗାୟତ୍ରୀ ଓ ବାପାଙ୍କ ନାମ ବିନୋଦ ନାୟକ।

{"id":271956,"sizeSlug":"large"}

ପ୍ରକାଶ ଚାକିରି ଛାଡ଼ି ଗାଁକୁ ଫେରିବା ପରେ ଅର୍ଥାତ୍‌ ଗତ ୬ ମାସ ହେଲା କୃଷି କ୍ଷେତ୍ରରେ ପାଦ ଦେଇଛନ୍ତି। ଆଧୁନିକ ଜ୍ଞାନକୌଶଳ ତଥା ବୈଜ୍ଞାନିକ ପଦ୍ଧତିକୁ ଆପଣାଇଛନ୍ତି। ୧୮ଲକ୍ଷ ଟଙ୍କା ବିନିଯୋଗ କରି ପ୍ରାୟ ୩୦ ଡେସିମିଲ ଜମିରେ ଏକ ପଲି ହାଉସ୍‌ ନିର୍ମାଣ କରିଛନ୍ତି। ଆଉ ପ୍ରଥମ ପରୀକ୍ଷଣ ଭାବେ ସେଥିରେ କ୍ୟାପ୍‌ସିକମ୍ ‌(ସିମଳା ଲଙ୍କା) ଚାଷ କରିଛନ୍ତି ସେ। ଫସଲ ବି ଭଲ ହୋଇଛି। ଗତ ୩ମାସ ଭିତରେ ସେଥିରୁ ସେ ପ୍ରାୟ ୬ ଟନ୍‌ କ୍ୟାପ୍‌ସିକମ୍‌ ଉତ୍ପାଦନ କରିଥିବା କହିଛନ୍ତି। କ୍ୟାପ୍‌ସିକମ୍‌ ଚାଷକୁ ସେ କେବଳ ପରୀକ୍ଷଣ ଭାବେ ଆରମ୍ଭ କରିଛନ୍ତି। ଆଗକୁ ଅନ୍ୟ କିସମର ପରିବା ଚାଷ ମଧ୍ୟ ଏଭଳି ପଲି ହାଉସ୍‌ରେ କରିବାକୁ ତାଙ୍କର ଲକ୍ଷ୍ୟ ରହିଛି। ଏହି ପଦ୍ଧତିରେ ଚାଷ କଲେ କମ୍‌ ଜାଗାରେ ଉତ୍ତମ ମାନର ଅଧିକ ଫସଲ ଉତ୍ପାଦନ ହୋଇପାରିବ।

{"id":271957,"sizeSlug":"large"}

ସାଧାରଣ ପ୍ରଣାଳୀର ଚାଷ ଅପେକ୍ଷା ଏଥିରେ ବହୁତ କମ୍‌ ଅର୍ଥାତ୍‌ ପ୍ରାୟ ୧୦ ପ୍ରତିଶତ ସାର, କୀଟନାଶକ ଦରକାର ପଡ଼ୁଥିବା କୁହନ୍ତି ସେ। ତେବେ ଇଞ୍ଜିନିୟରିଂ ଚାକିରି ଛାଡ଼ି କୃଷିକ୍ଷେତ୍ରକୁ ଆସିବା ପ୍ରସଙ୍ଗରେ ପ୍ରକାଶ କୁହନ୍ତି, ‘ଚାଷ ପ୍ରତି ଆଗରୁ ଆଗ୍ରହ ଥିଲା। ଜାପାନ, ଇସ୍ରାଏଲ, ଚାଇନା ଭଳି ଦେଶରେ ଲୋକେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଚାଷକାର୍ଯ୍ୟରେ ବେଶ୍‌ ସଫଳ ହେଉଛନ୍ତି। ତେଣୁ ସେଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅବଲମ୍ବନ କରି ଚାଷ ଲାଗି ମନ ବଳିଲା। ଏଥିସହିତ ଏଭଳି କୌଶଳରେ ଚାଷ କରି ନିଜେ ସଫଳ ହେବା ପରେ ଏହି ସଫଳତାର ବାର୍ତ୍ତା ଲୋକଙ୍କ ପାଖକୁ ପହଞ୍ଚାଇବା ହିଁ ଉଦ୍ଦେଶ୍ୟ ଥିଲା।’ ଏହି ପଦ୍ଧତିରେ କମ୍‌ ଜମିରେ ଅଧିକ ଉନ୍ନତ ଓ ଗୁଣମାନର ଉତ୍ପାଦନ ହୋଇପାରୁଛି ବୋଲି ସେ କହିଛନ୍ତି। ତେବେ ଲୋକଙ୍କୁ ଏଦିଗରେ ସଚେତନ କରାଇବା ସହ ସେମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ଼ ଲାଗି ଲକ୍ଷ୍ୟ ରଖିଛନ୍ତି ପ୍ରକାଶ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.