ନୂଆଦିଲ୍ଲୀ ୨୫।୦୩: କରୋନା ଭାଇରସ୍ କାରଣରୁ ସମଗ୍ର ଦେଶ ସଂପ୍ରତି ଲକଡାଉନରେ ରହିଛି। ଆଜିଠୁ ଆରମ୍ଭ ହୋଇଥିବା ଏହି ୨୧ ଦିନିଆ ଲକଡାଉନ୍ ଏପ୍ରିଲ ୧୪ ପର୍ଯ୍ୟନ୍ତ ଚାଲିବ। କାଳେ ଦର ବଢିଯିବ କିମ୍ବା ମିଳିବ ନାହିଁ ଲୋକେ ଆତଙ୍କିତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରେ ମହଜୁଦ ରଖିବା ଆରମ୍ଭ କରି ଦେଇଛନ୍ତି। ଏହା ମଧ୍ୟରେ କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇ ପ୍ରକାଶ ଜାଭେଦକର କହିଛନ୍ତି ଯେ, ସରକାର ଲୋକଙ୍କୁ ଅଗ୍ରୀମ ଭାବେ ତିନି ମାସର ରାସନ ଯୋଗାଇ ଦେବେ। ଦେଶର ୮୦ କୋଟି ଲୋକଙ୍କୁ ରାସନ ମିଳିବ। କୌଣସି ଜରୁରୀ ସାମଗ୍ରୀର ଅଭାବ ହେବାକୁ ଦିଆଯିବ ନାହିଁ ବୋଲି ପ୍ରକାଶ ଜାଭେଦକର କହିଛନ୍ତି।
ସରକାର ସ୍ପଷ୍ଟ କରିଛନ୍ତି ଯେ, ଲକଡାଉନ ସମୟରେ ସମଗ୍ର ଦେଶରେ କେଉଁଠି ବି ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବନ୍ଦ ହେବ ନାହିଁ। ଲୋକେ ଆତଙ୍କିତ ହୋଇ ସାଗମ୍ରୀ କିଣି ଘରେ ଜମା କରନ୍ତୁ ନାହିଁ ନଚେତ୍ ଏଥିରେ ଜମାଖୋରୀ ଓ କଳାବଜାରୀକୁ ପ୍ରୋତ୍ସାହନ ଦେବ। କେନ୍ଦ୍ର ଓ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ବୁଧବାର ଏଠାରେ ମନ୍ତ୍ରିମଣ୍ଡଳର ବୈଠକ ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି।
{"id":243993,"sizeSlug":"large"}ସେ ସ୍ପଷ୍ଟ କରିଛନ୍ତି ଯେ, ଆବଶ୍ୟକ ସେବାର ସମସ୍ତ ଦୋକାନ ପ୍ରତି ଦିନ ଖୋଲା ରହିବ। କ୍ଷୀର ହେଉ କି ଫଳ ପନିପରିବା ବା ଅଣ୍ଡା-ମାଂସ ଏସବୁ ଜରୁରୀ ସାମାନ ବିକ୍ରି କରୁଥିବା ଦୋକାନ ନିୟମିତ ସବୁ ଦିନେ ଖୋଲା ରହିବ। ଏସବୁ ସାମଗ୍ରୀ ସେମିତି ଉପଲବ୍ଧ ରହିବ ଯେମିତି ସାଧାରଣ ଦିନ ଗୁଡିକରେ ଉପଲବ୍ଧ ରହିଥାଏ। ସେ ଗୁଜରାଟର ଏକ ସହର ଏବଂ ପୁଡୁଚେରୀର ଏକ ଦୋକାନର ଫଟୋ ଦେଖାଇ କହିଛନ୍ତି ଯେ, ଲୋକେ ସଚେତନ ହୁଅନ୍ତୁ। ଦୋକାନରେ ସଉଦା କିଣିବା ସମୟରେ ଉଚିତ୍ ଦୂରତା ବଜାୟ ରଖନ୍ତୁ। ଏଥିରେ ସମସ୍ତେ ଶାନ୍ତି ଶୃଙ୍ଖଳା ସହ ସାମାନ ନେଇ ପାରିବେ ଏବଂ ସମସ୍ତେ ସଂକ୍ରମଣରୁ ରକ୍ଷା ପାଇ ପାରିବେ।
ଯଦି କୌଣସି ଦୋକାନୀ କଳାବଜାରୀ କରନ୍ତି ତେବେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ଅପିଲ୍ କରିଛନ୍ତି ଯେ, ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ପରସ୍ପରର ସହାୟତା କରନ୍ତୁ। ଜମାଖୋରୀ କରନ୍ତୁ ନାହିଁ, ନଚେତ୍ ବିବଶ ହୋଇ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ।