କ୍ରିକେଟରୁ ଅଲବିଦା ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା : ଟ୍ଵିଟ୍ କରି କଲେ ଘୋଷଣା
21/02/2020 at 5:38 PM

ଭୁବନେଶ୍ବର ୨୧/୨: କ୍ରିକେଟକୁ ଅଲବିଦା କରିଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା । ମାତ୍ର ୩୩ ବର୍ଷ ବୟସରେ ପ୍ରଜ୍ଞାନ କ୍ରିକେଟ୍ ର ସବୁ ଫର୍ମାଟ୍ ରୁ ଅବସର ଘୋଷଣା କରିଛନ୍ତି । ଏ ସଂପର୍କରେ ସେ ଟ୍ଵିଟ କରି ଘୋଷଣା କରିଛନ୍ତି । ଟ୍ଵିଟ ସହ ଏକ ପତ୍ର ସେ ସେୟାର କରିଛନ୍ତି । ପତ୍ର ମାଧ୍ୟମରେ ସେ ମହାନ କ୍ରିକେଟର ସଚିନ ତେନ୍ତୁଲକର, ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ବେଙ୍ଗଲ କ୍ରିକେଟ୍ ଆସୋସିଏସନ, ଟିମ ସହକର୍ମୀ ଓ କ୍ରିକେଟ ପ୍ରେମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

୧୮ ନଭେମ୍ବର ୨୦୧୩ । ସ୍ଥାନ ମୁମ୍ବାଇର ଓ୍ବାନଖେଡ । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ । ଦୁଇଟି କାରଣ ପାଇଁ ବିଶ୍ବ କ୍ରିକେଟ ଇତିହାସରେ ଅବିସ୍ମରଣୀୟ ହୋଇ ରହିଯାଇଛି ଏହି ମ୍ୟାଚ । କାରଣ ନମ୍ବର ୧ । ଏହା କ୍ରିକେଟର ଭଗବାନ କୁହାଯାଉଥିବା ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟ । କାରଣ ନମ୍ବର ୨ । ମ୍ୟାଚରେ ୧୦ ଓ୍ବିକେଟ ନେଇ ଭାରତ ବିଜୟରେ ହିରୋ ସାଜିଥିଲେ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା । ଏଥି ପାଇଁ ଏହି ବାମହାତୀ ସ୍ପିନରଙ୍କୁ ମିଳିଥିଲା ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର । ସବୁଠୁ ବଡ କଥା ହେଲା, ଏହି ମ୍ୟାଚ ପରଠୁ ତାଙ୍କୁ ଆଉ ଟେଷ୍ଟ ଟିମ୍ ରେ ସ୍ଥାନ ମିଳିନି । ସେଇ ପ୍ରଜ୍ଞାନ ଆଜି କ୍ରିକେଟକୁ ଅଲବିଦା କରିଛନ୍ତି । ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷରେ ୨୦୦୯ ରେ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଜ୍ଞାନ । ଭାରତ ପାଇଁ ୨୪ ଟି ଟେଷ୍ଟ ଖେଳି ୧୧୩ ଟି ୱିକେଟ୍ ନେଇଛନ୍ତି ପ୍ରଜ୍ଞାନ ଓଝା । ୨୦୦୮ରେ ବାଂଲାଦେଶ ବିପକ୍ଷରେ ଦିନିକିଆ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ୧୮ଟି ଦିନିକିଆରୁ ୨୧ ଟି ୱିକେଟ୍ ନେଇଛନ୍ତି । ଟି-ଟ୍ବେଣ୍ଟିଂରେ ୬ ଟି ମ୍ୟାଚ୍ ଖେଳି ୧୦ ଟି ୱିକେଟ୍ ନେଇଛନ୍ତି । ୨୦୧୩ ନଭେମ୍ବର ୧୮ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ ଶେଷ ଟେଷ୍ଟ । ସେହିପରି ୨୦୧୨ ଜୁଲାଇ ୨୪ ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ ଶେଷ ଦିନିକିଆ । ଆଇସିସି ପ୍ଲେୟାର ର୍ୟାଙ୍କିଂର ୫ ନମ୍ବର ସ୍ଥାନ ଥିଲା ତାଙ୍କ କ୍ୟାରିୟରର ମାଇଲି ଖୁଣ୍ଟ । ଅନେକ ମ୍ୟାଚରେ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଭାରତକୁ ବିଜୟୀ କରାଇଛି । ପ୍ରଜ୍ଞାନ ଡେକାନ୍ ଚାର୍ଜର୍ସ ହାଇଦ୍ରାବାଦ୍, ମୁମ୍ବାଇ ଇଣ୍ଡିଆନସ୍ ଭଳି ଆଇପିଏଲ୍ ଟିମ୍ ର ସଦସ୍ୟ ଥିଲେ ।

୨୦୧୪ ରେ ବିବାଦୀୟ ବୋଲିଂ ଆକ୍ସନ୍ ପାଇଁ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ବ୍ରେକ୍ ଲାଗିଥିଲା । ଜାନୁଆରୀ ୩୦, ୨୦୧୫ ରେ ପ୍ରଜ୍ଞାନଙ୍କ ବୋଲିଂ ଆକ୍ସନ୍ କୁ କ୍ଲିନ୍ ଚିଟ୍ ଦିଆଯାଇଥିଲେ ବି ସେ ଆଉ ଅନ୍ତର୍ଜାତୀୟ କ୍ରିକେଟ୍ କୁ ଫେରି ପାରିନଥିଲେ । ସେ ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ୍ ସହ ୧୪ ବର୍ଷରୁ ଅଧିକ ସମୟ ଯୋଡି ହୋଇଥିଲେ । ପରେ ବେଙ୍ଗଲ ଓ ୨୦୧୮-୧୯ ରେ ବିହାର ପକ୍ଷରୁ ରଣଜୀ ଖେଲିଥିଲେ । ଦେବାଶିଷ ମହାନ୍ତି, ସଞ୍ଜୟ ରାଉଳ, ଶିବ ସୁନ୍ଦର ଦାସଙ୍କ ପରେ ଚତୁର୍ଥ ଓଡ଼ିଆ ଭାବେ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଥିଲେ ପ୍ରଜ୍ଞାନ ଓଝା ।
