ଭୁଲ୍ ମାଗିଲେ ପ୍ରଜ୍ଞା ଠାକୁର

Published By : Prameya-News7 Bureau | November 29, 2019 IST

ନୂଆଦିଲ୍ଲୀ ୨୯। ୧ -  ଭୁଲ୍ ମାଗିଲେ ପ୍ରଜ୍ଞା ଠାକୁର । ନାଥୁରାମ୍ ଗଡସେଙ୍କୁ ଦେଶଭକ୍ତ କହି ବିବାଦୀୟ ବୟାନ ଦେଇଥିବା ସାଂସଦ ସାଧ୍ୱୀ ପ୍ରଜ୍ଞା ଲୋକସଭାରେ ଭୁଲ ମାଗିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଧ୍ୱୀ ପ୍ରଜ୍ଞା ଠାକୁର ପୁଣି ବିବାଦୀୟ ବୟାନଲାଗି ଚର୍ଚ୍ଚାରେ ଅଛନ୍ତି ।

ଲୋକସଭାରେ ଆଲୋଚନା ବେଳେ ପ୍ରଜ୍ଞା ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମଙ୍କୁ ‘ଦେଶଭକ୍ତ’ କହିଥିଲେ। ଲୋକସଭାରେ ଏସପିଜି (ସଂଶୋଧନ) ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ଡିଏମକେ ନେତା ଏ ରାଜା ଗଡ଼ସେଙ୍କ କଥା ଉଠାଇଥିଲେ। ନାଥୁରାମ ଗଡ଼ସେ ମହାତ୍ମା ଗାନ୍ଧୀଙ୍କୁ କାହିଁକି ହତ୍ୟା କରିଥିଲେ ସେ ସଂକ୍ରାନ୍ତରେ ରାଜା ଗଡ଼ସେଙ୍କର ଏକ ଟିପ୍ପଣୀକୁ ରଖିଥିବା ବେଳେ ପ୍ରଜ୍ଞା ଏଥିରେ ହସ୍ତକ୍ଷେପ କରିଥିଲେ। ପ୍ରଜ୍ଞା କହିଥିଲେ ଯେ, ସେ ଜଣେ ଦେଶଭକ୍ତଙ୍କର ଉଦାହରଣ ଦେଇପାରିବେ ନାହିଁ।

ଏହି ବୟାନ ପରେ ବିବାଦୀୟ ସାଂସଦ ପ୍ରଜ୍ଞା ଠାକୁରଙ୍କୁ ଭାରତୀୟ ଜନତା ପାର୍ଟି ନିନ୍ଦା କରିବା ସହ ସଂସଦୀୟ ସୁରକ୍ଷା ପାନେଲରୁ ବାଦ ଦିଆଯାଇଥିଲା।ହି ପ୍ରସଙ୍ଗରେ ଆଜି ସାଧ୍ୱୀ ପ୍ରଜ୍ଞା ଠାକୁର ଲୋକସଭାରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର କଥାକୁ ଅତିରଂଜିତ କରାଯାଇଛି। ସେ ମହାତ୍ମା ଗାନ୍ଧୀଙ୍କୁ ପ୍ରଶଂସା କରନ୍ତି ବୋଲି କହିଛନ୍ତି। ଯଦି ତାଙ୍କ କଥା କାହାରି ମନରେ ଆଘାତ ଦେଇଥିବ, ସେଥିଲାଗି ସେ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.