ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ପଡିଲା ମହଙ୍ଗା, ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦୀୟ କମିଟିରୁ ବିଦାହେଲେ ପ୍ରଜ୍ଞା ଠାକୁର

Published By : Prameya-News7 Bureau | November 28, 2019 IST

ନୂଆଦିଲ୍ଲୀ ୨୮।୧୧: ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ପ୍ରଜ୍ଞା ଠାକୁରଙ୍କୁ ମହଙ୍ଗା ପଡିଛି । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ଗଡସେଙ୍କୁ ସଂସଦରେ ଦେଶଭକ୍ତ କହିବା ପରେ ପ୍ରଜ୍ଞା ଠାକୁରଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ କମିଟିରୁ ପ୍ରଜ୍ଞା ଠାକୁରଙ୍କୁ ହଟାଯାଇଛି । ଏହାସହ ଚଳିତ ଅଧିବେଶନରେ ବିଜେପିର ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ପାରିବେନି ପ୍ରଜ୍ଞା ଠାକୁର ।

କେବଳ ଏତିକି ନୁହେଁ, ଦଳୀୟ ଅନୁଶାସନ ସମିତି ମଧ୍ୟ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ସୂଚନା ମିଳିଛି । ତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କରାଯାଇପାରେ । ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଜ୍ଞା ଠାକୁରଙ୍କ ବୟାନକୁ ନିନ୍ଦା କରିବା ସହ ଦଳ ଏହାକୁ ସମର୍ଥନ କରୁନାହିଁ ବୋଲି ସ୍ପଷ୍ଟ କରିଛି ।

ଅନ୍ୟପଟେ ରାହୁଲ ଗାନ୍ଧୀ ଟୁଇଟ କରି ପ୍ରଜ୍ଞା ଠାକୁରଙ୍କୁ ଟାର୍ଗେଟ୍ କରିଛନ୍ତି । ଆତଙ୍କୀ ପ୍ରଜ୍ଞା ଆତଙ୍କୀ ଗଡସେଙ୍କୁ ଦେଶଭକ୍ତ କହିଛନ୍ତି । ଏହା ଭାରତୀୟ ସମ୍ବିଧାନ ଇତିହାସରେ ଏକ କଳା ଦିବସ ବୋଲି ରାହୁଲ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ଲୋକସଭାରେ ଏସପିଜି ସଂଶୋଧନ ବିଲ୍ ସମୟରେ ଡ଼ିଏମକେ ସାଂସଦ ଏ ରାଜା ନିଜ ରାୟ ରଖିଥିଲେ । ପ୍ରଜ୍ଞା ଠାକୁର ବିତର୍କ ମଝିରେ କହିଥିଲେ ଯେ, ଆପଣ ଜଣେ ଦେଶ ଭକ୍ତଙ୍କ ଉଦାହରଣ ଦେଇପାରିବେ ନାହିଁ । ଆଉ ପ୍ରଜ୍ଞା ଠାକୁରଙ୍କ ଏହି ବୟାନକୁ ନେଇ ସଂସଦରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ଏହାକୁ ନେଇ ସଂସଦରେ ହଟ୍ଟଗୋଳ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.