ଆଜିଠାରୁ ଆରମ୍ଭ ହେଉଛି ଆୟୁଷ୍ମାନ୍ ଭାରତ ଯୋଜନା : ୫୦କୋଟି ପରିବାର ପାଇବେ ମାଗଣା ସ୍ବାସ୍ଥ୍ୟସେବା
23/09/2018 at 12:05 PM

ରାଞ୍ଚି ୨୩/୯: ବିଶ୍ବର ସବୁଠୁ ବଡ଼ ସ୍ବାସ୍ଥ୍ୟ ଯୋଜନା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ୍ ଭାରତ ଆଜିଠାରୁ ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଞ୍ଚିଠାରେ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ଆାନୁକୂଲ୍ୟରେ ଦେଶର ୧୦.୭୫କୋଟି ଗରିବ ପରିବାର ଅର୍ଥାତ୍ ପାଖାପାଖି ୫୦କୋଟି ଲୋକ ଉପକୃତ ହେବେ। ଏହି ଯୋଜନା ଦ୍ବାରା ହିତାଧିକାରୀମାନେ ସରକାରୀ ବା ଘରୋଇ ହସ୍ପିଟାଲରେ ବାର୍ଷିକ ୫ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଇପାରିବେ।
ସୂଚନାଯୋଗ୍ୟ ଯେ, ଦେଶର ଅନ୍ୟ ସମସ୍ତ ରାଜ୍ୟ ଏହି ଯୋଜନାର ଅନ୍ତର୍ଭୁକ୍ତ ହେବା ପାଇଁ ସହମତି ବ୍ୟକ୍ତ କରିଥିବାବେଳେ ଓଡ଼ିଶା ଏହି ଯୋଜନାରେ ସାମିଲ ହୋଇନାହିଁ। ଏହାର ବିକଳ୍ପଭାବେ ରାଜ୍ୟ ସରକାର ନିଜସ୍ବ ସ୍ବାସ୍ଥ୍ୟ ଯୋଜନା ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାର ଶୁଭାରମ୍ଭ କରିସାରିଛନ୍ତି।
ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେଉବୋଲି କେନ୍ଦ୍ର ବରାବର ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇ ଆସୁଛି। ଏପରିକି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ ସମୟରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟ ସରକାର ଆୟୁଷ୍ମାନ୍ ଭାରତ ଯୋଜନାରେ ସାମିଲ ହୋଇନଥିବାରୁ ରାଜ୍ୟ ସରକାରଙ୍କୁ ମୋଦୀ କଟୁ ସମାଲୋଚନା ମଧ୍ୟ କରିଛନ୍ତି।