ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ ‘ଧ୍ରୁବ’ର ଶୁଭାରମ୍ଭ

Published By : Prameya-News7 Bureau | October 12, 2019 IST

ବେଙ୍ଗାଲୁରୁ ୧୨|୧୦: ଆଜି ବେଙ୍ଗାଲୁର ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପରିସରରୁ ‘ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ-ଧ୍ରୁବ’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ । ଏହି କାର୍ଯ୍ୟକ୍ରମ ଅସାଧାରଣ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କ ଜୀବନର ମୋଡ଼ ବଦଳାଇଦେବ । ଏହା ମେଧାବୀ ତଥା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରତିଭାର ବକିାଶ ଲାଗି ମଂଚ ଯୋଗାଇ ଦେବ । ବିଜ୍ଞାନ, କଳା, ସୃଜନଶୀଳ ରଚନା ଆଦି ନିଜ ପସନ୍ଦର କ୍ଷେତ୍ରରେ ସେମାନଙ୍କୁ ଉତ୍କର୍ଷ ହାସଲ ଲାଗି ସହାୟତା ମିଳିପାରିବ । ଏହି ମାର୍ଗରେ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ନିଜ ଭିତରେ ଥିବା ସମ୍ଭାବନାକୁ ବାସ୍ତବ ରୂପ ଦେବା ସହିତ ସାମଗ୍ରିକ ଭାବେ ସମାଜକୁ ଯୋଗଦାନ ଦେଇପାରିବେ ।

ଇସ୍ରୋର ଅଧ୍ୟକ୍ଷ ଡ. କେ ଶିବନ, ଭାରତର ପ୍ରଥମ ମହାକାଶଚାରୀ ୱିଙ୍ଗ କମାଣ୍ଡର ରାକେଶ ଶର୍ମା, ଅଟଳ ଇନୋଭେସନ ମିଶନର ନିର୍ଦ୍ଦେଶକ ଆର. ରମଣନ ଏହି ଅବସରରେ ଉପସ୍ଥିତ ଥିଲେ ।  ଧ୍ରୁବ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଚୟନ ହୋଇଥିବା ୬୦ଜଣ ପ୍ରତିଭାବାନ ବିଦ୍ୟାର୍ଥୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ବିଦ୍ୟାର୍ଥୀମାନେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ, ଡ. ଶିବନ ଓ ରାକେଶ ଶର୍ମାଙ୍କଠାରୁ ସେମାନଙ୍କ ଜୀବନ ଅନୁଭୂତି, ସଂଘର୍ଷ ଓ ସଫଳତା ବିଷୟରେ ଜାଣିବାକୁ ପାଇଥିଲେ ।

ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଦକ୍ଷତା ଓ ଜ୍ଞାନର ବିକାଶ ଲାଗି ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହା ଅନ୍ତର୍ଗତ ଦେଶର ବିଭିନ୍ନ ସ୍ଥାନରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଠାରେ ବିଶେଷଜ୍ଞଙ୍କ ଦ୍ବାରା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କର ମାର୍ଗଦର୍ଶନ କରାଯାଇ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକୁ ବିକଶିତ କରିବାରେ ସହାୟତା ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମ ଦ୍ବାରା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହିତ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା କରାଯାଉଛି ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନିଶଙ୍କ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଆଧାରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଏବଂ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବା ନେଇ ସେ ଖୁସି ପ୍ରକଟ କରିଛନ୍ତି । କାର୍ଯ୍ୟକ୍ରମ ସମ୍ପର୍କରେ ବସ୍ତିୃତ ସୂଚନା ଦେଇ ନିଶଙ୍କ କହିଥିଲେ ଯେ ଆମେ କଳା ଓ ବିଜ୍ଞାନ କ୍ଷେତ୍ରର ଛାତ୍ରଛାତ୍ରୀଙ୍କୁ ଏକତ୍ର ଏହି କାର୍ଯ୍ୟକ୍ରମରେ ସାମିଲ କରିଛୁ । ସାରା ଦେଶରୁ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯାଇଥିବାରୁ ଏହା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ । କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ଧ୍ରୁବ କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାର୍ଥୀ ପ୍ରତିଭାର ବିକାଶ ଲାଗି ସୁଯୋଗ ପାଇବା ସହିତ ନିଜ ନିଜ କ୍ଷେତ୍ରରେ ଶ୍ରେଷ୍ଠ ଉଦ୍ଭାବକ ହୋଇପାରିବେ । କାର୍ଯ୍ୟକ୍ରମର ସଫଳତା ଦ୍ବାରା ସାରା ଦେଶର ୩୩ କୋଟି ଛାତ୍ରଛାତ୍ରୀ ଅନୁପ୍ରାଣିତ ହୋଇପାରିବେ ।

ଧ୍ରୁବ କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚରେ ୬୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି କ୍ଷେତ୍ର କଳା ଏବଂ ବିଜ୍ଞାନ ଲାଗି ୩୦ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ବଛାଯାଇଛି । ସାରା ଦେଶରେ ଥିବା ବିଭିନ୍ନ ଘରୋଇ ଏବଂ ସରକାରୀ ସ୍କୁଲର ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ଏଥିରେ ସାମିଲ କରାଯାଇଛି ।

ଆଜି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏହି ଛାତଛାତ୍ରଛାତ୍ରୀଙ୍କ ଲାଗି ଏକ ୧୪ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରତ୍ୟେକ କ୍ଷେତ୍ରର ୩୦ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ନେଇ ୧୦ ଜଣିଆ ତିନିଟି ଲେଖାଏଁ ଗ୍ରୁପ୍ ଗଠନ କରାଯାଇଥିଲା । ବିଜ୍ଞାନ ବିଷୟର ଛାତ୍ରଛାତ୍ରୀ ଜଣେ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ପ୍ରକଳ୍ପ ପ୍ରଦର୍ଶନ କରିବେ । ସେହିପରି କଳା କ୍ଷେତ୍ରର ଛାତ୍ରଛାତ୍ରୀ ସଂସ୍କୃତି ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ପରିବେଷଣ କରିବେ । ଦୁଇଟି କ୍ଷେତ୍ରର ୬ଟି ଟିମକୁ ବିଭିନ୍ନ ବୈଶ୍ବକ ପ୍ରସଙ୍ଗ ଯଥା ଜଳବାୟୁ ପରିବର୍ତନ, ପ୍ରଦୂଷଣ, ଆତଙ୍କବାଦ ଆଦି ବିଷୟବସ୍ତୁ ଉପରେ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦିଆଯିବ । ଏହି ଛାତ୍ରଛାତ୍ରୀ ୧୪ରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ଦିଲ୍ଲୀ ଆଇଆଇଟି ଏବଂ ଜାତୀୟ ବାଲ ଭବନ ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଅକ୍ଟୋବର ୨୩ ତାରିଖରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ୬ଟି ଗ୍ରୁପ ଉପରୋକ୍ତ ବିଷୟବସ୍ତୁ ଉପରେ ସେମାନଙ୍କ ପ୍ରକଳ୍ପ/କଳା ପ୍ରଦର୍ଶନ କରିବେ । ପରବର୍ତୀ ସମୟରେ ଅନ୍ୟାନ୍ୟ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.