କିଏ ଧରିବ ମହାରଥୀଙ୍କ ଲିଗାସୀ ? ଟିକେଟ୍ ପାଇଁ ଇଚ୍ଛା କିନ୍ତୁ ବିବାଦକୁ ନା’, ଦଳର ସୁପ୍ରିମୋଙ୍କ ନିଷ୍ପତ୍ତି ମାନିନେବେ କହି କଥା କାଟୁଛନ୍ତି ମା’-ପୁଅ

Published By : Prameya-News7 Bureau | January 28, 2021 IST

ଭୁବନେଶ୍ବର ୨୮।୧: ପିପିଲି ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜନୈତିକ ଉସ୍ମତା ଜୋର । ତେବେ ଏହି ଉସ୍ମତାର କେନ୍ଦ୍ରରେ ମହାରଥୀ ପରିବାର । କିଏ ସେ ଧରିବ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଲିଗାସି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଖୁବ୍ ଶୀଘ୍ର ପିପିଲି ଉପନିର୍ବାଚନ ତାରିଖ ଘୋଷଣା ହେବା କହିବା ପରେ ପ୍ରମୁଖ ରାଜନୈତିକ ଦଳରେ ଅଘୋଷିତ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ତେବେ ବିଜୁ ଜନତା ଦଳ ପକ୍ଷରୁ ପ୍ରତାପ ଦେବଙ୍କୁ ଦଳୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଘୋଷଣା କରାଯିବା ପରେ ଏବେ ଚର୍ଚ୍ଚାର କେନ୍ଦ୍ରର ମହାରଥୀଙ୍କ ପରିବାର । ଏପରିକି ଟିକେଟ୍ କୁ ନେଇ ସ୍ବର୍ଗତ ମହାରଥୀଙ୍କ ପତ୍ନୀ ଏବଂ ପୁଅଙ୍କ ମଧ୍ୟରେ ଟଣାଓଟରା ଲାଗିଥିବା ଚର୍ଚ୍ଚା ଆହୁରି ସରଗରମ ହୋଇଛି ।

ପିପିଲି ଉପନିର୍ବାଚନ ପାଇଁ ଅନ୍ୟ ରାଜନୈତିକ ଦଳ ଅପେକ୍ଷା ଶାସକ ବିଜେଡି ଗୋଟିଏ ପାଦ ଆଗରେ ଥିବା ମନେହେଉଛି । କାରଣ ଦଳ ତାର ପ୍ରକ୍ରିୟା ଆରମ୍ଭ କରିସାରିଲାଣି । ପିପିଲି ନିର୍ବାଚନ ପାଇଁ ବିଧାୟକ ତଥା ମୁଖପାତ୍ର ପ୍ରତାପ ଦେବଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ବ ପ୍ରଦାନ କରାଯାଇଛି । ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଘୋଷଣା ପରେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ନିର୍ବାଚନ ଲଢିବାକୁ ଆଶାୟୀ ଥିବା ପରୋକ୍ଷରେ କହିଛନ୍ତି । ପୂର୍ବରୁ ସ୍ବର୍ଗତ ମହାରଥୀଙ୍କ ପ୍ରତିଭା ମହାରଥୀ ମଧ୍ୟ ସମାନ ଢଙ୍ଗରେ କହିଥିଲେ । ଉଭୟ ମା ଓ ପୁଅ ସିଧାସଳଖ ଦାବି ଜାହିର କରୁନଥିଲେ ମଧ୍ୟ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶ ମାନିବେ ବୋଲି କହିବା ଛଳରେ ଯାହାବି କହୁଛନ୍ତି ସେଥିରୁ ସେମାନଙ୍କ ଭିତରେ ଟିକେଟ୍ ଆଶା ସ୍ପଷ୍ଟ ବୁଝିହେଉଛି ।

ଉଲ୍ଲେଖଯୋଗ୍ୟ ଯେ, ପିପିଲି ଆସନରୁ ବିଧାୟକ ଥିବା ପ୍ରଦୀପ ମହାରାଥୀଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡିଛି । ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲି ଆସନ ଖାଲି ପଡିଛି । ପିପିଲିର ଲୋକପ୍ରିୟ ନେତା ଥିଲେ ପ୍ରଦୀପ ମହାରଥୀ । ପିପିଲି ଥିଲା ତାଙ୍କ କର୍ମକ୍ଷେତ୍ର । ପିପିଲିରୁ ୭ ଥର ନିର୍ବାଚିତ ହୋଇଥିଲେ ପ୍ରଦୀପ । ୧୯୮୫ ମସିହାରେ ପିପିଲି ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟିର ଟିକେଟରେ ପ୍ରଥମ ଥର ପାଇଁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୦ରେ ଜନତା ଦଳ ଟିକେଟରେ ବିଜୟୀ ହୋଇଥିବା ବେଳେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ । ୨୦୧୧, ୨୦୧୪, ୨୦୧୭ରେ ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ କୃଷି, ପଞ୍ଚାୟତିରାଜ ଭଳି ଦାୟିତ୍ବ ନେଇଥିଲେ । ପିପିଲି ଓ ଡେଲାଙ୍ଗ ବିକାଶରେ ତାଙ୍କର ଅବଦାନ ରହିଥିଲା । ତାଙ୍କ ମୃତ୍ୟୁ ଶୋଭାଯାତ୍ରା ତାଙ୍କ ଲୋକପ୍ରିୟତାକୁ ଜାହିର କରିଥିଲା ।

wp:html /wp:html

ପୂର୍ବରୁ ପିପିଲି ଉପନିର୍ବାଚନରେ ଲଢିବାକୁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଇଚ୍ଛା ପ୍ରକାଶ କରିଥିଲେ । ତେବେ ନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ଘୋଷଣା ପରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ଟିକେଟ୍ ଆଶାୟୀ ଥିବା ତାଙ୍କ କଥାରୁ ଜଣାପଡିଥିବା ବେଳେ ଦଳ ଯାହା ନିଷ୍ପତ୍ତି ନେବ ସେ ଗ୍ରହଣ କରିବେ ବୋଲି କହିଛନ୍ତି । ରୁଦ୍ର କହିଛନ୍ତି ଯେ, ଦଳ ଏପର୍ଯ୍ୟନ୍ତ ଡାକିନାହିଁ କି ଆମ ପରିବାର ଭିତରେ ଏହାକୁ ନେଇ କୌଣସି ଆଲୋଚନା କରାଯାଇନାହିଁ । ଦଳ ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାହା ଆମେ ପାଳନ କରିବୁ । ଦଳର ନିଷ୍ପତ୍ତିକୁ ଆମେ ସମର୍ଥନ କରିବୁ ବୋଲି ରୁଦ୍ର କହିଛନ୍ତି । ମାଟି ପାଇଁ କାମ କରୁଥିଲି ଏବେ ବି କରିବି ।

ପିପିଲି ଉପ ନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ଏବେବି ସସପେନ୍ସ ଜାରି ରହିଥିବା ବେଳେ ପ୍ରତିଭା ମହାରଥୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ପୁଣି ନିଜ ଇଚ୍ଛା ଦୋହରାଇଛନ୍ତି ପ୍ରତିଭା ମହାରଥୀ । ପ୍ରତିଭା କହିଛନ୍ତି ଦଳ ସୁପ୍ରିମୋ ଯାହାକୁ ଟିକେଟ୍ ଦେବେ ସେ ଲଢିବେ । ଆମେ ଏହାକୁ ସମର୍ଥନ କରିବୁ । କିଛି ଦିନ ତଳ ସୁଯୋଗ ମିଳିଲେ ନିର୍ବାଚନ ଲଢିବେ ବୋଲି ପ୍ରତିଭା କହିଥିଲେ । ପ୍ରତିଭା ମହାରଥୀ କହିଥିଲେ ଯେ, ଉପ-ନିର୍ବାଚନରେ ଲଢିବାକୁ ସୁଯୋଗ ମିଳିଲେ ସେ ଖୁସି ହେବେ । ନିର୍ବାଚନ ଏକ ପ୍ରକ୍ରିୟା । ଦଳ ଯାହା ନିଷ୍ପତ୍ତି ନେବ, ସେଥିରେ ସେ ରାଜି ହେବେ । ନିର୍ବାଚନ ପାଇଁ ଦଳର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ରହିଥାଏ । ତେଣୁ ଆଗାମୀ ଦିନରେ ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ସେ ସ୍ବାଗତ କରିବେ ବୋଲି କହିଥିଲେ ।

ତେବେ ପ୍ରଦୀପ ମହାରଥୀଙ୍କ ଆବର୍ତ୍ତମାନରେ ତାଙ୍କ ଲିଗାସି କିଏ ଧରିବ, ସ୍ତ୍ରୀ ନା ପୁଅ ? ବିଭିନ୍ନ ମଲହରେ ଚର୍ଚ୍ଚା ପିପିଲିରେ ପୁଅ ରୁଦ୍ରଙ୍କ ପାଇଁ ଅଧିକ ଲବି, ଡେଲାଙ୍ଗରେ ସ୍ତ୍ରୀ ପ୍ରତିଭାଙ୍କ ପାଇଁ ଅଧିକ ଦାବି । ତେବେ ଉଭୟ ମା ଓ ପୁଅ ନିର୍ବାଚନ ଲଢିବା ନିଷ୍ପତ୍ତି ଦଳର ସୁପ୍ରିମୋଙ୍କ ଉପରେ ଛାଡିଥିବା ବେଳେ ଦଳର ନିର୍ଦ୍ଦେଶ ମାନିବେ ବୋଲି କହିଛନ୍ତି । ତଥାପି ମହାରଥୀ ପରିବାରରେ ଟିକେଟ୍ କଳିର ଚର୍ଚ୍ଚା ଥମୁନି । ଏହି ଚର୍ଚ୍ଚା କିଏ ଆରମ୍ଭ କରିଛି ତାହା ସ୍ପଷ୍ଟ ନୁହେଁ କିନ୍ତୁ ଟିକେଟ୍ ଚର୍ଚ୍ଚାରେ କେବଳ ସ୍ବର୍ଗତ ମହାରଥୀଙ୍କ ସ୍ତ୍ରୀ-ପୁଅ ନୁହଁନ୍ତି ଜ୍ବାଇଁ ବି ଆଶାୟୀ ବୋଲି କଥା ଉଡୁଛି । ତେବେ ବିଜେଡି ନିଷ୍ପତ୍ତିକୁ ଅପେକ୍ଷା । କାହା ମୁଣ୍ଡରେ ଦଳ ସୁପ୍ରିମୋ ସିରପା ବାନ୍ଧିବେ ତାକୁ ହିଁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.