ମହୋଦଧୀ କୂଳେ ମହାନିଦ୍ରାରେ ଶୋଇଗଲେ ପ୍ରଦୀପ ମହାରଥୀ, ପୁଅ ରୁଦ୍ର ପ୍ରତାପ ଦେଲେ ମୁଖାଗ୍ନି

Published By : Prameya-News7 Bureau | October 04, 2020 IST

ଭୁବନେଶ୍ୱର, ୦୪/୧୦:  ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ କୃଷି ମନ୍ତ୍ରୀ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଦେହାନ୍ତ ହୋଇଯାଇଛି।  ଗତକାଲି ରାତି ୨ଟା ୩୮ ମିନିଟରେ ତାଙ୍କର ପରଲୋକ ହୋଇଯାଇଛି। ପ୍ରଦୀପଙ୍କ ମର ଶରୀରରକୁ ତାଙ୍କ ବାସଭବନ, ବିଧାନସଭା ଓ ବିଜେଡି କାର୍ଯ୍ୟାଳୟ ଓ ପିପିଲି ନିଆଯିବା ପରେ ପୁରୀରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ଶହେ ଘୋଡ଼ାକୁ ଶହେ ହାତୀ …ସମସ୍ତଙ୍କୁ ପର କରିଦେଇ ଚାଲିଗଲେ ମହାରଥୀ । ଚାଲିଗଲେ ଆରପାରିକୁ, ବହୁଦୂରକୁ । ପଞ୍ଚଭୂତରେ ଲୀନ ହୋଇଗଲେ ପିପୁଲ୍‌ସ ଲିଡର ନେତାଙ୍କ ଭିତରେ ମହାରଥୀ ପ୍ରଦୀପ ମହାରଥୀ।…. ଆଜି ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁଅ ରୁଦ୍ର ପ୍ରତାପ ଦେଇଥିଲେ ମୁଖାଗ୍ନି ଆଉ ମହୋଦଧୀ କୁଳେ ମହାନିଦ୍ରାରେ ଶୋଇଗଲେ ମହାରଥୀ ।

ପୂର୍ବରୁ ଅସୁସ୍ଥ ଥିବା ପ୍ରଦୀପଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ପରିବାର ସହିତ କଥା ହୋଇଥିଲେ। କିନ୍ତୁ  ରାତି ୨ଟା ୩୮ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ରାତିରେ ତାଙ୍କ ମର ଶରୀରକୁ ତାଙ୍କ ବାସଭବନକୁ ଅଣାଯାଇଥିଲା । ପତ୍ନୀ  ପ୍ରତିଭା ମହାରଥୀ, ଝିଅ ପଲ୍ଲବୀ ଆଖିପୁରେଇ ଦେଖିନେଉଛନ୍ତି ।  ସକାଳୁ ଖବର ପ୍ରସାରିତ ହେବା ବେଳକୁ ଶହ ଶହ ପ୍ରଶଂସକ ଭୁବନେଶ୍ହରରେ ତାଙ୍କ ବାସଭବନରେ ପହଞ୍ଚିଥିଲେ।

ବର୍ତ୍ତମାନ ପିପିଲିର ବିଧାୟକ ଥିହା ପ୍ରଦୀପ ମହାରଥୀଙ୍କ ମର ଶରୀରକୁ ନିଆଯାଇଥିଲା ବିଧାନସଭା ପରିସରକୁ। ସେଠାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶେଷ ସମ୍ମାନ ଦେଇଥିଲେ।    ଏହାପରେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ବିଜେଡି କର୍ମୀ।  ପ୍ରଦୀପ ମହାରଥଙ୍କ ସହିତ ଦୀର୍ଘଦିନର ସହିତ ରାଜନୈତିକ ଜୀବନରେ ଜଡ଼ିତ ଥିବା ବହୁ ନେତା ତାଙ୍କର ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ପିପିଲିର ଲୋକ ପ୍ରିୟ ନେତା ଥିଲେ ପ୍ରଦୀପ ମହାରଥୀ। ପିପିଲିକୁ ଥିଲା କର୍ମକ୍ଷେତ୍ର । ପିପିଲିରୁ ୭ ଥର ନିର୍ବାଚିତ ହୋଇଥିଲେ। ୧୯୮୫ ମସିହାରେ ପିପିଲି ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟିର ଟିକେଟରେ ପ୍ରଥମ ଥର ପାଇଁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରେ ଜନତା ଦଳ ଟିକେଟରେ ବିଜୟୀ ହୋଇଥିବା ବେଳେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ। ୨୦୧୧, ୨୦୧୪, ୨୦୧୭ରେ ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ କୃଷି, ପଞ୍ଚାୟତିରାଜ ଭଳି ଦାୟିତ୍ବ ନେଇଥିଲେ। ପିପିଲିର ବିକାଶରେ ତାଙ୍କ ଅତୁଳନୀୟ ଅବଦାନ ରହିଛି।

କୋଭିଡ କଟକଣା ଭିତରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ପାଇଁ ବ୍ୟବସ୍ଥା କରାଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ପୁଅ ରୁଦ୍ର ମୁଖାଗ୍ନି ଦେଇଥିଲେ। ପ୍ରଦୀପଙ୍କ ଦେହାନ୍ତ ଖବର ପାଇ ରାଜ୍ୟ ପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏଥିସହିତ ପିପିଲିର ରାଜନୈତିକ ଇତିହାସରେ ଏକ ଯୁଗର ଶେଷ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.