ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫାରେ ଗିରଫ ହୋଇଛନ୍ତି ପ୍ରଦୀପ ମହାରଥୀ : ଅନ୍ୟୂନ ୭ ଦିନ ପର୍ଯ୍ୟନ୍ତ ମିଳିବନି ଜାମିନ

Published By : Prameya-News7 Bureau | April 22, 2019 IST

ଭୁବନେଶ୍ୱର ୨୨/୪ : ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଜୋରଦାର ଝଟକା ଲାଗିଛି | ରବିବାର ସନ୍ଧ୍ୟାରେ ତାଙ୍କ ଫାର୍ମ ହାଉସରେ ଫ୍ଲାଇଙ୍ଗ ସ୍କ୍ୱାର୍ଡର ମାଜିଷ୍ଟ୍ରେଟ ରବୀନ୍ଦ୍ର ନାରାୟଣ ପାତ୍ର ଏବଂ ୨ ସହଯୋଗୀଙ୍କ ଉପରେ ପ୍ରଦୀପ ମହାରଥୀଙ୍କ ସମର୍ଥକମାନେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା | ଆକ୍ରମଣରେ ରବୀନ୍ଦ୍ର ନାରାୟଣ ପାତ୍ର ଆହତ ହୋଇଥିଲେ | ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଆଜି ଏହି ଘଟଣା ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା | କଂଗ୍ରେସ ଓ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ପ୍ରଦୀପ ମହାରଥୀଙ୍କ ଗିରଫ ଦାବି କରିଥିଲେ | ଏହାର କିଛି ସମୟ ପରେ ପିପିଲି ପୋଲିସ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି | ତେବେ ପ୍ରଦୀପଙ୍କୁ ଯେଉଁସବୁ ସଂଗୀନ ଦଫାରେ ଗିରଫ କରାଯାଇଛି ସେଥିରୁ ସ୍ପଷ୍ଟ ଯେ, ତାଙ୍କୁ ଅନ୍ୟୂନ ୭ ଦିନ ପର୍ଯ୍ୟନ୍ତ ଜାମିନ ମିଳିବ ସମ୍ଭବ ନୁହେଁ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ବନବିହାରୀ ମହାନ୍ତି |

{"id":106073}


ତାଙ୍କ ବିରୋଧରେ ଲାଗିଥିବା ବିଭିନ୍ନ ଦଫା ମଧ୍ୟରେ ୩୦୭ ଦଫା ମଧ୍ୟ ରହିଛି | ୩୦୭ ଦଫା ହେଉଛି ହତ୍ୟା ଉଦ୍ୟମ | ସେହିଭଳି ୩୩୩ ଦଫା ଅର୍ଥାତ ସରକାରୀ କର୍ମଚାରୀ ଦାୟିତ୍ୱ ସମ୍ପାଦନା କଲାବେଳେ ତାଙ୍କ ଉପରେ ଆକ୍ରମଣ | ଉଭୟ ଦଫା ହେଉଛି ଜାମିନ ବିହୀନ ଦଫା | ତେଣୁ ଆସନ୍ତାକାଲି ପିପିଲିରେ ନିର୍ବାଚନ ଚାଲିଥିବାବେଳେ ପ୍ରଦୀପ ମହାରଥୀ ଥିବେ ଜେଲର ଚାରି କାନ୍ଥ ଭିତରେ | ପ୍ରଦୀପ ମହାରଥୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନର ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ଏବଂ ଜନପ୍ରତିନିଧିଆ ଆଇନର ୧୭୨, ୧୭୪, ୧୮୬ , ୨୩, ୧୭୧(ବି) ଧାରାରେ ମାମଲା ରୁଜ୍ଜୁ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.