Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାରଥୀଙ୍କୁ କୋର୍ଟ ଚାଲାଣ: ପୁରୀ ଏସପି କହିଲେ ଘଟଣାରେ ସମ୍ପୃକ୍ତି ନେଇ ରହିଛି ଯଥେଷ୍ଟ ପ୍ରମାଣ, ଅନ୍ୟମାନଙ୍କୁ କରାଯିବ ଗିରଫ

22/04/2019 at 4:27 PM

ପୁରୀ ୨୨/୪ : ଫ୍ଲାଇଙ୍ଗ ସ୍କ୍ୱାର୍ଡ ଉପରେ ଗତକାଲି ଆକ୍ରମଣ କରିବା ଅଭିଯୋଗରେ ପିପିଲି ବିଧାନସଭା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି | ପ୍ରଦୀପ ମହାରଥୀଙ୍କ ବିରୋଧରେ ଘଟଣାରେ ସମ୍ପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ରହିଛି ବୋଲି ପୁରୀ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ଘଟଣାସ୍ଥଳରୁ ଗୋଟିଏ ବାଇକ ଏବଂ ମହାରଥୀଙ୍କ କାର ଜବତ ହୋଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି |

ପୁରୀ ଏସପି କହିଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ପାଳନ ହେଉଛି କି ନାହିଁ ଯାଞ୍ଚ କରିବା ପାଇଁ ଗତକାଲି ଫ୍ଲାଇଙ୍ଗ ସ୍କ୍ୱାର୍ଡ ମହାରଥୀଙ୍କ ଏକ ଜାଗା ଉପରେ ଚଢ଼ାଉ କରିଥିଲେ | ସେଠାରେ କିଛି ଅନୈତିକ କାର୍ଯ୍ୟ ହେଉଥିବା ସ୍କ୍ୱାର୍ଡ ପାଖରେ ସୂଚନା ଥିଲା | ମଦ କାରବାରରୁ ଆରମ୍ଭ କରି ଟଙ୍କା କାରବାର ପର୍ଯ୍ୟନ୍ତ ସବୁ ବେଆଇନ କାର୍ଯ୍ୟ ଚାଲିଥିବା ସୂଚନା ଆଧାରରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ସେଠାରେ ପହଞ୍ଚିଥିଲା | ସେଠାରେ ୧୦ ରୁ ୧୫ ଜଣ ଲୋକ ଥିଲେ | ନିର୍ବାଚନ ଆଚରଣ ବିଧି ଉଲଂଘନ ହେଉଥିବା ମଧ୍ୟ ସ୍କ୍ୱାର୍ଡ ଦେଖିବାକୁ ପାଇଥିଲେ | ଏତିକିବେଳେ ସେଠାରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ପହଂଚିଥିଲେ |



ଫ୍ଲାଇଙ୍ଗ ସ୍କ୍ୱାର୍ଡ ଉପରେ ଆକ୍ରମଣ କରିବା ପାଇଁ ସେ ସିଧାସଳଖ ସେଠାରେ ଥିବା ଲୋକମାନଙ୍କୁ ପ୍ରରୋଚିତ କରିଥିଲେ | ଏହାପରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଉପରେ ଆକ୍ରମଣ ହୋଇଥିଲା | ଏ ସଂକ୍ରାନ୍ତରେ ଆଜି ଭୋର ୪ଟା ବେଳେ ଏକ ଏଫଆଇଆର ରୁଜ୍ଜୁ ହୋଇଥିଲା | ଫ୍ଲାଇଙ୍ଗ ସ୍କ୍ୱାର୍ଡର ମୁଖ୍ୟ ତଥା ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରବୀନ୍ଦ୍ର ନାରାୟଣ ପାତ୍ର ଏହି ଏଫଆଇଆର କରିଥିଲେ | ଏଫଆଇଆର ଆଧାରରେ ପୋଲିସ ଅନୁସନ୍ଧାନ ବେଳେ ଘଟଣାରେ ମହାରଥୀଙ୍କ ସମ୍ପୃକ୍ତି ନେଇ ଦୃଢ ପ୍ରମାଣ ମିଳିଛି | ସେଥିପାଇଁ ତାଙ୍କୁ ଗିରଫ କରାଯାଇଛି | ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧି ଆଇନର ୩୦୭ ସମେତ ଅନ୍ୟାନ୍ୟ ଦଫା ଓ ଜନପ୍ରତିନିଧି ଆଇନର ୧୨୩ ଓ ଅନ୍ୟାନ୍ୟ ଧାରାରେ ମାମଲା ରୁଜ୍ଜୁ କରାଯାଇଛି |


ଗତକାଲି ମହାରଥୀଙ୍କ ଲୋକମାନେ ଫ୍ଲାଇଙ୍ଗ ସ୍କ୍ୱାର୍ଡର କ୍ୟାମେରା ଭାଙ୍ଗି ଦେଇଛନ୍ତି | ପୋଲିସ ଏହି କ୍ୟାମେରାରୁ ଫୁଟେଜ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁଛି | ମହାରଥୀଙ୍କୁ ଗିରଫ ପରେ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ପୋଲିସ ଏବେ ଖିଯୁଛି | ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁରୀ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |

   Related Posts