ଆଳୁକୁ ନେଇ ବିଧାନସଭାରେ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁହାଁମୁହିଁ
17/07/2019 at 12:58 PM

ଭୁବନେଶ୍ବର ୧୭|୭: ଆଳୁକୁ ନେଇ ମୁହାଁମୁହିଁ ବିଧାୟକ ପ୍ରଦୀପ ମହାରଥୀ ଓ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମହାରଥୀ ଆଳୁ ମିଶନ ଓ ଶୀତଳ ଭଣ୍ଡାରର ସ୍ଥିତି ନେଇ ବିଧାନସଭାରେ ପ୍ରଶ୍ନ ପଚାରିବା ପରେ, ତାତିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଖୋଦ ମହାରଥୀ ପୂର୍ବରୁ କୃଷି ମନ୍ତ୍ରୀ ଥିଲେ, ତେଣୁ ଏବାବଦରେ ସେ ଫେଲୋସିପ୍ କରିଥିବା କହିଥିଲେ ନିରଞ୍ଜନ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁପସ୍ଥିତି ଯୋଗୁଁ ଅର୍ଥମନ୍ତ୍ରୀ କୃଷି ବିଭାଗୀୟ ପ୍ରଶ୍ନର ଉତ୍ତର ରଖୁଥିଲେ ।
ଆଳୁ ମିଶନ ମହାରଥୀଙ୍କ ସମୟରେ ଆରମ୍ଭ ହୋଇ ତାଙ୍କର କାର୍ଯ୍ୟକାଳ ସମୟରେ ହିଁ ଶେଷ ହୋଇଥିବା ନିରଞ୍ଜନ ଉତ୍ତର ରଖିଛନ୍ତି । ତେବେ ରାଜ୍ୟରେ ଆଳୁ ଅଭାବ ପୂରଣ ପାଇଁ ପୁଣି ଥରେ ଆଳୁ ମିଶନ କରିବାକୁ ସରକାର ଯୋଜନା କରୁଛନ୍ତି । ପୂର୍ବରୁ ହୋଇଥିବା ଆଳୁ ମିଶନର ଅବଧି ସରିଥିବାରୁ ଏବେ ନୂଆ ମିଶନ ପାଇଁ ଯୋଜନା କରାଯାଇଥିବା ଅଧୀକୃତ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।
ରାଜ୍ୟରେ ଏବେ ୧୨.୭୦ ଲକ୍ଷ ମେଟ୍ରିକ ଟନ୍ ଆଳୁର ଚାହିଦା ଥିବା ବେଳେ ଉତ୍ପାଦନ ହେଉଛି ମାତ୍ର ୨.୯୪ ଲକ୍ଷ ମେଟ୍ରିକ ଟନ୍ । ସେହିପରି ରାଜ୍ୟରେ ଏବେ ୧୨୮ ଶୀତଳ ଭଣ୍ଡାର ଥିବା ବେଳେ, ସେଥି ମଧ୍ୟରୁ ୪୮ଟି ସଚଳ ଅଛି । ୮୦ଟି ଶିତଳଭଣ୍ଡାର ଅଚଳ ରହିଥିବା କହିଛନ୍ତି ନିରଞ୍ଜନ ପୂଜାରୀ ।