ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଯିବ ଅଣସର ଭାର

Published By : Prameya-News7 Bureau | June 28, 2021 IST

ଭୁବନେଶ୍ୱର, ୨୮/୦୬:  ଠାକୁର ଜ୍ୱରରେ ପଡ଼ିଛନ୍ତି । ପ୍ରଭୁଙ୍କ ସୁସ୍ଥତା ଲାଗି ପବିତ୍ର ପ୍ରାଚୀକ୍ଷେତ୍ରରୁ ଯିବ ମହାପ୍ରଭୁ ଶ୍ରୀଗନ୍ନାଥଙ୍କ ପାଇଁ ଅଣସର ଫଳଭାର ।  ଜୁନ ୨୯ ତାରିଖ ମଙ୍ଗଳବାର ପଞ୍ଚମୀ ତିଥିରେ ଏହି ଅଣସର ଭାର ପଠାଯିବାର ସବୁ ବ୍ୟବସ୍ଥା କରାଯାଇଛି । ନିଆଳିର ଶ୍ରୀମାଧବାନନ୍ଦ ଜିଉ ପୀଠ ଓ କାକଟପୁର ବିଶ୍ୱାମିତ୍ର ମଠ ପକ୍ଷରୁ ଏହି ଭାର ପଠାଯାଉଛି । ସକାଳ 8ଟା ସୁଦ୍ଧା ଶ୍ରୀମାଧବାନନ୍ଦ ଜିଉ ପୀଠରୁ ଫଳ ଭାର ଯାତ୍ରା ବାହାରି କାକଟପୁର ବିଶ୍ୱାମିତ୍ର ମଠ ପାଖରେ ପହଞ୍ଚିବ । ସେଠାରେ ମଧ୍ୟ ପୂର୍ବପ୍ରସ୍ତୁତି କ୍ରମେ ଭକ୍ତ ମାନେ ମଠରେ ଦେଇଥିବା ଫଳ ଭାର ନେଇ ଭାରଯାତ୍ରୀ ମାନେ କୋଣାର୍କ ବାଟ ଦେଇ ଯାତ୍ରା କରିବେ । ଦିନ ପ୍ରାୟ ୧୧ଟା ସୁଦ୍ଧା ସେମାନେ ସ୍ୱାମୀ ପ୍ର୍ଜ୍ଞାନାନନ୍ଦଙ୍କ ବାଲିଘାଇ ଆଶ୍ରମରେ ସାମୟିକ ରହଣି ଓ ଜଳପାନ ପରେ ପୁରୀ ଅଭିମୁଖେ ଯାତ୍ରା କରିବେ । ଦିନ ପ୍ରାୟ ୧ଟା ସୁଦ୍ଧା ପୁରୀ ହାତୀ ଆଖଡା ମଠ ଠାରେ ଭାରଯାତ୍ରୀ ମାନେ ପହଞ୍ଚିଲେ , ସେଠାରୁ ନାମ ସଂକୀର୍ତ୍ତନ ସହ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବେ । ସେଠାରୁ ସେବକ ମାନଙ୍କ ସହାୟତାରେ ଏହି ଭାର ସାମଗ୍ରୀ ନୃସିଂହ ଚକଡ଼ାରେ ପହଞ୍ଚାଇ ଦିଆଯିବାର କାର୍ଯ୍ୟକ୍ରମ ରହିଛି ।

ଏହି ଅଣସର ଭାର ସାମଗ୍ରୀ ମଧ୍ୟରେ ଅଛି – ପଣସ , ଆମ୍ବ , ସପୁରୀ , କଦଳୀ , ପିଜୁଳି , ଖଜୁରୀ , ତୁଳସୀ ଓ ବିଭିନ୍ନ ପ୍ରକାର ଫୁଲ । ଅନୁରୂପ ଭାବେ ନବମୀ ତିଥିରେ ଦେଉଳି ମଠରୁ ସୁସଜ୍ଜିତ ଶଗrରେ ତୁଳସୀ ଓ ଫୁଲ ଭାର ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସମସ୍ତ କୋଭିଡ ନିୟମ ମାନି ଖୁବ କମ ସଂଖ୍ୟାରେ ଭକ୍ତଙ୍କୁ ନେଇ ଏହି ଯାତ୍ରା ସମ୍ପନ୍ନ କରାଯିବ ବୋଲି ପ୍ରାଚୀ ସଂସ୍କୃତି ଗବେଷକ ତ୍ରିଲୋଚନ ମିଶ୍ର ଓ ଶ୍ରୀମାଧବାନନ୍ଦ ଜିଉ ମନ୍ଦିର ସେବକ ତ୍ରିଲୋଚନ ପୁଷ୍ପାଳକ ଜଣାଇଛନ୍ତି । ବହୁ ପୁରାକାଳରେ ପୁରୀର ଦଶାବତାର ମଠ ଜରିଆରେ ପ୍ରାଚୀ କୂଳର ବିଭିନ୍ନ ସାମଗ୍ରୀ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପଠାଯାଉଥିଲା । ମାତ୍ର ପରେ ଏହି ପରମ୍ପରା ଅବଲୁପ୍ତ ହୋଇଯାଇଥିଲା । ତେବେ ୨୦୦୦ ମସିହାଠାରୁ ତ୍ରିଲୋଚନ ମିଶ୍ରଙ୍କ ଉଦ୍ୟମରେ ପ୍ରାଚୀକ୍ଷେତ୍ରରୁ ଅଣସର ଫଳଭାର ପଠାଯାଇ ଆସୁଥିବା ବେଳେ ଚଳିତବର୍ଷ ଏହି ଯାତ୍ରାରେ ଶ୍ରୀମାଧବାନନ୍ଦ ଜିଉ ପୀଠ ସାମିଲ ହୋଇଛି । ଗତ ଦୁଇ ବର୍ଷ ଧରି ମହାପ୍ରଭୁଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ଶ୍ରୀମାଧବାନନ୍ଦ ଜୀଉ ପୀଠରୁ ପୋଢୁଆଁ ଭାର ପଠାଯିବା ମଧ୍ୟ ଉଲ୍ଲେଖନୀୟ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.