ବଢ଼ିଲା ସହଯୋଗର ହାତ: ଯୁକ୍ତ-୨ ଯାଏଁ ମାଗଣାରେ ପାଠ ପଢ଼ିବେ ପ୍ରବୀରଙ୍କ ଝିଅ

Published By : Prameya-News7 Bureau | November 12, 2020 IST

ଭୁବନେଶ୍ୱର୧୨/୧୧: ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ପୁରା ସାମ୍ବାଦିକ ଜଗତ ସ୍ତବ୍ଧ ହୋଇଯାଇଛି। ପ୍ରବୀରଙ୍କ ଅନୁପସ୍ଥିତି ପରିବାର ମେରୁଦଣ୍ଡ ଭାଙ୍ଗିବା ସଦୃଶ। ଏହି ସମୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଯୁକ୍ତି ଦୁଇ ପର୍ଯ୍ୟନ୍ତ ମାଗଣାରେ ପାଠ ପଢ଼ିବେ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଝିଅ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଏନ୍ ପଟ୍ଟନାୟକ।

ପ୍ରବୀରଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ପରିବାରକୁ ସମବେଦନା ଜଣାଇବା ସହିତ ଝିଅକୁ ମାଗଣାରେ ପାଠ ପଢ଼ାଇବେ ବୋଲି କହିଛନ୍ତି। ନଭେମ୍ବର ୫ ତାରିଖରେ କରୋନା ଚିକିତ୍ସା ଚାଲିଥିବା ବେଳେ ପ୍ରବୀର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ନେତା-ମନ୍ତ୍ରୀ ଏବଂ ପୋଲିସ୍ କର୍ମଚାରୀ ଶୋକ ବ୍ୟକ୍ତ କରିଥିଲେ।

ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ,ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଅନ୍ୟ ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ରହି ପ୍ରବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.