କରୋନା ସ୍ଥିତି ସଙ୍ଗୀନ, କିନ୍ତୁ ପୁଣି ସୁରଟ ମୁହାଁ ହେଉଛନ୍ତି ପ୍ରବାସୀ

Published By : Prameya-News7 Bureau | July 18, 2020 IST

ଝାରସୁଗୁଡା ୧୮।୦୭: ପ୍ରବାସୀ ଶ୍ରମିକଙ୍କୁ ଓଡିଶା ଫେରାଇ ଆଣି ହରଡ଼ଘଣାରେ ପଡିଛନ୍ତି ରାଜ୍ୟ ସରକାର। ଗଂଜାମ ଏବେ ହଟସ୍ପଟ ପାଲଟିଛି । ସରକାର ଲାଗୁ କରିଛନ୍ତି କଟକଣା। ଚାରିଆଡେ ଲକଡାଉନ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଜିଲ୍ଲାର ସୀମାକୁ ସିଲ୍‌ କରି ଜିଲ୍ଲା ଭିତରକୁ କିମ୍ବା ଜିଲ୍ଲା ବାହାରକୁ ଯିବା ଆସିବା ଉପରେ କଡା କଟକଣା ଲଗାଇଛନ୍ତି। ତଥାପି ଅମାନିଆ ଙ୍କୁ ଶାସନ କରିବା କାଠିକର ପାଠ ହୋଇପଡିଛି। ଏହି କଟକଣା ଭିତରେ ପୁଣି ଥରେ ସୁରଟ ମୁହାଁ ହୋଇଛନ୍ତି ଗଂଜାମ ଜିଲ୍ଲାର ପ୍ରବାସୀ ଶ୍ରମିକ। ୨୭ ଜଣ ଶ୍ରମିକ ଆଜି ସକାଳୁ ଝାରସୁଗୁଡା ରେଳଷ୍ଟେସନରୁ ସୁରଟ ଯାଇଛନ୍ତି।

ରାଜ୍ୟରେ ଗଞ୍ଜାମ ଏବେ ହଟସ୍ପଟ୍‌ । ଏଠାରେ ପ୍ରତିଦିନ ଶହ ଶହ ଲୋକ ଆକ୍ରାନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ୁଛି। ଜିଲ୍ଲାର ସ୍ଥିତି ସୁଧୁରିବା ପରିବର୍ତ୍ତେ ନିୟନ୍ତ୍ରଣ ବାହାରକୁ ଯାଉଛି। ଆଜି ଠାରୁ ୧୪ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାକୁ ସରକାର ପୁଣି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜିଲ୍ଲାରୁ କାହାରିକୁ ବାହାରକୁ ଛଡ଼ା ଯିବ ନାହିଁ କି ଜିଲ୍ଲା ଭିତରକୁ କାହାରିକୁ ପୁରାଇ ଦିଆଯିବ ନାହିଁ ବ‌ୋଲି ଗଞ୍ଜାମ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ମାତ୍ର ଏହି ସବୁ କଡ଼ା ନିୟମ ଭିତରେ ଆଜି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରୁ ଏକ ବସ୍‌ ଯୋଗ‌େ ୨୭ ଜଣ ଶ୍ରମିକ ସୁରଟ ଯାତ୍ରା କରିବା ପାଇଁ ବାହାରି ଝାରସୁଗୁଡ଼ା ଠାରେ ପହଞ୍ଚିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଗତକାଲି ସଂଧ୍ୟା ରେ ଏକ ବସ ଶ୍ରମିକ ମାନଙ୍କୁ ଆଣି ଝାରସୁଗୁଡା ସହର ଭିତରେ ଛାଡି ଚାଲିଯାଇଥିଲା। ଶ୍ରମିକ ମାନେ ସହର ଭିତରେ ଚାଲି ଚାଲି ରେଳବାଇ ଷ୍ଟେସନରେ ଆଡକୁ ଯାଉଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଉପଜିଲ୍ଲାପାଳ ଶିବ ଟପ୍ପୋଙ୍କ ନଜର ପଡିବାରୁ ସେ ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲେ।ପରେ ଅନ୍ୟ ଉପାୟ ନପାଇ କୋଭିଡ ମାଜିଷ୍ଟ୍ରେଟ ଓ ପୋଲିସ କୁ ଡକାଇ ଶ୍ରମିକମାନଙ୍କ ଖାଇବା ପିଇବା ଯୋଗାଡ କରିବା ସହ ସେମାନେ ଯେପରି କାହା ସଂସ୍ପର୍ଶରେ ନ ଆସନ୍ତି ଓ ସୁରକ୍ଷିତ ଭାବରେ ଟ୍ରେନ ରେ ଯାତ୍ରା କରିବେ ତାହା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆଜି ସକାଳୁ ଝାରସୁଗୁଡା ଷ୍ଟେସନରେ ହାଓଡ଼ା ଅହମ୍ମଦାବାଦ ଏକ୍ସପ୍ରେସ ଟ୍ରେନ ରେ ଏହି ଶ୍ରମିକ ମାନଙ୍କୁ ସୁରଟ ପଠାଇ ଦିଆଗଲା। କିନ୍ତୁ ଏଠାରେ ବଡ ପ୍ରଶ୍ନ ଭାବେ ଠିଆ ହୋଇଛି ଯଦି ଏଭଳି ସମସ୍ୟା ଲାଗି ରହେ ତେବେ କରୋନା ମୁକାବିଲା କିଭଳି ସମ୍ଭବ ହେବ। ସରକାର ପ୍ରବାସୀଙ୍କୁ ଓଡିଶା ଫେରାଇ ଆଣିବା ଭଳି ନିଷ୍ପତ୍ତି କାହିଁକି ନେଲେ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.